‘Belonging: A Journey of Love’: ସୋନିଆଙ୍କ ବହିକୁ ନେଇ ବଡ଼ ବିବାଦ
ଭାରତ ଆଗମନ, ରାଜୀବ ଗାନ୍ଧୀଙ୍କ ସହ ବିବାହ, ଇନ୍ଦିରା ଗାନ୍ଧୀଙ୍କ ହତ୍ୟା, ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ଏବଂ ରାଜନୀତିରେ ତାଙ୍କର ଦୀର୍ଘ ଯାତ୍ରା ସମ୍ପର୍କରେ ବର୍ଣ୍ଣନା ରହିଛି। କିନ୍ତୁ ପୁସ୍ତକ ରିଲିଜ୍ ପୂର୍ବରୁ ଏହାକୁ ନେଇ ରାଜନୈତିକ ଓ ପ୍ରକାଶନ ଜଗତରେ ବିବାଦ ଆରମ୍ଭ ହୋଇଥିଲା।

କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ତଥା ଗାନ୍ଧୀ ପରିବାରର ପ୍ରମୁଖ ସଦସ୍ୟ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘Belonging: A Journey of Love’ ଆଜି ଭାରତ ସମେତ ଅନ୍ତର୍ଜାତୀୟ ସ୍ତରରେ ରିଲିଜ୍ ହୋଇଛି। ୫୪୪ ପୃଷ୍ଠାର ଏହି ପୁସ୍ତକରେ ଇଟାଲୀରେ ତାଙ୍କ ପିଲାଦିନରୁ ଆରମ୍ଭ କରି ଭାରତ ଆଗମନ, ରାଜୀବ ଗାନ୍ଧୀଙ୍କ ସହ ବିବାହ, ଇନ୍ଦିରା ଗାନ୍ଧୀଙ୍କ ହତ୍ୟା, ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ଏବଂ ରାଜନୀତିରେ ତାଙ୍କର ଦୀର୍ଘ ଯାତ୍ରା ସମ୍ପର୍କରେ ବର୍ଣ୍ଣନା ରହିଛି। କିନ୍ତୁ ପୁସ୍ତକ ରିଲିଜ୍ ପୂର୍ବରୁ ଏହାକୁ ନେଇ ରାଜନୈତିକ ଓ ପ୍ରକାଶନ ଜଗତରେ ବିବାଦ ଆରମ୍ଭ ହୋଇଥିଲା। ବିଶେଷକରି ନରେନ୍ଦ୍ର ମୋଦି ସରକାର, RSS, ଗଲୱାନ୍ ଘଟଣା ଓ ସଂଖ୍ୟାଲଘୁଙ୍କ ସ୍ଥିତି ସମ୍ପର୍କିତ କିଛି ଅଂଶକୁ ନେଇ ପ୍ରକାଶକ ଓ ଲେଖକଙ୍କ ମଧ୍ୟରେ ମତଭେଦ ଥିଲା।
ପୁସ୍ତକରେ କ'ଣ ରହିଛି?
ଏହାର ପ୍ରକାଶକ: HarperCollins India (ଭାରତୀୟ ସଂସ୍କରଣ)। ଅନ୍ତର୍ଜାତୀୟ ପ୍ରକାଶକ: Alfred A. Knopf। ଏହି ପୁସ୍ତକରେ ସୋନିଆ ଗାନ୍ଧୀ ନିଜ ଜୀବନର ବ୍ୟକ୍ତିଗତ ଓ ପାରିବାରିକ ଅନୁଭୂତିକୁ ଲେଖିଛନ୍ତି। ପ୍ରମୁଖ ବିଷୟଗୁଡ଼ିକ ହେଲା- ଇଟାଲୀରେ ପିଲାଦିନ ଓ ପରିବାର। ରାଜୀବ ଗାନ୍ଧୀଙ୍କ ସହ ପରିଚୟ ଓ ପ୍ରେମ। ଭାରତକୁ ଆସିବା ପରେ ନୂଆ ସଂସ୍କୃତି ସହ ଖାପ ଖୁଆଇବା। ନେହେରୁ-ଗାନ୍ଧୀ ପରିବାରର ଜୀବନ। ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ହତ୍ୟା। କଂଗ୍ରେସ ରାଜନୀତିରେ ପ୍ରବେଶ ଓ ଦଳର ନେତୃତ୍ୱ। ସୋନିଆଙ୍କ କହିବା ଅନୁସାରେ, ଏହା କେବଳ ରାଜନୈତିକ ପୁସ୍ତକ ନୁହେଁ; ଏହା ତାଙ୍କ ପରିବାର, ସମ୍ପର୍କ, ଦୁଃଖ ଓ ଜୀବନ ଯାତ୍ରାର ବ୍ୟକ୍ତିଗତ କାହାଣୀ।
ପେଙ୍ଗୁଇନ୍ ପ୍ରକାଶକଙ୍କ ସହ ବିବାଦ କ'ଣ?
ଏହି ପୁସ୍ତକକୁ ନେଇ ସବୁଠାରୁ ବଡ଼ ବିବାଦ ହେଉଛି Penguin Random House India ସହ ପ୍ରକାଶନ ଚୁକ୍ତି ଭାଙ୍ଗିବା। ପ୍ରଥମେ ପୁସ୍ତକର ଭାରତୀୟ ସଂସ୍କରଣ ପ୍ରକାଶ କରିବା ପାଇଁ ପେଙ୍ଗୁଇନ୍ ସହ ଆଲୋଚନା ହୋଇଥିଲା। କିନ୍ତୁ ପ୍ରକାଶନ ପୂର୍ବରୁ ପୁସ୍ତକର କିଛି ଅଂଶରେ ସମ୍ପାଦନା ଓ କିଛି ବିଷୟ ବାଦ୍ ଦେବାକୁ ନେଇ ମତଭେଦ ଦେଖାଦେଇଥିଲା। ଏ ପ୍ରସଙ୍ଗ ଗୁଡ଼ିକ ହେଲା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨ ବର୍ଷର ଶାସନ, RSSର ଭୂମିକା, ଭାରତରେ ସାମ୍ପ୍ରଦାୟିକ ଦଙ୍ଗା ଓ ବିଭାଜନ, ସଂଖ୍ୟାଲଘୁ ସମ୍ପ୍ରଦାୟର ସ୍ଥିତି ଓ ଗଲୱାନ୍ରେ ଭାରତ-ଚୀନ୍ ସଂଘର୍ଷ। ପ୍ରକାଶକଙ୍କ ପକ୍ଷରୁ କିଛି ଅଂଶରେ ସଂଶୋଧନ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଲେଖିକାଙ୍କ ପକ୍ଷ ଏହାକୁ ନେଇ ସହମତ ହୋଇନଥିବାରୁ ଚୁକ୍ତି ଆଗକୁ ବଢ଼ିନଥିଲା। ସେପ୍ଟେମ୍ୱର ୪ରେ HarperCollins India ଘୋଷଣା କଲା ଯେ ସେମାନେ ଭାରତରେ ଏହି ପୁସ୍ତକ ପ୍ରକାଶ କରିବେ।
ପେଙ୍ଗୁଇନ୍ର ପକ୍ଷ କ'ଣ ଥିଲା?
ଏହି ବିବାଦରେ Penguin Random House India ମଧ୍ୟ ନିଜର ପକ୍ଷ ରଖିଥିଲା। ପ୍ରକାଶକ କହିଥିଲା- ପୁସ୍ତକର Fact-checking କରିବା ପ୍ରକାଶକଙ୍କ ସାଧାରଣ ଦାୟିତ୍ୱ। ଲେଖକଙ୍କୁ ସମ୍ପାଦନା ସମ୍ପର୍କିତ ପରାମର୍ଶ ଦେବା ପ୍ରକାଶନ ପ୍ରକ୍ରିୟାର ଅଂଶ। ସୋନିଆଙ୍କ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା। କୌଣସି ବାହ୍ୟ ଚାପରେ ପ୍ରକାଶକ ପୁସ୍ତକରୁ ଓହରି ନଥିଲା ବୋଲି ସଂସ୍ଥା ସ୍ପଷ୍ଟ କରିଥିଲା। ଅର୍ଥାତ୍, ଗୋଟିଏ ପଟେ କଂଗ୍ରେସ ପକ୍ଷରୁ ସେନ୍ସରସିପ୍ର ଅଭିଯୋଗ ଉଠିଥିଲା, ଅନ୍ୟପଟେ ପ୍ରକାଶକ ଏହାକୁ ସାଧାରଣ ସମ୍ପାଦନା ପ୍ରକ୍ରିୟା ବୋଲି କହିଥିଲା।
Operation Blue Starକୁ ନେଇ କ'ଣ ଲେଖାଯାଇଛି?
୧୯୮୪ ମସିହାର Operation Blue Star ଏହି ପୁସ୍ତକକୁ ନେଇ ଆଉ ଏକ ବିବାଦର କାରଣ ହୋଇଛି।ଏହି ସାମରିକ ଅଭିଯାନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ପରିସରରୁ ସଶସ୍ତ୍ର ଉଗ୍ରପନ୍ଥୀଙ୍କୁ ବାହାର କରିବା ପାଇଁ କରାଯାଇଥିଲା। ଏହା ପରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଦୁଇ ଶିଖ୍ ସୁରକ୍ଷାକର୍ମୀ ହତ୍ୟା କରିଥିଲେ।ଏହି ଐତିହାସିକ ଘଟଣା ସମ୍ପର୍କରେ ସୋନିଆଙ୍କ ବର୍ଣ୍ଣନାକୁ ନେଇ ରାଜନୈତିକ ମତଭେଦ ଦେଖାଦେଇଛି। କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି, Operation Blue Star ଦ୍ୱାରା ଶିଖ୍ ସମ୍ପ୍ରଦାୟ ଆଘାତ ପାଇଥିଲେ ଏବଂ ଏଥିପାଇଁ ଅନୁତାପ ପ୍ରକାଶ କରାଯାଇଥିଲା। ଏବେ ବିଜେପି ପଞ୍ଜାବ ନିର୍ବାଚନକୁ ଆଖିରେ ରଖି ପୁରୁଣା ଘଟଣାକୁ ପୁଣି ଉଠାଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ବିଜେପିର ପ୍ରତିକ୍ରିୟା: ଏହା ଆତ୍ମଜୀବନୀ ନା ଇତିହାସକୁ ସଫେଇ ଦେବାର ପ୍ରୟାସ?
ବିଜେପିର ଜାତୀୟ ମୁଖପାତ୍ର CR Kesavan ସୋନିଆଙ୍କ ପୁସ୍ତକକୁ ସମାଲୋଚନା କରିଛନ୍ତି। ତାଙ୍କ ଅଭିଯୋଗ ହେଉଛି, ନେହେରୁ-ଗାନ୍ଧୀ ପରିବାର ଓ କଂଗ୍ରେସ ଶାସନ ସମୟରେ ହୋଇଥିବା ବିବାଦୀୟ ଘଟଣାଗୁଡ଼ିକର ଭୂମିକାକୁ ଏହି ପୁସ୍ତକରେ ହାଲୁକା କରି ଦେଖାଇବାକୁ ଚେଷ୍ଟା କରାଯାଇଛି। ସେ ୧୯୮୪ ମସିହାର ଶିଖ୍ ବିରୋଧୀ ହିଂସା,ବାବ୍ରି ମସଜିଦ୍ ଭଙ୍ଗା, ବାଟଲା ହାଉସ୍ ଏନକାଉଣ୍ଟର ଓ ୨୬/୧୧ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଶ୍ନ କରିଛନ୍ତି। ଏସବୁ ଘଟଣାରେ ପୀଡ଼ିତ ଲୋକଙ୍କ ପ୍ରତି ସୋନିଆଙ୍କ ଆଭିମୁଖ୍ୟ କ'ଣ ଥିଲା?
କଂଗ୍ରେସର ଜବାବ କ'ଣ?
ସୋନିଆଙ୍କ ସମର୍ଥନରେ ବାହାରି କଂଗ୍ରେସ ନେତାଏ ଏହାର କାଉଣ୍ଟର କରିଛନ୍ତି। ବିଜେପି ପୁରୁଣା ଘଟଣାକୁ ଉଠାଇ ରାଜନୈତିକ ଫାଇଦା ନେବାକୁ ଚାହୁଁଛି ବୋଲି କହିଛନ୍ତି ପ୍ରମୋଦ ତିଓ୍ୱାରୀ କହିଛନ୍ତି। ଜେବି ମାଥେରଙ୍କ ମତରେ ଏହି ପୁସ୍ତକ ସୋନିଆ ଗାନ୍ଧୀଙ୍କ ଜୀବନ, ତ୍ୟାଗ, ଦୁଃଖ ଓ ସଂଘର୍ଷକୁ ବୁଝିବାର ଏକ ସୁଯୋଗ। ସୋନିଆ ଗାନ୍ଧୀଙ୍କ ଜୀବନର କଠିନ ସମୟ ଓ ତାଙ୍କ ଅନୁଭୂତିକୁ ବୁଝିବା ଆବଶ୍ୟକ ବୋଲି କହିଛନ୍ତି ଅଭିଷେକ ଦତ୍ତ। କଂଗ୍ରେସ ନେତାଙ୍କ ମତରେ, ଦୀର୍ଘ ସମୟ ଧରି ଅନ୍ୟମାନେ ସୋନିଆଙ୍କ ଜୀବନ ବିଷୟରେ ଲେଖିଛନ୍ତି। ଏବେ ସେ ନିଜେ ନିଜ କାହାଣୀ କହିବାର ସୁଯୋଗ ପାଇଛନ୍ତି।
ସୋନିଆଙ୍କ ପୁସ୍ତକକୁ ନେଇ ପୂର୍ବରୁ ମଧ୍ୟ ବିବାଦ ଥିଲା
ସୋନିଆ ଗାନ୍ଧୀଙ୍କ ଜୀବନକୁ ନେଇ ପୁସ୍ତକ ବିବାଦ ଏହା ପ୍ରଥମ ନୁହେଁ।The Red Sari ନାମକ ପୁସ୍ତକକୁ ନେଇ ମଧ୍ୟ ପୂର୍ବରୁ ବିବାଦ ହୋଇଥିଲା। ଏହାର ଲେଖକ Javier Moro। ପୁସ୍ତକଟି ପ୍ରଥମେ ୨୦୦୮ରେ ସ୍ପାନିଶ୍ ଭାଷାରେ ପ୍ରକାଶ ପାଇଥିଲା। ଏଥିରେ ସୋନିଆଙ୍କ ପିଲାଦିନରୁ ଭାରତ ଆସିବା ଓ ଗାନ୍ଧୀ ପରିବାରରେ ତାଙ୍କ ଜୀବନକୁ ନେଇ ଏକ କାହାଣୀ ରହିଥିଲା। କଂଗ୍ରେସ ପକ୍ଷରୁ ପୁସ୍ତକର ବର୍ଣ୍ଣନା ଓ କିଛି ତଥ୍ୟକୁ ନେଇ ଆପତ୍ତି ଉଠିଥିଲା। ଏହାର ଇଂରାଜୀ ସଂସ୍କରଣ ୨୦୧୫ରେ ଭାରତରେ ପ୍ରକାଶ ପାଇଥିଲା। ଏବେ ‘Belonging’କୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି।
