Attack on Tribal Faith : ସାନ୍ତାଳ ସମ୍ପ୍ରଦାୟକୁ ଭେଟିଲା ବିଜେଡି ଟିମ୍, ନ୍ୟାୟ ଦାବି ଜୋରଦାର
ବସନ୍ତପୁରା ଜାହେର ଥାନ୍ ଭଙ୍ଗାରୁଜା ଘଟଣାରେ ପୀଡ଼ିତଙ୍କ ପାଖରେ ବିଜେଡି। ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ଗାଁରେ ପହଞ୍ଚିଲା ପ୍ରତିନିଧି ଦଳ, ଉଠାଇଲା ଆଦିବାସୀଙ୍କ ଅଧିକାର ଓ ନ୍ୟାୟର ସ୍ୱର।
ଆଦିବାସୀଙ୍କ ଆସ୍ଥା ଉପରେ ଆକ୍ରମଣ | କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ବସନ୍ତପୁରା ଗ୍ରାମରେ ଗତ ମାସ ୨୩ ତାରିଖରେ ସାନ୍ତାଳ ସମ୍ପ୍ରଦାୟର ପବିତ୍ର ପୂଜାସ୍ଥଳୀ ଜାହେର ଥାନ୍ରେ ଭଙ୍ଗାରୁଜା ଓ ଆକ୍ରମଣ ହୋଇଥିବା ଅଭିଯୋଗକୁ ନେଇ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି | ଅଭିଯୋଗ ଅନୁଯାୟୀ, କିଛି ଦୁର୍ବୃତ୍ତ ଜାହେର ଥାନ୍ରେ ପ୍ରବେଶ କରି ପୂଜାସ୍ଥଳୀ ଭଙ୍ଗାରୁଜା କରିବା ସହ ପୂଜା ସାମଗ୍ରୀ ନଷ୍ଟ କରିଥିଲେ। ଏଥିସହ ସାନ୍ତାଳ ସମ୍ପ୍ରଦାୟର ପାରମ୍ପରିକ ଧାର୍ମିକ ରୀତିନୀତିରେ ବାଧା ସୃଷ୍ଟି କରିବା ସହ ମହିଳାଙ୍କ ସମେତ ସମ୍ପ୍ରଦାୟର ବିଭିନ୍ନ ସଦସ୍ୟଙ୍କୁ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାନ୍ତାଳ ସମ୍ପ୍ରଦାୟର ଧାର୍ମିକ ସ୍ୱାଧୀନତା, ପାରମ୍ପରିକ ପ୍ରଥା, ସାଂସ୍କୃତିକ ପରିଚୟ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି | ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଆଦିବାସୀ ସେଲ୍ର ସଭାପତି ଶ୍ରୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ଏକ ଦଳୀୟ ପ୍ରତିନିଧି ଦଳ ଆଜି ବସନ୍ତପୁରା ଗ୍ରାମ ପରିଦର୍ଶନ କରିଛନ୍ତି | ଏହି ଅବସରରେ ପ୍ରତିନିଧି ଦଳ ପ୍ରଭାବିତ ପରିବାର, ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି, ମହିଳା ଓ ସାନ୍ତାଳ ସମ୍ପ୍ରଦାୟର ଅନ୍ୟ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଅଭିଯୋଗ ଓ ସମସ୍ୟା ଶୁଣିବା ସହ ଘଟଣା ସମ୍ପର୍କରେ ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ କରିଥିଲେ | ଘଟଣା ସମ୍ପର୍କରେ ଶୁଣିବା ପରେ ପ୍ରତିନିଧି ଦଳ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ଆଦିବାସୀ ସମ୍ପ୍ରଦାୟର ଧାର୍ମିକ ଭାବନା, ପାରମ୍ପରିକ ପ୍ରଥା, ସାଂସ୍କୃତିକ ଐତିହ୍ୟ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ |ଏହି ପ୍ରତିନିଧି ଦଳରେ ପୂର୍ବତନ ଉପବାଚସ୍ପତି ଶ୍ରୀ ସାନନ୍ଦ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ପୂର୍ବତନ ବିଧାୟକ ଶ୍ରୀ ଧନୁର୍ଜୟ ସିଦ୍ଧୁ, ଶ୍ରୀ ମାଧବ ସର୍ଦ୍ଦାର, ଶ୍ରୀ ଦେବାଶିଷ ମାରାଣ୍ଡି, ଡଃ ପ୍ରିୟବ୍ରତ ମାଝୀ, ବିଜେଡି କେନ୍ଦୁଝର ଜିଲ୍ଲା ସଭାପତି ଶ୍ରୀ ଆଶିଷ ଚକ୍ରବର୍ତ୍ତୀ ଓ ଜିଲ୍ଲା ଛାତ୍ର ସଭାପତି ଶ୍ରୀ ଅମରେନ୍ଦ୍ର ଧଳଙ୍କ ସମେତ ଅନ୍ୟ ଦଳୀୟ ନେତା ଓ କର୍ମୀମାନେ ସାମିଲ ଥିଲେ।
