Abhijeet Dipke Arrested:ତ୍ରିରଙ୍ଗା ରାଲି ପୂର୍ବରୁ ଅଭିଜିତ ଗିରଫ-ଆଜି କୋର୍ଟରେ ହାଜର
'କକରୋଚ୍ ଜନତା ପାର୍ଟି' (CJP) ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଶାନ୍ତି ଭଙ୍ଗ ଅଭିଯୋଗରେ ଦିଲ୍ଲୀ ପୋଲିସ ଗିରଫ କରିଛି। ଆଜି ଅପରାହ୍ନରେ ତାଙ୍କୁ ଏସ୍.ଇ.ଏମ୍ (ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍) କୋର୍ଟରେ ହାଜର କରାଯିବ ଏବଂ ଜାମିନ ସର୍ତ୍ତ ଉଲ୍ଲଂଘନ କରିଥିବା କାରଣରୁ ତାଙ୍କୁ ତିହାର ଜେଲକୁ ପଠାଯାଇପାରେ।ଏହି କାର୍ଯ୍ୟାନୁଷ୍ଠାନ ପରେ ତାଙ୍କ ଓକିଲଙ୍କୁ ଭେଟିବା ସୁଯୋଗ ମିଳିନଥିବା ନେଇ ଦଳ ପ୍ରଶ୍ନ ଉଠାଇଛି।
ନୂଆଦିଲ୍ଲୀ: ଦିଲ୍ଲୀରେ ‘ଲେହରା ଦୋ ତିରଙ୍ଗା’ ରାଲିକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ପୁଲିସ ଗିରଫ କରିଛି। ଶୁକ୍ରବାର ତାଙ୍କୁ ହେପାଜତକୁ ନିଆଯାଇଥିବାବେଳେ ଶନିବାର ତାଙ୍କ ବିରୋଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୨୬ ଓ ୧୭୦ ଅନୁଯାୟୀ ଶାନ୍ତି ଭଙ୍ଗ ଆଶଙ୍କାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ତାଙ୍କୁ ସ୍ୱତନ୍ତ୍ର ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ (SEM)ଙ୍କ ଅଦାଲତରେ ହାଜର କରାଯିବାର ସୂଚନା ରହିଛି। ଶୁକ୍ରବାର ଦିଲ୍ଲୀର କନଟ୍ ପ୍ଲେସ୍ସ୍ଥିତ ସେଣ୍ଟ୍ରାଲ ପାର୍କରେ CJP ପକ୍ଷରୁ ‘ଲେହରା ଦୋ ତିରଙ୍ଗା’ ରାଲି ଆୟୋଜନ କରାଯିବାର ଯୋଜନା ଥିଲା। ତେବେ ପୁଲିସର ଅନୁମତି ନଥିବାରୁ ରାଲିକୁ ରୋକିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ମତଦାତା ତାଲିକାର ସ୍ୱତନ୍ତ୍ର ସଂଶୋଧନକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏହି ଆନ୍ଦୋଳନର ପ୍ରମୁଖ ଉଦ୍ଦେଶ୍ୟ ଥିଲା।
ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ ଏହି କଟକଣା ଲାଗୁ ହୋଇଥିଲା। CJPର ଆଇନ ବିଭାଗ ମୁଖ୍ୟ ରତ୍ନା ସିଂହ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ଯେ ଅଭିଜିତଙ୍କ ଅବସ୍ଥିତି ସମ୍ପର୍କରେ ଦଳକୁ ସୂଚନା ମିଳିନଥିଲା ଏବଂ ଓକିଲମାନେ ତାଙ୍କୁ ଭେଟିପାରିନଥିଲେ। ଅନ୍ୟପଟେ, ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA)ର ଅଧ୍ୟକ୍ଷା ନେହା ବୋରାଙ୍କୁ ମଧ୍ୟ ଅଟକ ରଖାଯାଇଥିଲା। ପୁଲିସ ଆବଶ୍ୟକ ପ୍ରକ୍ରିୟା ଶେଷ କରିବା ପରେ ଶନିବାର ତାଙ୍କୁ କଡ଼ା ଚେତାବନୀ ଦେଇ ଛାଡ଼ି ଦେଇଛି। ଅନ୍ୟପଟେ, CJPର ସହ-ସଂଯୋଜକ ସୌରଭ ଦାସ ଓ ଆଶୁତୋଷ ରାଙ୍କା ଏବେ ମଧ୍ୟ ତିହାର ଜେଲ୍ରେ ଅଛନ୍ତି। ଜନ୍ତରମନ୍ତରରେ ବିନା ଅନୁମତିରେ ପ୍ରବେଶ କରିବା ଅଭିଯୋଗରେ ଅକ୍ଟୋବର ୧୪ରେ ଗିରଫ ହୋଇଥିବା ଏହି ଦୁଇ ନେତାଙ୍କୁ ପାଞ୍ଚ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଅଲଗା ଅଲଗା ଉଚ୍ଚ ସୁରକ୍ଷା ବାରାକ୍ରେ ରଖାଯାଇଛି। ଅନ୍ୟ କଏଦୀଙ୍କ ସହ ସମ୍ପର୍କ ରୋକିବାକୁ ମଧ୍ୟ ବ୍ୟବସ୍ଥା ହୋଇଛି। ମତଦାତା ତାଲିକାର ସ୍ୱତନ୍ତ୍ର ସଂଶୋଧନକୁ ନେଇ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ CJP ଓ ଅନ୍ୟ ସଂଗଠନଗୁଡ଼ିକ ଆନ୍ଦୋଳନ ଚଳାଇଛନ୍ତି। ତାଲିକାରୁ ନାମ ବାଦ୍ ପଡ଼ିବା ନେଇ ବିରୋଧୀଙ୍କ ଅଭିଯୋଗକୁ ନିର୍ବାଚନ କମିଶନ ଖଣ୍ଡନ କରିଛି। CJP ପକ୍ଷରୁ ଅଭିଜିତଙ୍କ ଅବସ୍ଥିତି ଓ ଓକିଲଙ୍କ ସହ ସାକ୍ଷାତକୁ ନେଇ ପ୍ରଶ୍ନ ଉଠାଯାଇଛି। ଏହି ଗିରଫଦାରୀକୁ ନେଇ ଦିଲ୍ଲୀରେ ରାଜନୈତିକ ବିବାଦ ଜାରି ରହିଛି।
