Dhruv Rathee:ଧୃବ ରାଠୀଙ୍କ ନାଗରିକତା ଓ ଭିସା ଯାଞ୍ଚ ଦାବି
'ଜଣେ ଜର୍ମାନ ନାଗରିକ କ’ଣ ଭାରତରେ ବିକ୍ଷୋଭ ପ୍ରଦର୍ଶନ କରିପାରିବେ?' ବେଙ୍ଗାଲୁରୁରେ ଏକ ପ୍ରତିବାଦରେ ଯୋଗଦେବା ପରେ ଲୋକପ୍ରିୟ ୟୁଟ୍ୟୁବର୍ ଧୃବ ରାଠୀଙ୍କୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଧୃବ ରାଠୀଙ୍କ ନାଗରିକତ୍ୱ ଓ ଭିସା ସ୍ଥିତିର ତଦନ୍ତ ଦାବି କରି ବିଜେପି ନେତା ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି।
ବିଜେପି ନେତା ତଥା ଅବସରପ୍ରାପ୍ତ ପୋଲିସ ଅଧିକାରୀ ଭାସ୍କର ରାଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ଲୋକପ୍ରିୟ ୟୁଟ୍ୟୁବର୍ ଧୃବ ରାଠୀଙ୍କ ନାଗରିକତା ଓ ଭିସା ସ୍ଥିତି ଯାଞ୍ଚ କରିବାକୁ ଦାବି କରିଛନ୍ତି । ଏହି ଚିଠି ଅକ୍ଟୋବର ୮,ଗୁରୁବାର ଦିନ ବେଙ୍ଗାଲୁରୁରେ ଏକ ଏସ୍ଆଇଆର୍ ବିରୋଧୀ ପ୍ରତିବାଦରେ ଧୃବ ଯୋଗଦେବା ପରେ ଲେଖା ଯାଇଥିଲା । ପତ୍ରରେ ଧୃବଙ୍କର ଜର୍ମାନ ନାଗରିକତା ଥିବା ଦାବି କରାଯାଇଥିଲା | ଭାସ୍କର ରାଓ ଆହୁରି ମଧ୍ୟ ତାଙ୍କ ଭାରତ ଆସିବାର ଆଧାର, ଭିସା କିମ୍ବା ଅନ୍ୟ ଅନୁମତି ସମ୍ପର୍କରେ ଯାଞ୍ଚ ଦାବି କରିଛନ୍ତି ଏବଂ ତାଙ୍କ ପୂର୍ବ ଭାରତ ଗସ୍ତ ସମୟରେ ମଧ୍ୟ ସେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କି ନାହିଁ, ତାହା ଯାଞ୍ଚ କରିବାକୁ କହିଛନ୍ତି।
ଘଟଣାର ଆରମ୍ଭ ଅକ୍ଟୋବର ୮ ତାରିଖରେ ବେଙ୍ଗାଲୁରୁର ଫ୍ରିଡମ୍ ପାର୍କରେ ଆୟୋଜିତ ପ୍ରତିବାଦରୁ ହେଇଥିଲା | ଯେଉଁଥିରେ ଧୃବଙ୍କ ସହ ଅଭିନେତା ପ୍ରକାଶ ରାଜ ଓ ଅନ୍ୟମାନେ ଯୋଗ ଦେଇଥିଲେ। ଭୋଟର ତାଲିକାରୁ ନାମ ବାଦ୍ ପଡ଼ିବା ନେଇ ଉଠିଥିବା ପ୍ରଶ୍ନ ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଏହି ପ୍ରତିବାଦ ହୋଇଥିଲା।ଭାସ୍କର ରାଓଙ୍କ ଚିଠିରେ ବିଦେଶୀ ନାଗରିକଙ୍କ ରାଜନୈତିକ ପ୍ରତିବାଦରେ ଅଂଶଗ୍ରହଣ, ଭିସା ସର୍ତ୍ତ ଓ ଇମିଗ୍ରେସନ୍ ନିୟମ ଉଲ୍ଲଂଘନ ହୋଇଛି କି ନାହିଁ, ତାହାର ତଦନ୍ତ ଦାବି କରାଯାଇଛି। ଧ୍ରୁବଙ୍କ ଭାରତ ଆସିବା ଓ ଫେରିବା ସମ୍ପର୍କିତ ରେକର୍ଡ ସୁରକ୍ଷିତ ରଖି ଯାଞ୍ଚ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ଯଦି କୌଣସି ନିୟମ ଉଲ୍ଲଂଘନ ପ୍ରମାଣିତ ହୁଏ, ତେବେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଭାସ୍କର ରାଓ ଚିଠିରେ ଦାବି କରିଛନ୍ତି ।
