No HC Relief For Rahul Gandhi: ମୋଦିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ- ରାହୁଲ ଗାନ୍ଧୀଙ୍କୁ ଅଦାଲତି ଝଟକା
ଏଭଳି ବୟାନ ପ୍ରଧାନମନ୍ତ୍ରୀଙ୍କ ସମେତ ସତ୍ତାରୁଢ଼ ଦଳ ଓ ଏହାର ସଦସ୍ୟଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି। କୋର୍ଟ କହିଥିଲେ, ଏହି ବୟାନରେ ବାସ୍ତବିକ ଉଦେଶ୍ୟ କଅଣ ଥିଲା। ଏହା ଦଳୀୟ ସଦସ୍ୟଙ୍କ ଉପରେ କି ପ୍ରଭାବ ପକାଉଛି ଶୁଣାଣୀ ବେଳେ ବିଚାର କରାଯିବ।

ଚୋରୋଁ କା ସର୍ଦ୍ଦାର ଓ କମାଣ୍ଡର-ଇନ-ଥିଫ୍ ଟିପ୍ପଣୀ ସହ ଜଡ଼ିତ ଅପରାଧିକ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଝଟକା। ମାମଲା ରଦ୍ଦ ଲାଗି ପଡ଼ିଥିବା ପିଟିସନକୁ ଖାରଜ କରିଦେଇଛନ୍ତି ବମ୍ୱେ ହାଇକୋର୍ଟ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଚୌକିଦାର ଚୋର୍ ହେ, ଚୋରୋଁ କେ ସର୍ଦ୍ଦାର ଓ କମାଣ୍ଡର-ଇନ-ଥିଫ୍ ଭଳି ଟିପ୍ପଣୀ ଦେଇଥିଲେ ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ ଏ ମାମଲାରେ ମାଜିଷ୍ଟ୍ରେଟ କୋର୍ଟଙ୍କ ପକ୍ଷରୁ ଜାରି ସମନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ। ତାଙ୍କର ତର୍କ ଥିଲା ଯେ, ଏ ଅଭିଯୋଘ ଶୁଣାଣୀଯୋଗ୍ୟ ନୁହେଁ। କାରଣ ସେ ନିଜ ବୟାନରେ କୌଣସି ରାଜନୀତିକ ଦଳର ନାଁ ନେଇନଥିଲେ ନା କାହାର ପରିଚୟ ଜଣାପଡ଼ିବା ଭଳି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷକୁ ସେ ଟାର୍ଗେଟ କରିଥିଲେ। ଜଷ୍ଟିସ ନିତିନ ବୋରକରଙ୍କ ଜଣିକିଆ ଖଣ୍ଡପୀଠ ରାହୁଲଙ୍କ ଦଲିଲକୁ ଖାରଜ କରିବା ସହ କହିଛନ୍ତି, ବିଜେପି ଏକ ପଞ୍ଜୀକୃତ ରାଜନୈତିକ ଦଳ ଅଟେ। ସେଥିଲାଗି ତାହା ନିଶ୍ଚିତ ଭାବେ ଏକ ପରିଚୟ ଯୋଗ୍ୟ ସଂସ୍ଥା ଅଟେ। ଅଭିଯୋଗକାରୀଙ୍କ ଦାବି ଯେ, ସେ ଦୁଇ ଦଶନ୍ଧି ଧରି ବିଜେପିର ସକ୍ରିୟ ସଦସ୍ୟ। ବିଜେପି ସଦସ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କମାଣ୍ଡର-ଇନ-ଥିଫ୍ କହିଥିବା ବୟାନକୁ କେବଳ ଦଳର ବରିଷ୍ଠ ନେତୃତ୍ୱ ଯାଏ ସୀମିତ ରଖାଯାଇପାରିବନି। ଏଭଳି ବୟାନ ପ୍ରଧାନମନ୍ତ୍ରୀଙ୍କ ସମେତ ସତ୍ତାରୁଢ଼ ଦଳ ଓ ଏହାର ସଦସ୍ୟଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି। କୋର୍ଟ କହିଥିଲେ, ଏହି ବୟାନରେ ବାସ୍ତବିକ ଉଦେଶ୍ୟ କଅଣ ଥିଲା। ଏହା ଦଳୀୟ ସଦସ୍ୟଙ୍କ ଉପରେ କି ପ୍ରଭାବ ପକାଉଛି ଶୁଣାଣୀ ବେଳେ ବିଚାର କରାଯିବ। ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ଆଗରେ ରାହୁଲଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ବିଜେପି କର୍ମୀ ମହେଶ ଶ୍ରୀଶ୍ରିମଲ। ମାଜିଷ୍ଟ୍ରେଟ ରାହୁଲଙ୍କୁ ସମନ କରିଥିଲେ। ରାହୁଲଙ୍କ ପିଟିସନକୁ ବିରୋଧ କରିଥିଲେ ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ରର ଆଡଭୋକେଟ ଜେନେରାଲ ମିଲିନ୍ଦ ସାଠେ କହିଥିଲେ, କୋର୍ଟକୁ ଏହା ଦେଖିବାକୁ ପଡ଼ିବ ଯେ, ମାନହାନି ଅପରାଧ ପାଇଁ ଆବଶ୍ୟକୀୟ ତତ୍ତ୍ୱ ଉପଲବ୍ଧ ଅଛି କି ନାହିଁ। ଆଉ କଅଣ ଏଭଳି ଟିପ୍ପଣୀ କୌଣସି ନିଶ୍ଚିତ ଓ ପରିଚୟ ଯୋଗ୍ୟ ସମୂହ ଉଦ୍ଦେଶ୍ୟରେ ଥିଲା କି। ଯଦି କୌଣସି ପରିଚୟ ଯୋଗ୍ୟ ସମୂହକୁ ଏହା ଟାର୍ଗେଟ କରୁଥିବ, ତାହେଲେ ଆଇନ କୌଣସି ପୀଡ଼ିତ ବ୍ୟକ୍ତି ସପକ୍ଷରେ ମାମଲା ଆରମ୍ଭ କରିବାକୁ ଅନୁମତି ଦେଇଥାଏ। ସେଥିଲାଗି ଏଭଳି ସ୍ତରରେ କେସକୁ ରଦ୍ଦ କରାଯିବା କଥା ନୁହେଁ।
