CJP Leaders Custody:CJP ନେତାଙ୍କ ହାଜତ ମିଆଦ ଆଉ ୨ ଦିନ ବଢ଼ିଲା
‘ଆଇନକୁ ସମ୍ମାନ ଦେଉନାହାନ୍ତି',CJP ନେତାଙ୍କ ଗିରଫଦାରୀ ମାମଲାରେ ଏଭଳି ଟିପ୍ପଣୀ ଦେଇଛନ୍ତି ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍। ଅନ୍ୟପଟେ, ଜନ୍ତରମନ୍ତରରେ ବିକ୍ଷୋଭ ମାମଲାରେ ଗିରଫ ହୋଇଥିବା CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ମିଳିନାହିଁ ଆଶ୍ୱସ୍ତି। ସେମାନଙ୍କ ଜାମିନ ଆବେଦନ ଖାରଜ କରିବା ସହ ନ୍ୟାୟିକ ହିରାସତକୁ ଆଉ ଦୁଇ ଦିନ ବଢ଼ାଇଛନ୍ତି ମାଜିଷ୍ଟ୍ରେଟ୍। ଜାମିନ ନମିଳିବା ପରେ ଏହାକୁ ନେଇ CJP ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ନୂଆଦିଲ୍ଲୀ:ନୂଆଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ କରିବା ମାମଲାରେ କକ୍ରୋଚ୍ ଜନତା ପାର୍ଟି (CJP)ର ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ନ୍ୟାୟିକ ହିରାସତ ଆଉ ଦୁଇ ଦିନ ବଢ଼ାଇଛନ୍ତି ଦିଲ୍ଲୀର ସ୍ପେଶାଲ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଋତୁ ରାଜ । ଦିଲ୍ଲୀ ପୋଲିସ ଜେରା ପାଇଁ ଆଉ ପାଞ୍ଚ ଦିନ ଅଧିକ ସମୟ ମାଗିଥିବା ବେଳେ କୋର୍ଟ ଦୁଇ ଦିନର ଅନୁମତି ଦେଇଛନ୍ତି। ଅକ୍ଟୋବର ୧୯ରେ ଆସିଥିବା ଏହି ନିର୍ଦ୍ଦେଶ ଅନୁଯାୟୀ, ଅକ୍ଟୋବର ୨୧ ଯାଏଁ ଜେଲ୍ରେ ରହିବେ ଉଭୟ ।
ଘଟଣା ଅନୁଯାୟୀ,ଅକ୍ଟୋବର ୧୩ରେ ଜନ୍ତରମନ୍ତରକୁ ବିକ୍ଷୋଭ ପାଇଁ ନିର୍ଦ୍ଧାରିତ ସ୍ଥାନ ତାଲିକାରୁ ହଟାଯିବାର ୨୪ ଘଣ୍ଟା ନପୂରୁଣୁ ସେଠାରେ ପ୍ରବେଶ କରିଥିଲେ CJP ନେତା ସୌରଭ ଦାସ, ଆଶୁତୋଷ ରାଙ୍କା ଓ ଅଜିଙ୍କ୍ୟ ସିନ୍ଦେଙ୍କ ସମେତ ୧୪ ଜଣ ସଦସ୍ୟ। ସେମାନେ ଏକ ସଂକୀର୍ଣ୍ଣ ଗଳି ଦେଇ ଜେଡି(ୟୁ) କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ ଏବଂ ବନ୍ଦ ଲୁହା ଫାଟକ ଡେଇଁ ଜନ୍ତରମନ୍ତର ଭିତରକୁ ଅନଧିକାର ପ୍ରବେଶ କରିଥିଲେ। ସେଠାରେ ତ୍ରିରଙ୍ଗା ଉଡ଼ାଇବା ସହ ‘ଭାରତ ମାତା କି ଜୟ’ ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସ୍ଲୋଗାନ ଦେଇଥିଲେ। ଏହାପରେ ପୁଲିସ ୧୪ ଜଣଙ୍କୁ ଅଟକ ରଖିଥିଲା। ପରେ ସୌରଭ ଓ ଆଶୁତୋଷଙ୍କୁ ପାଞ୍ଚ ଦିନିଆ ନ୍ୟାୟିକ ହିରାସତକୁ ପଠାଯାଇଥିବାବେଳେ ଅଜିଙ୍କ୍ୟ ସିନ୍ଦେଙ୍କୁ ପିସ୍ ବଣ୍ଡ୍ରେ ଛାଡ଼ି ଦିଆଯାଇଥିଲା।
ଏହା ପୂର୍ବରୁ ମଧ୍ୟ ଅକ୍ଟୋବର ୧୦ରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR)କୁ ବିରୋଧ କରି CJP ପକ୍ଷରୁ ଆନ୍ଦୋଳନ ଅଭିଯୋଗରେ ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନରୁ ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ପରଦିନ ତିନିଜଣଙ୍କୁ ମୁକ୍ତ କରାଯାଇଥିଲା। ତେବେ,କୋର୍ଟଙ୍କ ଟିପ୍ପଣୀକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଅକ୍ଟୋବର ୧୯ରେ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ନ୍ୟାୟିକ ହିରାସତକୁ ଆଉ ଦୁଇ ଦିନ ବଢ଼ାଇଛନ୍ତି ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଋତୁ ରାଜ | ନିଜ ଆଦେଶରେ ମାଜିଷ୍ଟ୍ରେଟ୍ କହିଛନ୍ତି, ଉଭୟଙ୍କ ଆଚରଣ ଆଇନ ପ୍ରତି ସମ୍ମାନର ଅଭାବ ଦର୍ଶାଉଛି। ଅକ୍ଟୋବର ୧୧ରେ ଦେଇଥିବା ବଣ୍ଡ୍ର ସର୍ତ୍ତକୁ ଉଲ୍ଲଂଘନ କରି ସେମାନେ ପୁଣି ଶାନ୍ତି ଭଙ୍ଗ କରିଥିବା ମାଜିଷ୍ଟ୍ରେଟ୍ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ, CJPର ଆଇନ ବିଭାଗ ମୁଖ୍ୟ ରତ୍ନା ସିଂହ ହିରାସତ ବୃଦ୍ଧିକୁ ବିରୋଧ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଜାମିନ ପ୍ରକ୍ରିୟାରେ ଅଯଥା ବିଳମ୍ବ କରାଯାଇଛି ଏବଂ ଉଭୟଙ୍କୁ ହିରାସତରେ ରଖିବା ପାଇଁ ପର୍ଯ୍ୟାପ୍ତ ଆଧାର ନାହିଁ।ଏହି ଆଦେଶକୁ ଉଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯିବ ବୋଲି CJP ପକ୍ଷରୁ କୁହାଯାଇଛି। ଏହି ଘଟଣାକୁ ନେଇ ଦିଲ୍ଲୀରେ ବିକ୍ଷୋଭ କରିବାର ଅଧିକାର, ଆଇନଶୃଙ୍ଖଳା ଏବଂ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ଉତ୍ତେଜନା ଜାରି ରହିଛି।
