Punjab Stubble Burning:ଦୀପାବଳି ରାତିରେ ପଞ୍ଜାବର ଚାଷୀଙ୍କ ଜମିରେ ନିଆଁ
ଦୀପାବଳି ରାତିରେ ପଞ୍ଜାବରେ ପରାଳି ଜଳା ଘଟଣା ହଠାତ୍ ବଢ଼ିଥିବା ଦାବି କରିଛନ୍ତି ଦିଲ୍ଲୀ ମନ୍ତ୍ରୀ କପିଲ ମିଶ୍ର। ସାଟେଲାଇଟ୍ ତଥ୍ୟ ଆଧାରରେ ଏହା ପଛରେ ଯୋଜନାବଦ୍ଧ କାର୍ଯ୍ୟର ଅଭିଯୋଗ ଆଣିଛନ୍ତି ସେ।

ପଞ୍ଜାବ:ପଞ୍ଜାବରେ ଦୀପାବଳି ଦିନ ପରାଳି ଜଳା ଘଟଣାରେ ହଠାତ୍ ବୃଦ୍ଧିକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ଏହା ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିବା ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ମନ୍ତ୍ରୀ କପିଲ ମିଶ୍ର। ଚାଷୀମାନେ ଦୀପାବଳି ପାଳନ କରୁଥିବା ସମୟରେ କେହି ସେମାନଙ୍କ ଜମିରେ ନିଆଁ ଲଗାଇ ଫେରାର ହୋଇଯାଉଥିବା ଅଭିଯୋଗ ମିଳିଥିବା ସେ କହିଛନ୍ତି।ମିଶ୍ରଙ୍କ କହିବା ଅନୁସାରେ, ଏଭଳି ଅଭିଯୋଗ ପାଇବା ପରେ ସେ ସାଟେଲାଇଟ୍ ତଥ୍ୟ ଯାଞ୍ଚ କରିଥିଲେ। ନଭେମ୍ବର ୫, ୬ ଓ ୭ ତାରିଖରେ ପଞ୍ଜାବରେ ପ୍ରାୟ ୧୦୦ରୁ ୧୨୫ଟି ସ୍ଥାନରେ ପରାଳି ଜଳା ଘଟଣା ଚିହ୍ନଟ ହୋଇଥିବା ବେଳେ ନଭେମ୍ବର ୮ ତାରିଖ ଦୀପାବଳି ଦିନ ଏହି ସଂଖ୍ୟା ପ୍ରାୟ ୧୨୦୦କୁ ବୃଦ୍ଧି ପାଇଥିବା ସେ ଦାବି କରିଛନ୍ତି। ଏହାକୁ ଦଶଗୁଣ ବୃଦ୍ଧି ବୋଲି ଦର୍ଶାଇ ଘଟଣାର ତଦନ୍ତ ଦାବି କରିଛନ୍ତି ମନ୍ତ୍ରୀ।ତେବେ କମିଶନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (CAQM)ର ତଥ୍ୟ ଅନୁସାରେ, ନଭେମ୍ବର ୮ ତାରିଖରେ ପଞ୍ଜାବରେ ୧,୧୫୨ଟି ନୂଆ ପରାଳି ଜଳା ଘଟଣା ରେକର୍ଡ ହୋଇଥିଲା। ଏହା ଚଳିତ ଋତୁରେ ଗୋଟିଏ ଦିନର ସର୍ବାଧିକ ବୃଦ୍ଧି। ନଭେମ୍ବର ୮ ସୁଦ୍ଧା ରାଜ୍ୟରେ ମୋଟ ଘଟଣା ସଂଖ୍ୟା ୪,୪୫୯ରେ ପହଞ୍ଚିଥିଲା।ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କୁ ଏହି ଘଟଣାଗୁଡ଼ିକର ତଦନ୍ତ କରିବା ସହ ଆବଶ୍ୟକ ସ୍ଥଳେ ଏଫ୍ଆଇଆର୍ ରୁଜୁ କରିବାକୁ କପିଲ ମିଶ୍ର ଅନୁରୋଧ କରିଛନ୍ତି। ତେବେ ଜମିରେ ନିଆଁ ଲଗାଇବା ପଛରେ କାହାର ହାତ ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
