କାନ୍ଦିଲେ ନେମାର- ବ୍ରାଜିଲର ବଡ଼ ହାରର ଝଟକା
ଆଣ୍ଠୁରେ ସର୍ଜରୀ ଓ ଖରାପ ଫିଟନେସ ସତ୍ତ୍ୱେ ୩୪ ବର୍ଷୀୟ ନେମାର ଜୁନିୟରଙ୍କୁ ବିଶ୍ୱକପରେ ସାମିଲ୍ କରିଥିଲା ବ୍ରାଜିଲ୍ ଟିମ୍। ଆଶା ଥିଲା, ଶେଷ ପ୍ରୟାସରେ ବାଜି ମାରିବେ। ଆଉ ଏଭଳି ମହାନ ଖେଳାଳୀ ନିଜ କ୍ୟାରିଅରରେ ପ୍ରଥମ ଥର ବିଶ୍ୱକପ ଟ୍ରଫି ଉଠାଇବେ ବୋଲି ଏହାକୁ ଶେଷ ମଉକା ଭାବିଥିଲା ବ୍ରାଜିଲ୍।

ଫିଫା ବିଶ୍ୱକପରୁ ବିଦା ପରେ ପିଲାଙ୍କ ଭଳି କାନ୍ଦିଲେ ନେମାର। ମୈଦାନରେ ଗୁମସୁମ ହୋଇ ବସିପଡ଼ିଲେ। ନେମାରଙ୍କ ଏଭଳି ଦୁଃଖରେ ଭାଙ୍ଗିପଡ଼ିବା ଦେଖି ସାଥୀ ଖେଳାଳୀଙ୍କ ବି ଭାଙ୍ଗିଗଲା ହୃଦୟ। ଆଣ୍ଠୁରେ ସର୍ଜରୀ ଓ ଖରାପ ଫିଟନେସ ସତ୍ତ୍ୱେ ୩୪ ବର୍ଷୀୟ ନେମାର ଜୁନିୟରଙ୍କୁ ବିଶ୍ୱକପରେ ସାମିଲ୍ କରିଥିଲା ବ୍ରାଜିଲ୍ ଟିମ୍। ଆଶା ଥିଲା, ଶେଷ ପ୍ରୟାସରେ ବାଜି ମାରିବେ। ଆଉ ଏଭଳି ମହାନ ଖେଳାଳୀ ନିଜ କ୍ୟାରିଅରରେ ପ୍ରଥମ ଥର ବିଶ୍ୱକପ ଟ୍ରଫି ଉଠାଇବେ ବୋଲି ଏହାକୁ ଶେଷ ମଉକା ଭାବିଥିଲା ବ୍ରାଜିଲ୍। କିନ୍ତୁ ରାଉଣ୍ଡ ଅଫ-୧୬ରେ ନରଓ୍ୱେରୁ ୨-୧ରେ ହାରିଗଲା ବ୍ରାଜିଲ। ଆଉ ଏହି ପରାଜୟ ସହ ବିଶ୍ୱକପରୁ ବିଦା ହୋଇଯାଇଛି ଏହି ଶକ୍ତିଶାଳୀ ଟିମ୍। ରବିବାର ନ୍ୟୁୟର୍କର ମେଟାଲାଇଫ ଷ୍ଟାଡିୟମରେ କର ବା ମର ସ୍ଥିତି ଥିଲା ବ୍ରାଜିଲ ପାଇଁ। ସ୍କୋରବୋର୍ଡ ଅଲଗା କଥା କହୁଥିଲା। କାରଣ ଖେଳର ଅନ୍ତିମ ସେକେଣ୍ଡରେ ନେମାରଙ୍କ ଦ୍ୱାରା କରାଯାଇଥିବା ପେନାଲଟି ଗୋଲ୍ କେବଳ ପରାଜୟର ଅନ୍ତରକୁ ସିନା କମ୍ କଲା। ହେଲେ ନରଓ୍ୱେର ଷ୍ଟାର ଏଲିଙ୍ଗ ହାଲେଡରେ ଦୁଇଟି ଗୋଲ୍ କରି ବହୁ ଆଗରୁ ମ୍ୟାଚକୁ ବ୍ରାଜିଲ ହାତରୁ ଛଡ଼ାଇ ନେଇସାରିଥିଲେ। ହାରିଗଲା ପରେ ନେମାରଙ୍କ କାନ୍ଦିବାର ଭିଡ଼ିଓ ପୁରା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନେମାରଙ୍କ ଆଖିରୁ ଲୁହ ଦେଖି ତାଙ୍କ ଅଗଣିତ ଫ୍ୟାନ୍ସ ବି ଭାବବିହ୍ୱଳ ହୋଇପଡ଼ିଛନ୍ତି। ଏହି ହାର ସହ ଇଣ୍ଟରନାସନାଲ ଫୁଟବଲକୁ ଅଲବିଦା କହିଛନ୍ତି ନେମାର। ଟିମ ବିଶ୍ୱକପରୁ ବିଦା ହେବା ମାତ୍ରେ ନେଇଗଲେ ସନ୍ୟାସ।
