୨୨ ବର୍ଷ ପରେ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ମିଳିଲା ନ୍ୟାୟ, ମାମଲାରୁ ଦୋଷମୁକ୍ତ କଲେ କୋର୍ଟ
ପୂର୍ବତନ ଭାରତୀୟ କ୍ରିକେଟର ଜୈକବ ମାର୍ଟିନଙ୍କୁ ବଡ଼ ଆଶ୍ୱସ୍ତି। ନକଲି ଇମିଗ୍ରେସନ୍ ଷ୍ଟାମ୍ପ, ଆର୍ଥିକ କାରବାରରେ ଅନିୟମିତତା ଏବଂ ଅନ୍ୟାନ୍ୟ ଅଭିଯୋଗରେ ଦୋଷମୁକ୍ତ କଲେ ପଟିଆଲା ହାଉସ୍ କୋର୍ଟ।

ନୂଆଦିଲ୍ଲୀ: ଦୀର୍ଘ ୨୨ ବର୍ଷ ଧରି ଚାଲିଥିବା ଏକ ପୁରୁଣା ମାମଲାରେ ପୂର୍ବତନ ଭାରତୀୟ କ୍ରିକେଟର ଜୈକବ ମାର୍ଟିନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ପଟିଆଲା ହାଉସ୍ କୋର୍ଟ ତାଙ୍କୁ ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗରୁ ଦୋଷମୁକ୍ତ କରିଛନ୍ତି। ମାର୍ଟିନଙ୍କ ବିରୋଧରେ ୨୦୦୪ ମସିହାରେ ନକଲି ଇମିଗ୍ରେସନ୍ ଷ୍ଟାମ୍ପ, ଆର୍ଥିକ କାରବାରରେ ଅନିୟମିତତା ଏବଂ ଅନ୍ୟାନ୍ୟ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ଭାରତୀୟ ଦଣ୍ଡ ସଂହିତାର ଧାରା ୪୨୦, ୪୬୮, ୪୭୧ ଓ ୧୨୦-ବି ଅଧୀନରେ FIR ରୁଜୁ ହୋଇଥିବା ବେଳେ ପାସପୋର୍ଟ ଆଇନର ଧାରା ୧୨ ଅଧୀନରେ ମଧ୍ୟ ମାମଲା ହୋଇଥିଲା। ଅଭିଯୋଗ ଥିଲା ଯେ ନକଲି ଇମିଗ୍ରେସନ୍ ଷ୍ଟାମ୍ପ, ଯାତାୟାତ ବ୍ୟବସ୍ଥା ଏବଂ ଆର୍ଥିକ କାରବାର ସହ ମାର୍ଟିନଙ୍କ ସମ୍ପୃକ୍ତି ରହିଥିଲା। ଏହା ସହିତ ଅଜୱା ସ୍ପୋର୍ଟସ୍ କ୍ଲବ୍ର ନିୟନ୍ତ୍ରଣ କିମ୍ବା ମାଲିକାନା ସହ ତାଙ୍କ ସମ୍ପର୍କ ଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା। ତେବେ ଦୀର୍ଘ ଶୁଣାଣି ପରେ ଅଭିଯୋଗଗୁଡ଼ିକୁ ପ୍ରମାଣ କରିବା ପାଇଁ ପର୍ଯ୍ୟାପ୍ତ ଠୋସ ପ୍ରମାଣ ଉପସ୍ଥାପନ କରାଯାଇପାରିନଥିବାରୁ କୋର୍ଟ ମାର୍ଟିନଙ୍କୁ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ କରିଛନ୍ତି।
କୋର୍ଟଙ୍କ ରାୟ ପରେ ଜୈକବ ମାର୍ଟିନ ଗଣମାଧ୍ୟମ ସମ୍ମୁଖରେ ନିଜ ପକ୍ଷ ରଖିଥିଲେ। ତାଙ୍କ କହିବା ଅନୁସାରେ, ୨୦୦୪ରେ ତାଙ୍କ ଦଳର ଜଣେ ସଦସ୍ୟ ୟୁକେରେ ଭିଜାର ସମୟସୀମା ଶେଷ ହୋଇଯିବା ପରେ ମଧ୍ୟ ସେଠାରେ ରହିଯାଇଥିଲେ। ପରେ ନକଲି ଇମିଗ୍ରେସନ୍ ଷ୍ଟାମ୍ପ ବ୍ୟବହାର କରି ଭାରତ ଫେରିଥିବା ଅଭିଯୋଗକୁ ନେଇ ମାମଲା ଆଗକୁ ବଢ଼ିଥିଲା। ମାର୍ଟିନଙ୍କ ଦାବି ଅନୁଯାୟୀ, ପ୍ରାରମ୍ଭିକ FIRରେ ତାଙ୍କ ନାଁ ନଥିଲା। କିନ୍ତୁ ତଦନ୍ତ ସମୟରେ ତାଙ୍କ ନାଁ ମାମଲାରେ ସାମିଲ କରାଯାଇଥିଲା। ମାର୍ଟିନ କହିଛନ୍ତି ଯେ ଏହି ମାମଲା ତାଙ୍କ ଉପରେ ଦୀର୍ଘ ସମୟ ଧରି ମାନସିକ ଚାପ ସୃଷ୍ଟି କରିଥିଲା। ଅଭିଯୋଗ ଯୋଗୁଁ ତାଙ୍କୁ ବ୍ୟକ୍ତିଗତ ଏବଂ ପେସାଗତ ଭାବେ ମଧ୍ୟ କ୍ଷତି ସହିବାକୁ ପଡ଼ିଥିବା ସେ କହିଛନ୍ତି। ସେ କହିଛନ୍ତି, “FIRରେ ମୋ ନାଁ ନଥିଲା। କିନ୍ତୁ ତଦନ୍ତ ସମୟରେ ମୋ ନାଁ ସାମିଲ କରାଯାଇଥିଲା। ମୁଁ ଜଣେ ଅନ୍ତର୍ଜାତୀୟ କ୍ରିକେଟର ହୋଇଥିବାରୁ ହୁଏତ ମୋ ନାଁ ସାମିଲ କରାଯାଇଥିଲା। ଏହା ଯୋଗୁଁ ମୋ ଉପରେ ବହୁତ ମାନସିକ ଚାପ ପଡ଼ିଥିଲା। ଏବେ ରାୟ ଆସିଛି ଏବଂ ମୁଁ ଦୋଷମୁକ୍ତ ହୋଇଛି। ୨୨ ବର୍ଷ ପରେ ଏହା ମୋର ବଡ଼ ୟୁ-ଟର୍ନ।”
