Koraput-Cultural-Dance:‘ଫୁକିଦିଆ ମାରିଆ ଦାଦା’ ଗୀତରେ ଝୁମିଲା କୋରାପୁଟ
ଫୁଟବଲ୍ ମ୍ୟାଚ୍ର ଉତ୍ସାହ ଭିତରେ ହଠାତ୍ ବାଜିଲା ପାରମ୍ପରିକ ଗୀତ। ଆଉ ତା’ପରେ ନିଜକୁ ଅଟକାଇ ପାରିଲେନି କେହି। ଗୀତର ତାଳେ ତାଳେ ଜମିଲା ନାଚ, ଦେଖିବାକୁ ମିଳିଲା କୋରାପୁଟର ନିଆରା ସଂସ୍କୃତି।
କୋରାପୁଟ:କୋରାପୁଟର ମାଟି, କଳା ଓ ସଂସ୍କୃତିର ମଜା ସତରେ ନିଆରା। ଏଠି ୧୨ ମାସରେ ୧୩ ପରବ। ପ୍ରତିଟି ପରବରେ ନାଚ, ଗୀତ ଓ ମନୋରଞ୍ଜନର ଭରପୂର ଆସର। ଆଉ ଥରେ ଗୀତ ବାଜିଲେ କେହି ବି ନିଜକୁ ନାଚିବାରୁ ଅଟକାଇ ପାରନ୍ତି ନାହିଁ। ଏହାର ଏକ ସୁନ୍ଦର ଝଲକ ଦେଖିବାକୁ ମିଳିଛି ବୋରିଗୁମ୍ମାରେ ଆୟୋଜିତ ଏକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ରେ। ମ୍ୟାଚ୍ର ଉତ୍ସାହ ମଧ୍ୟରେ ହଠାତ୍ ବାଜିଥିଲା ଲୋକପ୍ରିୟ ‘ଫୁକିଦିଆ ମାରିଆ ଦାଦା’ ଗୀତ। ବାସ୍, ଗୀତର ସ୍ୱର ଶୁଣିବା ମାତ୍ରେ ନିଜକୁ ଆଉ ସମ୍ଭାଳି ପାରିନଥିଲେ ଉପସ୍ଥିତ ଲୋକେ। ତାଳେ ତାଳେ ପାଦ ମିଶାଇ ଆରମ୍ଭ କରିଦେଇଥିଲେ ନାଚ। ଫୁଟବଲ୍ ପଡ଼ିଆ ପାଲଟିଯାଇଥିଲା ନାଚର ଆସର।ଏହି ମୁହୂର୍ତ୍ତରେ ନା ଥିଲା କୌଣସି ରିଲ୍ସର ପ୍ରସ୍ତୁତି, ନା ଏଡିଟିଂ କି ରିଟେକ୍ର ଝଞ୍ଜଟ। ଗୀତ ବାଜିଲା ଆଉ ନାଚ ଆପେ ଆପେ ଆରମ୍ଭ ହୋଇଗଲା। ଏହା କେବଳ ଏକ ନାଚ ନୁହେଁ, ବରଂ କୋରାପୁଟିଆ ଲୋକଙ୍କ ଆପଣାପଣ, ଖୁସି ଓ ଜୀବନ୍ତ ସଂସ୍କୃତିର ଏକ ସୁନ୍ଦର ଉଦାହରଣ। ଏମିତି ଛୋଟ ଛୋଟ ମୁହୂର୍ତ୍ତ ହିଁ ଜୀବନକୁ ଆହୁରି ସୁନ୍ଦର କରିଦିଏ।
