35 Years Without a Home:ପାଲ ଘେରା ଘରେ ବିତୁଛି ଜୀବନ
ଖଣ୍ଡିଏ ଘରଡିହ ପାଇଁ ବିତିଗଲା ୩୫ ବର୍ଷ। ବାରମ୍ବାର ଗୁହାରି, ଜନଶୁଣାଣିରେ ଅଭିଯୋଗ ପରେ ବି ବଦଳିନି ସବିତାଙ୍କ ଭାଗ୍ୟ। ଆଜି ବି ପାଲ ଘେରା ଘରେ ଦୁଇ ପୁଅଙ୍କ ସହ ବିତୁଛି ଜୀବନ।
ଜଗତସିଂହପୁର :ଖଣ୍ଡିଏ ଘରଡିହ ପାଇଁ ୩୫ ବର୍ଷର ସଂଘର୍ଷ। ସରପଞ୍ଚଙ୍କଠାରୁ ଆରମ୍ଭ କରି ତହସିଲଦାର ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରିଛନ୍ତି। ଜନଶୁଣାଣି ଶିବିରରେ ମଧ୍ୟ ନିଜ ଅଭିଯୋଗ ଜଣାଇଛନ୍ତି। ହେଲେ ଏତେ ବର୍ଷ ପରେ ବି ମିଳିନାହିଁ ନିଜ ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡିଏ ଜମି।ଏ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଏରସମାର ସବିତା ନାଥ। ଦୀର୍ଘ ୩୫ ବର୍ଷ ଧରି ଘରଡିହ ଜମି ପାଇଁ ସଂଘର୍ଷ କରୁଛନ୍ତି ସେ। ସବିତାଙ୍କ ଅଭିଯୋଗ ଅନୁସାରେ, ଜମି ସମସ୍ୟାକୁ ନେଇ ତାଙ୍କ ସ୍ୱାମୀ ଟୁକୁନା ନାଥଙ୍କ ମୃତ୍ୟୁ ମଧ୍ୟ ହୋଇଛି। ତଥାପି ତାଙ୍କ ସଂଘର୍ଷର ଅନ୍ତ ଘଟିନାହିଁ। ତିନି ଝିଅ ଓ ଦୁଇ ପୁଅଙ୍କୁ ନେଇ ଥିଲା ତାଙ୍କ ପରିବାର। ଏବେ ଦୁଇ ପୁଅଙ୍କ ସହ ଜୀବନ ସଂଘର୍ଷ ଜାରି ରଖିଛନ୍ତି ସବିତା। ମୁଣ୍ଡ ଗୁଞ୍ଜିବାକୁ ନାହିଁ ସୁରକ୍ଷିତ ପକ୍କା ଘର। ପାଲ ଘେରା ଘରେ ଦିନ କାଟୁଛନ୍ତି ପରିବାର। ଘରର ଦୟନୀୟ ଅବସ୍ଥା ହିଁ ସେମାନଙ୍କ ଦୁର୍ଦ୍ଦଶାର ଚିତ୍ର ସ୍ପଷ୍ଟ କରୁଛି।ଏତେ ବର୍ଷ ଧରି ଅଭିଯୋଗ ସତ୍ତ୍ୱେ ସବିତାଙ୍କ ଘରଡିହ ସମସ୍ୟାର ସମାଧାନ କାହିଁକି ହୋଇପାରିନାହିଁ, ତାହା ଏବେ ବଡ଼ ପ୍ରଶ୍ନ। କେବେ ତାଙ୍କ ପରିବାରକୁ ମିଳିବ ନିଜସ୍ୱ ଘର ପାଇଁ ଜମି? ପ୍ରଶାସନର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରିଛନ୍ତି ସବିତା।
