Mahadev Betting App:୬ ହଜାର କୋଟିର ବେଟିଂ ସ୍କାମ୍
୬ ହଜାର କୋଟିର ମହାଦେବ ବେଟିଂ ଆପ୍ ମାମଲାରେ ତଦନ୍ତ ଜୋରଦାର କରିଛି CBI। ମୁଖ୍ୟ ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କ ଜେରାରୁ ମିଳିଥିବା ତଥ୍ୟ ଆଧାରରେ ୬ ରାଜ୍ୟର ୩୩ଟି ସ୍ଥାନରେ ଚଢ଼ାଉ ହୋଇଛି।
ମହାଦେବ ଅନଲାଇନ୍ ବେଟିଂ ଆପ୍ ମାମଲାରେ ସିବିଆଇର ବଡ଼ ଧରଣର ଚଢ଼ାଉ। ଦେଶର ୬ଟି ରାଜ୍ୟର ୩୩ଟି ସ୍ଥାନରେ ଏକକାଳୀନ ତଲାସି କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଦିଲ୍ଲୀ, ମୁମ୍ବାଇ, ନାଗପୁର, ଅମୃତସର, ଭୋପାଳ ଓ ରାୟପୁର ସମେତ ବିଭିନ୍ନ ସ୍ଥାନରେ ଥିବା ଆପ୍ର ପ୍ୟାନେଲ୍ ଅପରେଟରଙ୍କ ଠିକଣାରେ ଗତ କିଛି ଦିନ ଧରି ଏହି ଚଢ଼ାଉ ଜାରି ରହିଥିଲା। ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରେ ଚାଲୁଥିବା ଲାଇଭ୍ ବେଟିଂ ପ୍ୟାନେଲ୍ ଠାବ କରାଯାଇଛି। ପରେ ଏହି ପ୍ୟାନେଲ୍ଗୁଡ଼ିକୁ ଅଚଳ କରାଯାଇଥିବା CBI ପକ୍ଷରୁ କୁହାଯାଇଛି। ଏହା ସହିତ ମୋବାଇଲ୍ ଫୋନ୍, ଡିଜିଟାଲ୍ ଡିଭାଇସ୍ ଓ ବିଭିନ୍ନ ଦସ୍ତାବିଜ୍ ଜବତ ହୋଇଛି। ଏଥିରୁ ଅନ୍ୟମାନଙ୍କ ନାଁରେ ଖୋଲାଯାଇଥିବା ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଏବଂ ହାୱାଲା ଚ୍ୟାନେଲ୍ର ବ୍ୟବହାର ସମ୍ପର୍କରେ ସୂଚନା ମିଳିଥିବା ଏଜେନ୍ସି କହିଛି। ମହାଦେବ ଆପ୍ର ଅଭିଯୁକ୍ତ ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କୁ ଓମାନରୁ ପ୍ରତ୍ୟର୍ପଣ ପରେ ନଭେମ୍ବର ୧ରେ CBI ଗିରଫ କରିଥିଲା। ରାୟପୁରର ସ୍ୱତନ୍ତ୍ର ଅଦାଲତ ତାଙ୍କୁ ୮ ଦିନିଆ ପୋଲିସ ରିମାଣ୍ଡରେ ପଠାଇଥିଲେ। ଜେରା ସମୟରେ ଆପ୍ର କାର୍ଯ୍ୟପ୍ରଣାଳୀ ଓ ଭାରତରେ ଥିବା ପ୍ୟାନେଲ୍ ଅପରେଟରଙ୍କ ନେଟୱର୍କ ସମ୍ପର୍କରେ ତଥ୍ୟ ମିଳିଥିବା CBI ମୁଖପାତ୍ର ବୀଣା ଯାଦବ କହିଛନ୍ତି। CBI ଅନୁଯାୟୀ, ବିଦେଶରେ ଥିବା ମୁଖ୍ୟ କାର୍ଯ୍ୟାଳୟରୁ ଏହି ପ୍ଲାଟଫର୍ମ ପରିଚାଳିତ ହେଉଥିଲା। ଭାରତରେ ଥିବା ପ୍ୟାନେଲ୍ ଅପରେଟରମାନେ ଗ୍ରାହକଙ୍କ ଆଇଡି ପ୍ରସ୍ତୁତ କରିବା ସହ ଅନ୍ୟମାନଙ୍କ ନାଁରେ ଖୋଲାଯାଇଥିବା କିମ୍ବା ଭଡ଼ାରେ ନିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ବେଟିଂ ଟଙ୍କା ସଂଗ୍ରହ କରୁଥିଲେ। ପରେ ଏହି ଟଙ୍କାକୁ ହାୱାଲା ମାଧ୍ୟମରେ ବିଦେଶକୁ ପଠାଯାଉଥିବା ତଦନ୍ତରୁ ଜଣାପଡ଼ିଛି। ଏହି ୬ ହଜାର କୋଟି ଟଙ୍କାର ବେଟିଂ ଠକେଇ ମାମଲାରେ ଛତିଶଗଡ଼ ସରକାର ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିବା ପରେ CBI ଦୁଇଟି FIR ରୁଜୁ କରିଛି। ଏବେ ବିଦେଶରେ ଥିବା ଅଭିଯୁକ୍ତ, ସହଯୋଗୀ ଓ କିଛି ସରକାରୀ କର୍ମଚାରୀଙ୍କ ଭୂମିକା ନେଇ ତଦନ୍ତ ଚାଲିଛି। ଫେରାର ଅଭିଯୁକ୍ତଙ୍କୁ ଭାରତ ଆଣିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ମହାଦେବ ଅନଲାଇନ୍ ବୁକ୍ ପ୍ଲାଟଫର୍ମ ଜରିଆରେ କ୍ରିକେଟ୍, ଫୁଟବଲ୍, ତାସ୍ ଖେଳ ସମେତ ବିଭିନ୍ନ ଇଭେଣ୍ଟରେ ବେଟିଂ ଚାଲୁଥିବା ଅଭିଯୋଗ ରହିଛି। ଦେଶବ୍ୟାପୀ ଫ୍ରାଞ୍ଚାଇଜ୍ ପ୍ୟାନେଲ୍ ଓ ଶାଖା ଜରିଆରେ ଏହି ନେଟୱର୍କ ପରିଚାଳିତ ହେଉଥିବା CBI କହିଛି।
