Andhra Political Violence : ଆନ୍ଧ୍ରରେ TDP-YSRCP ମୁହାଁମୁହିଁ, ହିଂସାକୁ ନେଇ ହଲଚଲ୍
ପେଟ୍ରୋଲ ବୋମା ମାଡ଼, ପଥର ବର୍ଷା ଆଉ ଜଳୁଥିବା ଗାଡ଼ି! ଆନ୍ଧ୍ରରେ ରାଜନୈତିକ ସଂଘର୍ଷ ନେଲା ହିଂସାର ରୂପ। କାଠଗଡ଼ାରେ TDP, ଟାର୍ଗେଟରେ YSRCP!

ଗଣତନ୍ତ୍ର ନା ଗୁଣ୍ଡାରାଜ? ଆନ୍ଧ୍ରପ୍ରଦେଶରେ ରାଜନୈତିକ ହିଂସାକୁ ନେଇ ତେଜିଛି ଉତ୍ତେଜନା। ଶାସକ ଟିଡିପି (TDP) ମେଣ୍ଟର ସମର୍ଥକଙ୍କ ବିରୋଧରେ ନିଜ ଦଳର ବରିଷ୍ଠ ନେତାଙ୍କ ଘର ଏବଂ ସାଂସଦଙ୍କ କାଫିଲା ଉପରେ ଆକ୍ରମଣ ଅଭିଯୋଗ ଆଣିଛି ୱାଇଏସଆରସିପି (YSRCP)। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି ଘଟଣାକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି।
ପେଟ୍ରୋଲ ବୋମା ମାଡ଼, ଜଳିଗଲା ଗାଡ଼ି ଓ ଜେନେରେଟର
YSRCPର ଅଭିଯୋଗ ଅନୁଯାୟୀ, ତାଡ଼ିପତ୍ରିରେ ଟିଡିପି ନେତା ଜେସି ପ୍ରଭାକର ରେଡ୍ଡୀଙ୍କ ସମର୍ଥକମାନେ ପୂର୍ବତନ ବିଧାୟକ କେଥିରେଡ୍ଡୀ ପେଦ୍ଦାରେଡ୍ଡୀଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଏପରିକି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିବା ଦଳ ଅଭିଯୋଗ କରିଛି। ଆକ୍ରମଣକାରୀମାନେ ପେଟ୍ରୋଲ ବୋମା ମାଡ଼ କରିବା ସହ ପେଦ୍ଦାରେଡ୍ଡୀଙ୍କ କାଫିଲାରେ ଥିବା ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିଥିଲେ ଏବଂ ନିଆଁ ଲଗାଇ ଦେଇଥିଲେ। ଏହାସହ ଘରର ତଳ ମହଲାରେ ରଖାଯାଇଥିବା ଜେନେରେଟରରେ ମଧ୍ୟ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି।ଏହି ଘଟଣାରେ ପୋଲିସର ବିଳମ୍ବିତ ପଦକ୍ଷେପକୁ ନେଇ YSRCP ପ୍ରଶ୍ନ ଉଠାଇଛି। ଦୀର୍ଘ ସମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକାଠି ହୋଇଥିବା TDP ସମର୍ଥକଙ୍କୁ ସେଠାରୁ ହଟାଇଥିବା ଦଳ ଅଭିଯୋଗ କରିଛି।
ନାମାଙ୍କନ ପ୍ରକ୍ରିୟା ବେଳେ ସାଂସଦଙ୍କ କାଫିଲାକୁ ଟାର୍ଗେଟ୍
ଅନ୍ୟପଟେ, ୱାଇଏସଆର କଡପା ଜିଲ୍ଲାର ସିମହାଦ୍ରିପୁରମ ଅନ୍ତର୍ଗତ ଅଙ୍କାଲମା ଗୁଡୁର ଅଞ୍ଚଳ ନିକଟରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା। YSRCP ସାଂସଦ ୱାଇଏସ୍ ଅବିନାଶ ରେଡ୍ଡୀଙ୍କ କାଫିଲା ଉପରେ ଆକ୍ରମଣ ହୋଇଥିବା ଦଳ ଅଭିଯୋଗ କରିଛି। ନାମାଙ୍କନ ଦାଖଲ ପ୍ରକ୍ରିୟା ସମୟରେ ଦଳୀୟ ପ୍ରାର୍ଥୀମାନଙ୍କ ମନୋବଳ ବଢ଼ାଇବା ପାଇଁ ସାଂସଦ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା।ଦଳର ପ୍ରଦେଶ କାର୍ଯ୍ୟାଳୟର ଅଭିଯୋଗ ଅନୁସାରେ, TDP MLC ରବିଙ୍କ ସମର୍ଥକମାନେ ସାଂସଦଙ୍କ କାଫିଲା ଉପରେ ପଥର ଓ ଠେଙ୍ଗାରେ ଆକ୍ରମଣ କରିବା ସହ ଗାଡ଼ି ଉପରକୁ ପେଟ୍ରୋଲ ବୋମା ମାଡ଼ କରିଥିଲେ। ଏହି ଘଟଣାକୁ ଦଳ ନିନ୍ଦା କରିବା ସହ ନିର୍ବାଚନରେ ଭାଗ ନେଉଥିବା ଜନପ୍ରତିନିଧି ଓ ପ୍ରାର୍ଥୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛି।
ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଲା YSRCP
ଏହି ଘଟଣାକୁ ନେଇ YSRCPର ଜାତୀୟ ମୁଖପାତ୍ର ମହବୁବ ସରିଫ୍ ଟିଡିପିର ଅଧିକାରିକ ମୁଖପାତ୍ର ରବି ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପଥର, ପେଟ୍ରୋଲ ବୋମା, ମାରଣାସ୍ତ୍ର ଓ ଠେଙ୍ଗାରେ ସାଂସଦ ଅବିନାଶ ରେଡ୍ଡୀଙ୍କ କାଫିଲା ଉପରେ ଆକ୍ରମଣ ହୋଇଥିବା ସେ କହିଛନ୍ତି। ଏହା ସାଂସଦଙ୍କୁ ହତ୍ୟା କରିବା ପାଇଁ ଏକ ସୁଚିନ୍ତିତ ଉଦ୍ୟମ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।ଘଟଣାକୁ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି ବର୍ଣ୍ଣନା କରି ମହବୁବ ସରିଫ୍ କହିଛନ୍ତି, ଏହା କେବଳ ସାଂସଦ ଅବିନାଶ ରେଡ୍ଡୀଙ୍କ ଉପରେ ଆକ୍ରମଣ ନୁହେଁ, ବରଂ ସମଗ୍ର ଗଣତନ୍ତ୍ର ଉପରେ ଆକ୍ରମଣ। ଏଭଳି କାର୍ଯ୍ୟ ଆଦୌ ଗ୍ରହଣୀୟ ନୁହେଁ। ମେଣ୍ଟ ସରକାରଙ୍କ ଏଭଳି କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଅନୁଚିତ ବୋଲି ସେ କହିଛନ୍ତି।
ପୋଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ
ମହବୁବ ସରିଫ୍ ପୋଲିସର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଗୁରୁତର ପରିସ୍ଥିତି ସତ୍ତ୍ୱେ ପୋଲିସ ନିରବଦ୍ରଷ୍ଟା ସାଜିଥିଲା ଏବଂ ଠିକ୍ ସମୟରେ ଆବଶ୍ୟକ ପଦକ୍ଷେପ ନେଇପାରିନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ନିର୍ବାଚନ ସମୟରେ ରାଜନୈତିକ ହିଂସା ଓ ଭୟଭୀତ କରିବା ଭଳି ଘଟଣାକୁ ମେଣ୍ଟ ସରକାର ପ୍ରୋତ୍ସାହନ ଦେଉଥିବା ମଧ୍ୟ ତାଙ୍କ ଅଭିଯୋଗ। ତେବେ ଏହି ସମସ୍ତ ଅଭିଯୋଗ ନେଇ TDP କିମ୍ବା ପୋଲିସର ପକ୍ଷ ଏଠାରେ ସାମିଲ ହୋଇନାହିଁ।
