Amritpal Singh:ଅନ୍ତିମ ସଂସ୍କାର ପାଇଁ ଜାମିନ ଅବଧି ବୃଦ୍ଧି ଦାବି
ଦାଦୀଙ୍କ ଅନ୍ତିମ ସଂସ୍କାର ଓ ଧାର୍ମିକ ରୀତିନୀତିରେ ସାମିଲ ହେବାକୁ ଅମୃତପାଲ ସିଂହଙ୍କ ଆଉ ୩ ଦିନ ଅନ୍ତରୀଣ ଜାମିନ ଆବେଦନ। ପଞ୍ଜାବ ସରକାରଙ୍କ ଜବାବ ମାଗିଲେ ଅଦାଲତ, କାଲି ଶୁଣାଇବେ ରାୟ।
ଅମୃତସର:ଦାଦୀଙ୍କ ଅନ୍ତିମ ସଂସ୍କାର ଓ ଏହା ସହ ଜଡ଼ିତ ଧାର୍ମିକ ରୀତିନୀତିରେ ସାମିଲ ହେବା ପାଇଁ ଆଉ ୩ ଦିନର ଅନ୍ତରୀଣ ଜାମିନ ମାଗିଛନ୍ତି ଖଡୁର ସାହିବର ସାଂସଦ ଅମୃତପାଲ ସିଂହ। ଏନେଇ ତାଙ୍କ ଆଇନଜୀବୀ ଦଳ ଅମୃତସର ଅଦାଲତରେ ଏକ ସଂଶୋଧନ ଆବେଦନ ଦାଖଲ କରିଛି। ନଭେମ୍ବର ୨୧, ୨୨ ଓ ୨୩ ତାରିଖ ପାଇଁ ଅନ୍ତରୀଣ ଜାମିନ ଦେବାକୁ ଆବେଦନରେ ଅନୁରୋଧ କରାଯାଇଛି। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ୨୧ ତାରିଖରେ ଅନ୍ତିମ ସଂସ୍କାର, ୨୨ ତାରିଖରେ ଫୁଲ ଚୁଗନେ ରୀତି ଏବଂ ୨୩ ତାରିଖରେ ଅନ୍ତିମ ଅରଦାସ ଅନୁଷ୍ଠିତ ହେବ। ଏହି ଆବେଦନ ଉପରେ ପଞ୍ଜାବ ସରକାରଙ୍କ ଜବାବ ମାଗିଛନ୍ତି ଅଦାଲତ। ଆସନ୍ତାକାଲି ଏହାର ରାୟ ପ୍ରକାଶ ପାଇବ।ସୂଚନାଯୋଗ୍ୟ, ଏହା ପୂର୍ବରୁ ନଭେମ୍ବର ୧୩ରେ ଅମୃତପାଲଙ୍କୁ ତାଙ୍କ ଦାଦୀ ଚରଣ କୌରଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ଅମୃତସର ଜିଲ୍ଲା ଓ ଦୌରାଜଜ୍ ଅଦାଲତ ମାତ୍ର ୩ ଘଣ୍ଟାର ଅନ୍ତରୀଣ ଜାମିନ ଦେଇଥିଲେ। ତେବେ ଆସାମର ଡିବ୍ରୁଗଡ଼ କେନ୍ଦ୍ରୀୟ ଜେଲରୁ ପଞ୍ଜାବ ଆସିବାରେ ବିଳମ୍ବ ହେବାରୁ ସେ ନିର୍ଦ୍ଧାରିତ ସମୟରେ ନିଜ ଗାଁ ଜଲ୍ଲୁପୁର ଖେଡ଼ାରେ ପହଞ୍ଚି ପାରିନଥିଲେ। ଫଳରେ ପରିବାର ପକ୍ଷରୁ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଥିଲା। ଜାମିନ ତାରିଖ ପରିବର୍ତ୍ତନ ପାଇଁ ତାଙ୍କ ଦଳ 'ୱାରିସ ପଞ୍ଜାବ ଦେ' ମଧ୍ୟ ଉଦ୍ୟମ କରିଥିଲା। କିନ୍ତୁ ନଭେମ୍ବର ୧୪ ଦ୍ୱିତୀୟ ଶନିବାର ଥିବାରୁ ଅଦାଲତ ବନ୍ଦ ରହିଥିଲା। ଅନ୍ୟପଟେ, ୨୦୨୩ ଫେବ୍ରୁଆରୀରେ ଅଜନାଲା ଥାନା ଆକ୍ରମଣ ଓ ଅପହରଣ ସମେତ ଏକାଧିକ ମାମଲାରେ ଅମୃତପାଲଙ୍କ ନାଁ ଆସିବା ପରେ ଜାତୀୟ ସୁରକ୍ଷା ଆଇନ (NSA) ଅଧୀନରେ ଅମୃତପାଲ ଡିବ୍ରୁଗଡ଼ ଜେଲରେ ବନ୍ଦୀ ଅଛନ୍ତି। ତାଙ୍କ ସଂଗଠନ 'ୱାରିସ ପଞ୍ଜାବ ଦେ' ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ତାଙ୍କୁ ଗିରଫ କରାଯାଇଥିଲା। ପୂର୍ବ ଜାମିନ ଆଦେଶ ଅନୁସାରେ, କଡ଼ା ପୋଲିସ ସୁରକ୍ଷାରେ ଯାତ୍ରା, ଯାତ୍ରା ଖର୍ଚ୍ଚ ନିଜେ ବହନ କରିବା ଏବଂ ଗଣମାଧ୍ୟମ ସହ କଥାବାର୍ତ୍ତା ନକରିବା ଭଳି ସର୍ତ୍ତ ରହିଥିଲା।
