Governor Appointment Policy:ବିଜେପିର ଭେଟେରାନ ପ୍ରୀତି- ରାଜଭବନରେ ଥଇଥାନ!
ଓଡ଼ିଶା, କେରଳ, ସିକ୍କିମ, ତାମିଲନାଡ଼ୁ, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକରେ ସାମ୍ୱିଧାନିକ ପଦରେ ପଲିଟିକାଲ ଫିଗରଙ୍କୁ ପଠାଇଲେ। ମୋଦି ସରକାର ଅମଳରେ ପ୍ରତି ଅଦଳବଦଳ ବା ବଦଳିରେ ମୁଖ୍ୟତଃ ୩ଟି ଦିଗକୁ ବିବେଚନା କରାଯାଏ। କିଏ ନିଯୁକ୍ତି ପାଇଲେ, କୁଆଡ଼େ ଗଲେ ଓ ଏବେ କାହିଁକି। କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଦେଖି କେବଳ ଏ ବଦଳି ହୁଏନା। ଏହା ପଛରେ ବିଜେପିର ପୁରା ଫୁଲପ୍ରୁଫ୍ ବ୍ଲୁପ୍ରିଣ୍ଟ ଥାଏ।

ରାଜଭବନର ନାଁ ପରିବର୍ତ୍ତନ ହୋଇଛି ଲୋକଭବନ। ରାଜରାଜୁଡ଼ା ଅମଳର ନାଁକୁ ବଦଳାଇ ଏହା କେମିତି ଲୋକଙ୍କ ଭବନ ବୋଲି ପ୍ରତୀୟମାନ ହେବ, ସେ ଧାରଣା ନେଇ ଏଭଳି ପରିବର୍ତ୍ତନ ହୋଇଥିଲା। ନାଁ ତ ବଦଳିଲା। ହେଲେ ରାଜ୍ୟପାଳ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଯେଉଁ ଧାରା ଚାଲିଆସିଛି, ସେଥିରେ କୌଣସି ପରିବର୍ତ୍ତନ ହୋଇନି। ଚିରାଚରିତ ପୁରୁଣା ଫର୍ମାଟ ଚାଲିଛି। ରାଜ୍ୟପାଳଙ୍କ ପଦମର୍ଯ୍ୟାଦାକୁ ନେଇ ଅନେକ ଥର ଟିକାଟିପ୍ପଣୀ ବି ହୋଇଛି। ବିରୋଧୀ ପ୍ରାୟ ଆରୋପ ଲଦିଥାଆନ୍ତି ଯେ, ରାଜ୍ୟପାଳ କେବଳ ମୋହରା ସାଜି ରାଜ୍ୟ ସରକାରଙ୍କ ସବୁ କଥାରେ ହଁ ଭରନ୍ତି। କେନ୍ଦ୍ର ସରକାରଙ୍କ ଏଜେଣ୍ଟ ସାଜି ରାଜ୍ୟରେ ବିରୋଧୀ ଶାସିତ ଶାସନ ଥିଲେ, ନାନା ଆଳ ନେଇ ହଇରାଣ ହରକତ କରନ୍ତି। ନିରପେକ୍ଷ ଭାବେ କୌଣସି ନିଷ୍ପତ୍ତି ନେଇପାରନ୍ତିନି। ଯଦିଓ ସମ୍ୱିଧାନ ଅନୁସାରେ ସେ ରାଜ୍ୟର ପ୍ରଥମ ନାଗରିକ। ନିକଟରେ ୬ ରାଜ୍ୟର ରାଜ୍ୟପାଳ ପରିବର୍ତ୍ତନକୁ ନେଇ କିଛି ଏମିତି ଆଭାସ ଓ ସ୍ୱର ବିରୋଧୀ ମହଲରୁ ଶାଣିତ ହେବାରେ ଲାଗିଲାଣି। ରାଜଭବନରେ ବିଜେପିର ଖାସ୍ ଅନୁଗତଙ୍କୁ ଥଇଥାନ କରାଯାଇଛି। ପୁରୁଣା ଗାର୍ଡଙ୍କୁ ହଟାଇ ଦିଆଯାଇଛି। କାରଣ ଯେଉଁ ୬ଜଣ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି, ସେମାନେ ବିଜେପିର ଭେଟେରାନ୍। ଅକ୍ଟୋବର ୧୨ ବିଳମ୍ୱିତ ସଂଧ୍ୟାରେ ରାଜ୍ୟପାଳ ବଦଳି ଓ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ହୁଏତ ରୁଟିନ ଓ୍ୱାର୍କ ଲାଗିପାରେ। ହେଲେ ଯାହା ବାହାରକୁ ସରଳ ଦେଖାଯାଉଛି, ସେମିତି ନୁହେଁ। ରାଷ୍ଟ୍ରପତି ଭବନ ୨ଜଣ ରାଜ୍ୟପାଳଙ୍କୁ ବଦଳି କଲେ ଆଉ ୪ ଜଣଙ୍କୁ ନୂଆ ନିଯୁକ୍ତି ଦେଲେ। ଓଡ଼ିଶା, କେରଳ, ସିକ୍କିମ, ତାମିଲନାଡ଼ୁ, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକରେ ସାମ୍ୱିଧାନିକ ପଦରେ ପଲିଟିକାଲ ଫିଗରଙ୍କୁ ପଠାଇଲେ। ମୋଦି ସରକାର ଅମଳରେ ପ୍ରତି ଅଦଳବଦଳ ବା ବଦଳିରେ ମୁଖ୍ୟତଃ ୩ଟି ଦିଗକୁ ବିବେଚନା କରାଯାଏ। କିଏ ନିଯୁକ୍ତି ପାଇଲେ, କୁଆଡ଼େ ଗଲେ ଓ ଏବେ କାହିଁକି। କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଦେଖି କେବଳ ଏ ବଦଳି ହୁଏନା। ଏହା ପଛରେ ବିଜେପିର ପୁରା ଫୁଲପ୍ରୁଫ୍ ବ୍ଲୁପ୍ରିଣ୍ଟ ଥାଏ। କେମିତି, ଆସନ୍ତୁ ଜାଣିବା ଏ ରଣନୀତିରୁ। ଜାନୁଆରୀ ୨୦। ଜେପି ନଡ୍ଡାଙ୍କଠୁ ବିଜେପି ରାଷ୍ଟ୍ରୀୟ ସଭାପତି ଦାୟିତ୍ୱ ଗ୍ରହଣ କଲେ ନିତିନ ନବୀନ। ମେ ମାସରେ ସେ କିଛି ରାଜ୍ୟ ସଭାପତିଙ୍କୁ ପରିବର୍ତ୍ତନ କଲେ। ଅଗଷ୍ଟ ୧୭ରେ ଯେଉଁ ରାଷ୍ଟ୍ରୀୟ ଟିମ୍ ଘୋଷଣା କଲେ, ସେଥିରେ ମାତ୍ର ୮ ସାଧାରଣ ସମ୍ପାଦକଙ୍କ ଭିତରୁ ୨ ଜଣ ନିଜ ପଦ ବଜାୟ ରଖିପାରିଲେ। ସେପ୍ଟେମ୍ୱର ୨୩ରେ ପ୍ରତି ରାଜ୍ୟର ପ୍ରଭାରୀ ନାଁ ଘୋଷଣା କଲେ ନିତିନ। ଆଉ ଏବେ ନିତିନଙ୍କ ଟିମରେ ସ୍ଥାନ ପାଇନଥିବା ବା କୌଣସି କାରଣରୁ ଡ୍ରପ୍ ହୋଇଥିବା ନେତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଗଲା। ଅଗଷ୍ଟରେ ବିଜେପିର କୋର୍ ସଂଗଠନ ଟିମରୁ ବାଦ୍ ପଡ଼ିଥିଲେ ଦୁଷ୍ୟନ୍ତ ଗୌତମ। ଆଉ ଏବେ ତାଙ୍କୁ ସିକ୍କିମର ରାଜ୍ୟପାଳ କରାଯାଇଛି। ବିଜେପି ସଂସଦୀୟ ବୋର୍ଡରେ ଥିବା ସୁଧା ଯାଦବଙ୍କୁ କର୍ଣ୍ଣାଟକର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ବିଜେପିର କୋର୍ ମେମ୍ୱର ଥିବା ଓମ୍ ପ୍ରକାଶ ମାଥୁରଙ୍କୁ କେରଳ ଓ ପୂର୍ବତନ ସାଂସଦ ଧଳ ସିଂ ବିସେନଙ୍କୁ ଉତ୍ତରାଖଣ୍ଡ ରାଜ୍ୟପାଳ କରାଯାଇଛି। ୧୯୭୦ ମସିହାରୁ ଓମ୍ ପ୍ରକାଶ ମାଥୁର ଓ ପ୍ରଧାନମନ୍ତ୍ରୀ ମୋଦି ଆରଏସଏସ ପ୍ରଚାରକ ବେଳୁ ପରସ୍ପର ସହ ସମ୍ପର୍କରେ। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲା ବେଳେ ଗୁଜରାଟ ବିଜେପିର ନିୟନ୍ତ୍ରଣ ମାଥୁରଙ୍କ ହାତରେ ଥିଲା। ୨୦୧୪ରେ ମୋଦିଙ୍କ ଭଦୋଦରା ଲୋକସଭା ପୋଲ୍ କ୍ୟାମ୍ପେନର ମଙ୍ଗ ବି ଧରିଥିଲେ ମାଥୁର। କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକରେ ସୁଧା ଯାଦବଙ୍କୁ ରାଜ୍ୟପାଳ କରାଯାଇଛି। ସୁଧାଙ୍କ ସ୍ୱାମୀ ବିଏସଏଫ କମାଣ୍ଡାଣ୍ଟ ସୁଖବୀର ସିଂ ଯାଦବ ୧୯୯୯ କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିଲେ। ଏହାର କିଛି ମାସ ପରେ ହରିଆଣାର ମହେନ୍ଦ୍ରଗଡ଼ ଲୋକସଭା ଆସନରୁ ସେ ଲଢ଼ି ଜିତିଥିଲେ। ହେଲେ ୨୦୦୪ ଓ ୨୦୦୯ରେ ହାରିଯାଇଥିଲେ। ବିଜେପି ରାଷ୍ଟ୍ରୀୟ ସମ୍ପାଦକ ରହିଲେ। ଅଗଷ୍ଟ ୨୦୨୨ରେ ସରପ୍ରାଇଜ୍ ଚଏସ ଭାବେ ସଂସଦୀୟ ବୋର୍ଡରେ ସ୍ଥାନ ପାଇଥିଲେ। ଦୁଷ୍ୟନ୍ତ ଗୌତମ ନଡ୍ଡାଙ୍କ ଟିମରେ ସାଧାରଣ ସମ୍ପାଦକ ଥିଲେ। ତେଜସ୍ୱୀ ସୂର୍ଯ୍ୟ, ଅମିତ ମାଲଭିୟା ଓ ଅରୁଣ ସିଂଙ୍କ ସମେତ ତାଙ୍କୁ ଡ୍ରପ୍ କରାଯାଇଥିଲା। ଆଉ ୮ ମାସ ପରେ ଲୋକଭବନରେ ଏଣ୍ଟ୍ରି ପାଇ ପାଇଲେ ରିଓ୍ୱାର୍ଡ। ଓଡ଼ିଶାରେ ଝାଡ଼ଖଣ୍ଡର ଦଳିତ ନେତା ବ୍ରଜମୋହନ ରାମଙ୍କୁ ଦାୟିତ୍ୱ ମିଳିଛି। ଡକ୍ଟର ହରିବାକୁ କମ୍ଭମପାଟିଙ୍କୁ ଅଚାନକ ହଟାଇ ଦିଆଯାଇଛି। ଅକ୍ଟୋବର ୧୨ର ମଲଟି ଷ୍ଟେଟ ଅର୍ଡର ଆଉ ଏକ ଦିଗକୁ ବି ସୂଚାଇଛି। ସାଧାରଣ ରାଜ୍ୟକୁ ପାର୍ଟି ଭେଟେରାନ ଯେମିତିକି ହରିଭାଉ ବାଗଡେ, ସନ୍ତୋଷ ଗଙ୍ଗଓ୍ୱାର ଓ ରାମେନ ଡେକାଙ୍କୁ ପଠାଗଲା। ଆଉ ସମ୍ୱେଦନଶୀଳ ରାଜ୍ୟରେ ପ୍ରଶାସନିକ ଅଭିଜ୍ଞତା ଥିବା ବ୍ୟକ୍ତିତ୍ୱଙ୍କୁ ଦାୟିତ୍ୱ ଦିଆଗଲା। ଯେମିତିକି ପୂର୍ବତନ ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କୁ ମଣିପୁର, ପୂର୍ବତନ ଆର୍ମି ମୁଖ୍ୟ ଭି.କେ.ସିଂଙ୍କୁ ମିଜୋରାମ, ଲେଫ୍ଟନାଣ୍ଟ ଜେନେରାଲ ସୟେଦ ଅଟା ହସନୈନଙ୍କୁ ବିହାର, ପୂର୍ବତନ ଆମ୍ୱାସାଡ଼ର ତରଣଜିତ ସିଂ ସାନ୍ଧୁଙ୍କୁ ଦିଲ୍ଲୀରେ ନିଯୁକ୍ତି ମିଳିଛି। ବିଶେଷ କରି ବିରୋଧୀ ଶାସିତ ୩ ରାଜ୍ୟ କର୍ଣ୍ଣାଟକ, କେରଳ ଓ ତାମିଲନାଡ଼ୁରେ ରାଜ୍ୟପାଳ-ରାଜ୍ୟ ସରକାରଙ୍କ ଭିତରେ ସମ୍ପର୍କକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି।
