Dhruv Rathee Faces NBW: ୮ ବର୍ଷ ପୁରୁଣା ମାମଲାରେ ଫସିଲେ ଧ୍ରୁବ ରାଠୀ, କୋର୍ଟଙ୍କ ବଡ଼ ଆକ୍ସନ୍
ଧ୍ରୁବ ରାଠୀଙ୍କ ବଢ଼ିଲା ଅଡ଼ୁଆ, ମାନହାନି ମାମଲାରେ ସାକେତ୍ କୋର୍ଟ ଜାରି କଲେ ଜାମିନବିହୀନ ଗିରଫ ପରୱାନା।

ଚର୍ଚ୍ଚିତ ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କ ଅଡ଼ୁଆ ବଢ଼ିଛି। ୨୦୧୮ ମସିହାର ଏକ ମାନହାନି ମାମଲାରେ ଦିଲ୍ଲୀର ସାକେତ୍ କୋର୍ଟ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା (NBW) ଜାରି କରିଛନ୍ତି। ବର୍ତ୍ତମାନ ଜର୍ମାନୀରେ ରହୁଥିବା ଧ୍ରୁବଙ୍କ ବିରୋଧରେ ଏହି ନିର୍ଦ୍ଦେଶ ଜାରି ହୋଇଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୩ ତାରିଖରେ ହେବ।
କ’ଣ ରହିଛି ପୂରା ମାମଲା?
ଏହି ମାନହାନି ମାମଲାର ଅଭିଯୋଗକାରୀ ହେଉଛନ୍ତି ବିକାଶ ସାଂସ୍କୃତ୍ୟାୟନ। ତାଙ୍କ ଅଭିଯୋଗ ଅନୁଯାୟୀ, ଧ୍ରୁବ ରାଠୀ ୨୦୧୮ ମସିହା ମେ' ମାସରେ ‘BJP IT Cell Part II’ ଶୀର୍ଷକରେ ଏକ ଭିଡିଓ ଜାରି କରି ତାଙ୍କ ବିରୋଧରେ ମିଥ୍ୟା ଓ ମାନହାନିକାରକ ଅଭିଯୋଗ ଆଣିଥିଲେ। ଭିଡିଓରେ ଧ୍ରୁବ ଅଭିଯୋଗ କରିଥିଲେ ଯେ, ଭାଜପାର ଆଇଟି ସେଲ୍ ତାଙ୍କୁ ବଦନାମ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ଦେବାକୁ ଉଦ୍ୟମ କରିଥିଲା। ଏହି ଭିଡିଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରସାରିତ ହୋଇଥିଲା। ପରେ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହାକୁ ରିଟ୍ୱିଟ୍ କରିଥିଲେ।ଏହି ଭିଡିଓକୁ ନେଇ ବିକାଶ ସାଂସ୍କୃତ୍ୟାୟନ ଧ୍ରୁବଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ଦୀର୍ଘ ବର୍ଷ ପରେ ଏହି ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି।
ପୂର୍ବରୁ ଜାରି ହୋଇଥିଲା ଜାମିନଯୋଗ୍ୟ ପରୱାନା
ସୂଚନା ଅନୁଯାୟୀ, ଏହା ପୂର୍ବରୁ ଅକ୍ଟୋବର ମାସରେ କୋର୍ଟ ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ଗିରଫ ପରୱାନା ଜାରି କରିଥିଲେ। ତାଙ୍କୁ ନୋଟିସ୍ ଦେବା ପାଇଁ ଅଧିକାରୀମାନେ ପହଞ୍ଚିବା ବେଳେ ତାଙ୍କ ଠିକଣା ବନ୍ଦ ଥିବା ନେଇ କୋର୍ଟଙ୍କୁ ଅବଗତ କରାଯାଇଥିଲା।ଏହାପରେ କୋର୍ଟ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିବା ଜଣାପଡ଼ିଛି। ଡିସେମ୍ବର ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଭାରତ ଆସିଥିବା ବେଳେ ହେପାଜତକୁ ନିଆଯାଇଥିଲେ
ଏହା ପୂର୍ବରୁ ଅକ୍ଟୋବର ୮ ତାରିଖରେ ଧ୍ରୁବ ରାଠୀ ଭାରତ ଆସିଥିବା ସୂଚନା ମିଳିଥିଲା। ଦିଲ୍ଲୀର ଯନ୍ତରମନ୍ତରଠାରେ 'କକରୋଚ୍ ଜନତା ପାର୍ଟି' (CJP) ପକ୍ଷରୁ ପ୍ରସ୍ତାବିତ ବିରୋଧ ପ୍ରଦର୍ଶନରେ ସାମିଲ ହେବାକୁ ସେ ଘୋଷଣା କରିଥିଲେ। ପ୍ରଦର୍ଶନରେ ଯୋଗଦେବା ପୂର୍ବରୁ ଗୁରୁଗ୍ରାମର ସେକ୍ଟର-୫୬ସ୍ଥିତ ତାଙ୍କ ବାସଭବନରୁ ପୋଲିସ ତାଙ୍କୁ ହେପାଜତକୁ ନେଇଥିବା ଖବର ସାମ୍ନାକୁ ଆସିଥିଲା।ଏବେ ମାନହାନି ମାମଲାରେ ଜାମିନବିହୀନ ପରୱାନା ଜାରି ହେବା ପରେ ଧ୍ରୁବ ରାଠୀଙ୍କ ଆଇନଗତ ଅଡ଼ୁଆ ବଢ଼ିଛି। ଡିସେମ୍ବର ୩ ତାରିଖର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି।
