Final Goodbye : ଦାଦୀଙ୍କୁ ଶେଷ ବିଦାୟ, ପୁଣି ଜେଲ୍ ଫେରିଲେ ଅମୃତପାଲ
ଜେଜେ ମା' ଙ୍କୁ ଶେଷ ବିଦାୟ ଦେବାକୁ ୩ ଘଣ୍ଟା ପାଇଁ ଜେଲ୍ରୁ ପଞ୍ଜାବ ଆସିଲେ ଅମୃତପାଲ ସିଂହ। ଶେଷକୃତ୍ୟ ସାରିବା ପରେ ପୁଣି ଫେରିଲେ ଡିବ୍ରୁଗଡ଼ ଜେଲ୍।

ଆସାମର ଡିବ୍ରୁଗଡ଼ ଜେଲ୍ରେ ବନ୍ଦୀ ଥିବା ଖଡ଼ୁର ସାହିବର ସାଂସଦ ତଥା ୱାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂହ ଶେଷରେ ନିଜ ଜେଜେ ମା'ଙ୍କ ଶେଷକୃତ୍ୟରେ ସାମିଲ ହୋଇଛନ୍ତି। ଏଥିପାଇଁ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଆସାମରୁ ପଞ୍ଜାବ ଅଣାଯାଇଥିଲା। ଆଜି ସକାଳେ ସେ ଦିଲ୍ଲୀରୁ ବିମାନ ଯୋଗେ ଅମୃତସରରେ ପହଞ୍ଚିଥିଲେ। ଏହାପରେ ପୋଲିସ ସୁରକ୍ଷା ମଧ୍ୟରେ ତାଙ୍କୁ ପୈତୃକ ଗାଁ ଜଲ୍ଲୁପୁର ଖେଡ଼ାକୁ ନିଆଯାଇଥିଲା।
ସୂଚନା ଅନୁଯାୟୀ, ଅଦାଲତ ଅମୃତପାଲଙ୍କୁ ଆଜି ମାତ୍ର ୩ ଘଣ୍ଟା ଅର୍ଥାତ୍ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସର୍ତ୍ତମୂଳକ ଅନୁମତି ଦେଇଥିଲେ। ଏହି ସମୟ ମଧ୍ୟରେ ସେ ପରିବାର ସଦସ୍ୟଙ୍କୁ ଭେଟିବା ସହ ଜେଜେ ମା'ଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ।
ଗାଁରେ କଡ଼ା ସୁରକ୍ଷା ବ୍ୟବସ୍ଥା
ଅମୃତପାଲଙ୍କ ଆଗମନକୁ ଦୃଷ୍ଟିରେ ରଖି ତାଙ୍କ ପୈତୃକ ଗାଁ ଜଲ୍ଲୁପୁର ଖେଡ଼ାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ୮୦୦ରୁ ଅଧିକ ପୋଲିସ କର୍ମଚାରୀ ମୁତୟନ ହୋଇଥିବା ବେଳେ ଗାଁର ପ୍ରମୁଖ ରାସ୍ତାଗୁଡ଼ିକରେ ନାକାବନ୍ଦୀ କରାଯାଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ୧୪ଟି ସ୍ଥାନରେ ପୋଲିସ ଚେକ୍ପୋଷ୍ଟ ମଧ୍ୟ କରାଯାଇଥିଲା।ଅଦାଲତଙ୍କ ସର୍ତ୍ତ ଅନୁଯାୟୀ, ଶୋକ କାର୍ଯ୍ୟକ୍ରମରେ କେବଳ ପରିବାର ସଦସ୍ୟଙ୍କୁ ଅମୃତପାଲଙ୍କୁ ଭେଟିବାର ଅନୁମତି ଥିଲା। କୌଣସି ବାହାର ବ୍ୟକ୍ତି କିମ୍ବା ସମର୍ଥକଙ୍କୁ ତାଙ୍କ ସହ ସାକ୍ଷାତ କରିବାକୁ ଅନୁମତି ନଥିଲା। ଏହାସହ କାର୍ଯ୍ୟକ୍ରମକୁ ଅସ୍ତ୍ରଶସ୍ତ୍ର ନେଇ ନଆସିବାକୁ ପୋଲିସ ପକ୍ଷରୁ ଅପିଲ୍ କରାଯାଇଥିଲା।
ଜେଜେ ମା'ଙ୍କୁ ଶେଷ ବିଦାୟ, ଭାବବିହ୍ୱଳ ହେଲେ ପରିବାର
ଅମୃତପାଲ ଗାଁରେ ପହଞ୍ଚିବା ପରେ ପ୍ରଥମେ ନିଜ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଦୀର୍ଘ ସମୟ ପରେ ତାଙ୍କୁ ଦେଖି ପରିବାର ଲୋକେ ଭାବବିହ୍ୱଳ ହୋଇପଡ଼ିଥିଲେ। ପରେ ସେ ପରିବାର ସଦସ୍ୟ ଓ ୱାରିସ ପଞ୍ଜାବ ଦେ’ର କିଛି ନେତାଙ୍କ ସହ ଟ୍ରାକ୍ଟର ଟ୍ରଲିରେ ଶେଷଯାତ୍ରାରେ ସାମିଲ ହୋଇଥିଲେ।ତାଙ୍କ ଜେଜେ ମା' ଚରଣ କୌରଙ୍କର ନଭେମ୍ବର ୮ ତାରିଖରେ ୮୪ ବର୍ଷ ବୟସରେ ଦୀର୍ଘଦିନର ଅସୁସ୍ଥତା ପରେ ପରଲୋକ ହୋଇଥିଲା। ଅମୃତପାଲ ଶେଷକୃତ୍ୟରେ ଯୋଗଦେଇପାରିବେ ବୋଲି ପରିବାର ପକ୍ଷରୁ ତାଙ୍କ ମରଶରୀରକୁ ସଂରକ୍ଷିତ ରଖାଯାଇଥିଲା।
ଶେଷକୃତ୍ୟ ପରେ ପୁଣି ଜେଲ୍ ଫେରିଲେ ଅମୃତପାଲ
ସବୁଠାରୁ ବଡ଼ ଅପଡେଟ୍ ହେଉଛି, ଜେଜେ ମା'ଙ୍କ ଶେଷକୃତ୍ୟ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହେବା ପରେ ଅମୃତପାଲଙ୍କୁ ପୁଣି କଡ଼ା ସୁରକ୍ଷା ମଧ୍ୟରେ ଅମୃତସର ବିମାନବନ୍ଦରକୁ ନିଆଯାଇଛି। ସେଠାରୁ ତାଙ୍କୁ ଡିବ୍ରୁଗଡ଼ ଜେଲ୍କୁ ଫେରାଇ ନେବାର ବ୍ୟବସ୍ଥା କରାଯାଇଥିଲା। ଏହି ପୂରା ପ୍ରକ୍ରିୟାରେ ପୋଲିସର କଡ଼ା ନଜର ରହିଥିଲା। ଶେଷକୃତ୍ୟ ସମୟରେ ଅମୃତପାଲ କୌଣସି ଗଣମାଧ୍ୟମକୁ ସମ୍ବୋଧନ କରିନଥିଲେ।ଅନ୍ୟପଟେ, ଗତକାଲି ଜେଜେ ମା'ଙ୍କ ଅସ୍ଥି ସଂଗ୍ରହ ଏବଂ ଏହା ପରଦିନ ବା ନଭେମ୍ବର ୨୩ରେ ହେବାକୁ ଥିବା ଭୋଗ କାର୍ଯ୍ୟକ୍ରମରେ ଅମୃତପାଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହେବେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଦାଲତ ତାଙ୍କୁ ଏହି କାର୍ଯ୍ୟକ୍ରମଗୁଡ଼ିକରେ ଶାରୀରିକ ଭାବେ ଯୋଗଦେବାକୁ ଅନୁମତି ଦେଇନାହାନ୍ତି।ସୂଚନାଯୋଗ୍ୟ, ୨୦୨୩ ମସିହାରେ ଅଜନାଲା ଥାନା ଆକ୍ରମଣ ମାମଲାରେ ଅମୃତପାଲଙ୍କୁ ଗିରଫ କରାଯାଇଥିଲା। ସେବେଠାରୁ ସେ ଆସାମର ଡିବ୍ରୁଗଡ଼ ଜେଲ୍ରେ ଅଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ସେ ଜେଲ୍ରେ ଥାଇ ମଧ୍ୟ ଖଡ଼ୁର ସାହିବ ଆସନରୁ ବିଜୟୀ ହୋଇଥିଲେ।
