Congress On CEC:ଜ୍ଞାନେଶ କୁମାରଙ୍କ ରାମ ମନ୍ଦିର ଟ୍ରଷ୍ଟ ସଦସ୍ୟତାକୁ ନେଇ ବିବାଦ
ଇନ୍ଦୋରରେ ସାମ୍ବାଦିକ ସମ୍ମିଳନୀ କରି ରାମ ମନ୍ଦିର ଟ୍ରଷ୍ଟର ଜମି କାରବାରଠାରୁ ଭୋଟର ତାଲିକା ସଂଶୋଧନ ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ନେତା ଦିଗ୍ବିଜୟ ସିଂହ। ରାମ ମନ୍ଦିର ଟ୍ରଷ୍ଟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ କଥିତ ଭୂମିକାକୁ ନେଇ ପ୍ରଶ୍ନ ଉଠାଇବା ସହ ଭୋଟ୍ ଚୋରିର ଆଣିଛନ୍ତି ଅଭିଯୋଗ।ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ସହ ଟ୍ରଷ୍ଟର ପରିଚାଳନା ବଦଳାଇବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି।
ଇନ୍ଦୋର:ରାମ ମନ୍ଦିର ଟ୍ରଷ୍ଟର ଜମି କାରବାର ଓ ଭୋଟର ତାଲିକା ସଂଶୋଧନକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ଏକାସାଙ୍ଗରେ ଘେରିଛନ୍ତି କଂଗ୍ରେସ ନେତା ଦିଗ୍ବିଜୟ ସିଂହ। ଅକ୍ଟୋବର ୧୭ରେ ମଧ୍ୟପ୍ରଦେଶର ଇନ୍ଦୋର ପ୍ରେସ୍ କ୍ଲବ୍ରେ ସାମ୍ବାଦିକ ସମ୍ମିଳନୀ କରି ସେ ରାମ ମନ୍ଦିର ଟ୍ରଷ୍ଟର କାର୍ଯ୍ୟପ୍ରଣାଳୀରେ ଅନିୟମିତତା ଅଭିଯୋଗ ଆଣିବା ସହ ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ କଥିତ ଭୂମିକା ଉପରେ ପ୍ରଶ୍ନ ଉଠାଇ ସେ ତାଙ୍କ ଇସ୍ତଫା ଦାବି କରିଛନ୍ତି।ସିଂହଙ୍କ ଅଭିଯୋଗ ଅନୁସାରେ, ବିଜେପି ଦ୍ୱାରା ପ୍ରାୟ ୨ କୋଟି ଟଙ୍କାରେ କିଣାଯାଇଥିବା ଏକ ଜମିକୁ ପରଦିନ ରାମ ଜନ୍ମଭୂମି ଟ୍ରଷ୍ଟକୁ ୧୮ କୋଟି ଟଙ୍କାରେ ବିକ୍ରିକରାଯାଇଥିଲା। ଏହି ଜମି କାରବାର ସହ ମନ୍ଦିର ନିର୍ମାଣ, ଠିକା ଓ ଦାନ ଅର୍ଥର ବ୍ୟବହାରର ସ୍ୱାଧୀନ ତଦନ୍ତ ଦାବି କରିଛନ୍ତି ସେ। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱାଧୀନ ପୁଷ୍ଟି ହୋଇନାହିଁ।
ଏହା ସହ ଜ୍ଞାନେଶ କୁମାରଙ୍କୁ ନେଇ ଚାଲିଥିବା ବିବାଦର ପ୍ରସଙ୍ଗ ମଧ୍ୟ ସେ ଉଠାଇଛନ୍ତି। ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (SIR) ସମୟରେ ଯୋଗ୍ୟ ଭୋଟରଙ୍କ ନାଁ କାଟିବା ଏବଂ ରାଜନୈତିକ ହସ୍ତକ୍ଷେପ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ନିର୍ବାଚନ ଆୟୋଗର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଆସୁଛନ୍ତି। ଦିଗ୍ବିଜୟ ମଧ୍ୟ CECଙ୍କ ଇସ୍ତଫା ଦାବି କରିଛନ୍ତି।ଟ୍ରଷ୍ଟର ପରିଚାଳନା ବ୍ୟବସ୍ଥାକୁ ନେଇ ସେ କହିଛନ୍ତି ଯେ ରାମ ଜନ୍ମଭୂମି ଟ୍ରଷ୍ଟକୁ ଭାଙ୍ଗି ଏହାର ଦାୟିତ୍ୱ ‘ରାମାଳୟ ଟ୍ରଷ୍ଟ’କୁ ଦିଆଯାଉ। ଏଥିରେ ବିଭିନ୍ନ ପୀଠର ଶଙ୍କରାଚାର୍ଯ୍ୟ, ରାମାନନ୍ଦ ସମ୍ପ୍ରଦାୟର ସନ୍ଥ, ନିର୍ମୋହୀ ଆଖଡ଼ା ଓ ଗୋରଖନାଥ ମଠର ପ୍ରତିନିଧିଙ୍କୁ ସାମିଲ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ମନ୍ଦିର ଓ ଧାର୍ମିକ ସଂସ୍ଥାର ଆୟବ୍ୟୟର ନିୟମିତ ସ୍ୱାଧୀନ ଅଡିଟ୍ ସହ ଦାନର ହିସାବ ସାର୍ବଜନୀନ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।ପ୍ରେସ୍ମିଟ୍ରେ ସେ ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାରୀ ମାମଲା ଓ ଉଜ୍ଜୟିନୀରେ ଜମି ଆବଣ୍ଟନ ସମ୍ପର୍କିତ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଏହା ସହ ଅକ୍ଟୋବର ୨୦ରୁ ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିରରୁ ଅଯୋଧ୍ୟାର ରାମ ମନ୍ଦିର ପର୍ଯ୍ୟନ୍ତ ‘ସତ୍ୟ ସନାତନ ସ୍ୱାଭିମାନ ଯାତ୍ରା’ ଆରମ୍ଭ କରିବାକୁ ସିଂହ ଘୋଷଣା କରିଛନ୍ତି। ପ୍ରାୟ ୯୩୦ କିଲୋମିଟରର ଏହି ଯାତ୍ରାରେ ଧାର୍ମିକ ସଂସ୍ଥାର ପାରଦର୍ଶିତା ଓ ଭୋଟର ଅଧିକାର ପ୍ରସଙ୍ଗ ଉଠାଯିବ।
