BJP Councilor Sreelekha:‘ମୁଁ ମୋଦି ଭକ୍ତ,ଦଳ ଛାଡ଼ିବିନି’, ଇସ୍ତଫାରୁ ୟୁ-ଟର୍ଣ୍ଣ
"ମୁଁ ମୋଦିଙ୍କ ଭକ୍ତ; ମୁଁ ଦଳ ଛାଡ଼ିନାହିଁ। ମୁଁ ଗର୍ବର ସହ କାଉନସିଲର ଭାବେ ସେବା ଜାରି ରଖିବି। ମୁଁ ଅନ୍ୟ କୌଣସି ଦଳରେ ଯୋଗ ଦେଉନାହିଁ।" ଗୋଟିଏ ସପ୍ତାହ ପୂର୍ବରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ ହେଲେ ଏବେ ନିଜର ବୟାନ ବଦଳାଇଛନ୍ତି କେରଳର ପୂର୍ବତନ ଡିଜିପି ତଥା ବିଜେପି କାଉନସିଲର୍ ଆର୍. ଶ୍ରୀଲେଖା |
କେରଳ:କେରଳର ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଥିବା ପୂର୍ବତନ ଡିଜିପି ତଥା ବିଜେପି କାଉନସିଲର୍ ଆର୍. ଶ୍ରୀଲେଖା ନିଜ ଇସ୍ତଫା ନିଷ୍ପତ୍ତିରୁ ଓହରି ଆସିଛନ୍ତି। ତିରୁବନନ୍ତପୁରମ୍ ନଗର ନିଗମରେ ଦେଖାଦେଇଥିବା ସମ୍ଭାବ୍ୟ ରାଜନୈତିକ ସଙ୍କଟ ମଧ୍ୟରେ ସେ ସ୍ପଷ୍ଟ କରିଛନ୍ତି ଯେ ସେ ବିଜେପି ଛାଡ଼ିନାହାନ୍ତି ଏବଂ ଆଗକୁ ମଧ୍ୟ କାଉନସିଲର୍ ଭାବେ ଦାୟିତ୍ୱ ତୁଲାଇବେ। ଶ୍ରୀଲେଖା ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି, “ମୁଁ ମୋଦୀ ଭକ୍ତ। ମୁଁ ଦଳ ଛାଡ଼ିନାହିଁ। ଗର୍ବର ସହ କାଉନସିଲର୍ ଭାବେ ରହିବି। ମୁଁ ଅନ୍ୟ କୌଣସି ଦଳକୁ ଯାଉନାହିଁ।” ଏହି ବୟାନ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚାଲିଥିବା ଅନୁମାନ ଉପରେ ବିରାମ ଲଗାଇଛି।
ଏହାର ଠିକ୍ ଏକ ସପ୍ତାହ ପୂର୍ବରୁ ସେ ମେୟର ଭି.ଭି. ରାଜେଶଙ୍କୁ ନିଜ ଇସ୍ତଫାପତ୍ର ଦେଇଥିବା କଥା ସାମ୍ନାକୁ ଆସିଥିଲା। ତେବେ ଏହି ଘଟଣା ପରେ ଦଳୀୟ ନେତାଙ୍କ ସହ ଆଲୋଚନାରୁ ତାଙ୍କ ନିଷ୍ପତ୍ତି ବଦଳିଥିବା ଜଣାପଡ଼ିଛି। ଶ୍ରୀଲେଖା କହିଛନ୍ତି, ସେ ହସ୍ପିଟାଲରେ ଥିବା ସମୟରେ ବିଜେପିର ବରିଷ୍ଠ ନେତାମାନେ ତାଙ୍କୁ ଭେଟିଥିଲେ ଏବଂ ଦଳ ନ ଛାଡ଼ିବାକୁ ପରାମର୍ଶ ଦେଇଥିଲେ। ଜାତୀୟ ମହିଳା ପ୍ୟାନେଲ୍ର ଅଧ୍ୟକ୍ଷ ହେବା ତାଙ୍କ ସ୍ୱପ୍ନ ନଥିଲା ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।
କେରଳର ପ୍ରଥମ ମହିଳା ଆଇପିଏସ୍ ଅଧିକାରୀ ଭାବେ ପରିଚିତ ଶ୍ରୀଲେଖା ପ୍ରାୟ ଦୁଇ ବର୍ଷ ପୂର୍ବେ ବିଜେପିରେ ଯୋଗ ଦେଇଥିଲେ ଏବଂ ପରେ ଦଳର ରାଜ୍ୟ ଉପସଭାପତି ହୋଇଥିଲେ। ମେୟର ପଦ ପାଇଁ ଦୌଡ଼ରେ ଭି.ଭି. ରାଜେଶଙ୍କଠାରୁ ପଛରେ ପଡ଼ିବା ପରଠାରୁ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା। ସେପଟେ କାଉନସିଲର ପଦରୁ ଇସ୍ତଫା ଦେବାର ତାଙ୍କ ନିଷ୍ପତ୍ତି ବିଜେପି ପାଇଁ ଏକ ବଡ଼ ଧକ୍କା ଥିଲା। ୧୦୧ ସଦସ୍ୟ ବିଶିଷ୍ଟ ଏହି ପୌର ସଂସ୍ଥାରେ ବିଜେପି ୫୧ ଜଣ କାଉନସିଲରଙ୍କ ସହାୟତାରେ କ୍ଷମତାରେ ରହିଛି। ଯଦି ଶ୍ରୀଲେଖା ନିଜ ଇସ୍ତଫା ନିଷ୍ପତ୍ତିରେ ଅଟଳ ରହିଥାନ୍ତେ, ତାହାଲେ ବିଜେପିର ସଦସ୍ୟ ସଂଖ୍ୟା ୪୯କୁ ଖସି ଆସିଥାନ୍ତା। ତେବେ, ତାଙ୍କ ନୂଆ ବୟାନ କେରଳ ବିଜେପିରେ ଏହି ବିବାଦକୁ କେତେଦୂର ଶାନ୍ତ କରିବ, ତାହା ଉପରେ ନଜର ରହିଛି।
