Ram Mandir Row : ରାମ ମନ୍ଦିର ଦର୍ଶନକୁ ମନା କଲେ TMC ସାଂସଦ
ସୀତାଙ୍କ ଅପମାନ ନେଇ ପ୍ରଶ୍ନ, ରାମ ମନ୍ଦିର ଯିବେନି କୀର୍ତ୍ତି ଆଜାଦ ! ଅଯୋଧ୍ୟା ରାଜନୀତିରେ ନୂଆ ବିବାଦ |

ଉତ୍ତରପ୍ରଦେଶର ରାଜନୀତିରେ ଅଯୋଧ୍ୟା ଓ ରାମ ମନ୍ଦିରକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ ,ଏହା ସହିତ ଅଯୋଧ୍ୟା ରାଜନୀତିର ସେଣ୍ଟର ହୋଇରହିଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରସ୍ତାବିତ ଅଯୋଧ୍ୟା ଗସ୍ତକୁ ନେଇ ବିଜେପି ନେତାମାନେ ତାଙ୍କୁ ଟାର୍ଗେଟ୍ କରୁଥିବାବେଳେ ଏବେ ଟିଏମ୍ସି ସାଂସଦ କୀର୍ତ୍ତି ଆଜାଦଙ୍କ ବୟାନ ନୂଆ ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଛି | କୀର୍ତ୍ତି ଆଜାଦ ସ୍ପଷ୍ଟ କରିଛନ୍ତି ଯେ ସେ କେବେବି ରାମ ମନ୍ଦିର ଦର୍ଶନ କରିବାକୁ ଯିବେ ନାହିଁ। ଏହା ସହିତ ଭଗବାନ ରାମଙ୍କ ଦ୍ୱାରା ମାତା ସୀତାଙ୍କ ପ୍ରତି କରାଯାଇଥିବା ବ୍ୟବହାରକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
ମାତା ସୀତାଙ୍କୁ ନେଇ କ’ଣ କହିଲେ କୀର୍ତ୍ତି ଆଜାଦ?
କୀର୍ତ୍ତି ଆଜାଦ କହିଛନ୍ତି, ଦେଶରେ ଅନେକ ଦେବାଦେବୀ ଥିବାବେଳେ କେବଳ ଭଗବାନ ରାମଙ୍କୁ ନେଇ କାହିଁକି ଏତେ ଚର୍ଚ୍ଚା କରାଯାଉଛି? ଯେଉଁ ବ୍ୟକ୍ତି ନିଜ ପତ୍ନୀଙ୍କୁ ତ୍ୟାଗ କରିଥିଲେ ଏବଂ ଅଗ୍ନିପରୀକ୍ଷା ପରେ ମଧ୍ୟ ମାତା ସୀତାଙ୍କୁ ରାଜମହଲରୁ ବାହାର କରିଦେଇଥିଲେ, ତାଙ୍କ ମନ୍ଦିରକୁ ସେ କାହିଁକି ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି | ନିଜକୁ ମିଥିଳାର ବାସିନ୍ଦା ବୋଲି ପରିଚୟ ଦେଇ କୀର୍ତ୍ତି ଆଜାଦ କହିଛନ୍ତି ଯେ ମାତା ସୀତା ତାଙ୍କର ମାଆ ଏବଂ ମିଥିଳାର ପ୍ରତ୍ୟେକ ବ୍ୟକ୍ତିଙ୍କ ମାଆ। ଦୁଇ ନିରୀହ ସନ୍ତାନଙ୍କ ସହ ସୀତାଙ୍କୁ ଘରୁ ବାହାର କରିଦିଆଯାଇଥିଲା | ଏଭଳି ସ୍ଥିତିରେ ଭଗବାନ ରାମଙ୍କୁ 'ମର୍ଯ୍ୟାଦା ପୁରୁଷୋତ୍ତମ' କୁହାଯିବାର ଯଥାର୍ଥତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
ମାଆ କାଳୀଙ୍କ ଭକ୍ତ କୀର୍ତ୍ତି ଆଜାଦ
ନିଜ ଧାର୍ମିକ ବିଶ୍ୱାସ ସମ୍ପର୍କରେ ମଧ୍ୟ କୀର୍ତ୍ତି ଆଜାଦ ମତ ରଖିଛନ୍ତି। ସେ କହିଛନ୍ତି ଯେ ମାଆ କାଳୀ ତାଙ୍କର ଆରାଧ୍ୟ ଦେବୀ। ସେ କାମାକ୍ଷା ମନ୍ଦିର ସମେତ କାଳୀଘାଟ, ଦକ୍ଷିଣ କାଳୀ ଓ ଦିଲ୍ଲୀର ଗୋଲ୍ ମାର୍କେଟ୍ସ୍ଥିତ କାଳୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରନ୍ତି | ତାଙ୍କ ବାପା-ମାଆ ମାଆ ଦୁର୍ଗାଙ୍କ ଉପାସକ ଥିବାବେଳେ ସେ ନିଜେ ମାଆ କାଳୀଙ୍କ ଭକ୍ତ ବୋଲି କହିଛନ୍ତି। ଏହି ମନ୍ଦିରଗୁଡ଼ିକୁ ଯାଇ ମାଆ କାଳୀଙ୍କ ପୂଜା କରିବା ଦ୍ୱାରା ସେ ହିନ୍ଦୁ ନୁହନ୍ତି କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।
ଅଯୋଧ୍ୟାକୁ ନେଇ ବଢ଼ୁଛି ରାଜନୈତିକ ଚର୍ଚ୍ଚା
ଅଖିଳେଶ ଯାଦବଙ୍କ ପ୍ରସ୍ତାବିତ ଅଯୋଧ୍ୟା ଗସ୍ତକୁ ନେଇ ବିଜେପି ନେତାଙ୍କ ଟିପ୍ପଣୀ ମଧ୍ୟରେ କୀର୍ତ୍ତି ଆଜାଦଙ୍କ ଏହି ବୟାନ ରାମ ମନ୍ଦିରକୁ ନେଇ ରାଜନୈତିକ ବିତର୍କକୁ ଆହୁରି ତୀବ୍ର କରିଛି | ମାତା ସୀତାଙ୍କ ସମ୍ମାନ ପାଇଁ ସେ ସ୍ୱର ଉଠାଇବେ ବୋଲି କହିବା ସହ ରାମ ମନ୍ଦିରକୁ ନଯିବା ନିଷ୍ପତ୍ତିକୁ ପୁଣିଥରେ ଦୋହରାଇଛନ୍ତି |
