Sonam Wangchuk House Arrest:ସୋନମ ଓ୍ୱାଙ୍ଗଚୁକ ଗୃହବନ୍ଦୀ!
ତାଙ୍କୁ ହାଉସ୍ ଆରେଷ୍ଟ ବା ଗୃହବନ୍ଦୀ କରାଯାଇଥିବା ନେଇ ସେ ନିଜେ ଅଭିଯୋଗ କରିଛନ୍ତି। ତାଙ୍କ ଘର ଚାରିପଟେ ପ୍ରାୟ ୨୫ ଜଣ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନ ମୁତୟନ ହୋଇଥିବା ସେ ଦାବି କରିଛନ୍ତି। ତେବେ ପୋଲିସ ଏହାକୁ ଗୃହବନ୍ଦୀ ବୋଲି ମାନିନାହିଁ। ନିର୍ବାଚନ ସମୟରେ ଜାରି ନିଷେଧାଦେଶ ଅନୁସାରେ ପଦକ୍ଷେପ ନିଆଯାଇଥିବା କହିଛି।

ବିଶିଷ୍ଟ ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ ଓ୍ୱାଙ୍ଗଚୁକଙ୍କୁ ଗୃହବନ୍ଦୀ। ସୋନମ ଓ୍ୱାଙ୍ଗଚୁକଙ୍କୁ ନଜରବନ୍ଦୀ। ଲଦାଖ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ। ବିଏନଏସଏସର ଧାରା ୧୬୩ ଆଧାରରେ ତାଙ୍କର ସାର୍ବଜନୀନ ଗତିବିଧି ଉପରେ ୬୦ ଦିନ ଯାଏଁ ଲାଗିଲା ବ୍ୟାନ୍। ସାର୍ବଜନୀନ ଶାନ୍ତି ବିଗାଡ଼ିବା ଓ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ ଆଶଙ୍କାରେ ଏଭଳି ଆକ୍ସନ। ଡିସେମ୍ୱର ୪ରେ ହେବାକୁ ଥିବା ଲଦାଖ ସ୍ୱାୟତ୍ତ ପାହାଡ଼ି ବିକାଶ ପରିଷଦ ନିର୍ବାଚନକୁ ସର୍ଦ୍ଦିରେ କରିବାକୁ ବିରୋଧ ସହ ଏହାକୁ ସ୍ଥଗିତ ରଖିବାକୁ ରାଷ୍ଟ୍ରପତି, ମୋଦି, ଶାହ ଓ ରାହୁଲଙ୍କୁ ଅପିଲ୍ କରିଥିଲେ ସୋନମ। ଏଭଳି ନିଷ୍ପତ୍ତିକୁ ନେଇ ସ୍ୱତନ୍ତ୍ରତାର ଅଭିବ୍ୟକ୍ତି ଓ ଗଣତାନ୍ତ୍ରିକ ଅଧିକାରକୁ ନେଇ ବିତର୍କର ପାହାଡ଼ ଆରମ୍ଭ ହୋଇଛି। ଓ୍ୱାଙ୍ଗଚୁକ୍ କହିଲେ, ମୋତେ ଗୃହବନ୍ଦୀ କରିଦିଆଯାଇଛି। ନିଜ ଏକ୍ସ ହ୍ୟାଣ୍ଡେଲରେ ୩ ମିନିଟର ଭିଡ଼ିଓ ପୋଷ୍ଟ କରି ଜଣାଇଛନ୍ତି। ତାଙ୍କୁ ହାଉସ୍ ଆରେଷ୍ଟ ବା ଗୃହବନ୍ଦୀ କରାଯାଇଥିବା ନେଇ ସେ ନିଜେ ଅଭିଯୋଗ କରିଛନ୍ତି। ତାଙ୍କ ଘର ଚାରିପଟେ ପ୍ରାୟ ୨୫ ଜଣ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନ ମୁତୟନ ହୋଇଥିବା ସେ ଦାବି କରିଛନ୍ତି। ତେବେ ପୋଲିସ ଏହାକୁ ଗୃହବନ୍ଦୀ ବୋଲି ମାନିନାହିଁ। ନିର୍ବାଚନ ସମୟରେ ଜାରି ନିଷେଧାଦେଶ ଅନୁସାରେ ପଦକ୍ଷେପ ନିଆଯାଇଥିବା କହିଛି।
କାହିଁକି ହାଉସ୍ ଆରେଷ୍ଟ ହେଲେ ସୋନମ ୱାଙ୍ଗଚୁକ୍?
ନଭେମ୍ବର ୧୧ ତାରିଖରେ ଲେହର NDS Memorial Sports Complex ଠାରେ ଏକ ଧାରଣା ପ୍ରଦର୍ଶନ ପାଇଁ ସୋନମ ୱାଙ୍ଗଚୁକ୍ ପହଞ୍ଚିଥିଲେ। ସେଠାରେ ପୋଲିସ ତାଙ୍କୁ ଅଟକାଇବା ସହ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶର ନକଲ ଦେଇଥିଲା। ପରେ ତାଙ୍କୁ ତାଙ୍କ ବାସଭବନକୁ ନେଇଯାଇଥିଲା। ୱାଙ୍ଗଚୁକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଘର ଚାରିପଟେ ପୋଲିସ ଓ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ତାଙ୍କୁ ବାହାରକୁ ଯାଇ ପ୍ରତିବାଦ କରିବାକୁ ଅନୁମତି ଦିଆଯାଉନାହିଁ। ସେ ଏହାକୁ ପରୋକ୍ଷ ଗୃହବନ୍ଦୀ ବୋଲି କହିଛନ୍ତି। ଏହି ଘଟଣାରେ ଲେହର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ନଭେମ୍ବର ୧୧ରେ Bharatiya Nagarik Suraksha Sanhita (BNSS) ର ଧାରା ୧୬୩ ଅନୁସାରେ ଏକ ଆଦେଶ ଜାରି କରିଛନ୍ତି। ଏହି ଆଦେଶରେ ୬୦ ଦିନ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକଳାପ ଉପରେ କଟକଣା ଲଗାଯାଇଥିବା ୱାଙ୍ଗଚୁକ୍ ଅଭିଯୋଗ କରିଛନ୍ତି। ତାଙ୍କ ପ୍ରଶ୍ନ ହେଉଛି- ତାଙ୍କୁ କେଉଁ ଆଇନ ଅନୁସାରେ ଘରୁ ବାହାରିବାକୁ ମନା କରାଯାଉଛି? ଲିଖିତ ଆଦେଶରେ ଗୃହବନ୍ଦୀ କଥା ନଥିବା ସତ୍ତ୍ୱେ ପୋଲିସ କାହିଁକି ଘର ବାହାରେ ମୁତୟନ?୬୦ ଦିନର କଟକଣାର ଆବଶ୍ୟକତା କ'ଣ? ସେ ପ୍ରଶାସନକୁ ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଲଦାଖ ପୋଲିସ ୱାଙ୍ଗଚୁକଙ୍କ ଅଭିଯୋଗକୁ ଗୃହବନ୍ଦୀ ଭାବେ ସ୍ୱୀକାର କରିନାହିଁ। ପୋଲିସର କହିବା ଅନୁସାରେ, ନିର୍ବାଚନ ସମୟରେ ଲେହ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଷେଧାଦେଶ ଅନୁସାରେ ସାର୍ବଜନୀନ ସଭା, ରାଲି ଓ ପ୍ରତିବାଦ ଉପରେ କଟକଣା ଲଗାଯାଇଛି। ପ୍ରଶାସନ ଏହାକୁ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ବୋଲି କହୁଛି। ସୋନମ ୱାଙ୍ଗଚୁକ୍ କହିଛନ୍ତି, ସେ ଏହି କଟକଣା ବିରୋଧରେ ମାଜିଷ୍ଟ୍ରେଟ୍, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଆଇନଗତ ଲଢ଼େଇ କରିବେ। ସେ ପ୍ରଶ୍ନ ଉଠାଇଛନ୍ତି ଯେ ଜଣେ ବ୍ୟକ୍ତିଙ୍କୁ ଆନୁଷ୍ଠାନିକ ଭାବେ ଗିରଫ ନକରି ତାଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ଯୋଗଦେବାରୁ କିପରି ରୋକାଯାଇପାରିବ?
ଡିସେମ୍ୱର ୪ ନିର୍ବାଚନକୁ ନେଇ ବିବାଦ କ'ଣ?
ଲଦାଖରେ ହେବାକୁ ଥିବା Ladakh Autonomous Hill Development Council (LAHDC) ନିର୍ବାଚନକୁ ନେଇ ଏବେ ବିବାଦ ଦେଖାଦେଇଛି। ଡିସେମ୍ୱର ୪, ୨୦୨୬ରେ ହିଲ୍ କାଉନସିଲ୍ ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ଲେହ ଆପେକ୍ସ ବଡି (LAB) ଏବଂ କାର୍ଗିଲ୍ ଡେମୋକ୍ରାଟିକ୍ ଆଲାଏନ୍ସ (KDA) ଏହି ନିର୍ବାଚନ ତାରିଖକୁ ବିରୋଧ କରୁଛନ୍ତି। ସେମାନଙ୍କ ଯୁକ୍ତି ହେଉଛି ଯେ, ଡିସେମ୍ୱରରେ ଲଦାଖରେ ଭୀଷଣ ଥଣ୍ଡା ପଡ଼ିଥାଏ। ଅନେକ ଲୋକ ଶୀତଦିନେ ଲଦାଖ ଛାଡ଼ି ଅନ୍ୟ ଅଞ୍ଚଳକୁ ଚାଲିଯାଆନ୍ତି। ଏଭଳି ପରିସ୍ଥିତିରେ ନିର୍ବାଚନ କଲେ ଅନେକ ଭୋଟର ମତଦାନରୁ ବଞ୍ଚିତ ହୋଇପାରନ୍ତି। ତେଣୁ ନିର୍ବାଚନ ଡିସେମ୍ୱର ବଦଳରେ ଆସନ୍ତା ବର୍ଷ ମାର୍ଚ୍ଚ କିମ୍ୱା ଏପ୍ରିଲରେ କରିବାକୁ ସେମାନେ ଦାବି କରୁଛନ୍ତି। ସୋନମ ବି ଏ ସନ୍ଦର୍ଭରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଶାହ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ।
୨୦୨୫ ଲେହ ହିଂସା ଓ ନ୍ୟାୟିକ ତଦନ୍ତ ରିପୋର୍ଟ
ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନର ଆଉ ଏକ ବଡ଼ କାରଣ ହେଉଛି ୨୦୨୫ ସେପ୍ଟେମ୍ୱର ୨୪ରେ ଲେହରେ ଘଟିଥିବା ହିଂସା। ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଓ ସମ୍ୱିଧାନର ଷଷ୍ଠ ଅନୁସୂଚୀ ଅନୁସାରେ ସୁରକ୍ଷା ଦାବି କରି ଆନ୍ଦୋଳନ ଚାଲିଥିବା ସମୟରେ ହିଂସା ହୋଇଥିଲା।ଏହି ଘଟଣାରେ ପୋଲିସ ଗୁଳିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।ଏହି ଘଟଣାର ତଦନ୍ତ ପାଇଁ ନ୍ୟାୟିକ ତଦନ୍ତ କମିଶନ ଗଠନ ହୋଇଥିଲା।ୱାଙ୍ଗଚୁକଙ୍କ ଅଭିଯୋଗ ହେଉଛି, ଏତେ ଦିନ ପରେ ମଧ୍ୟ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଇନାହିଁ। ସେ ଏହି ରିପୋର୍ଟ ତୁରନ୍ତ ପ୍ରକାଶ କରିବାକୁ ଦାବି କରିଛନ୍ତି।
ସୋନମ ୱାଙ୍ଗଚୁକଙ୍କ ମୁଖ୍ୟ ଦାବି କ'ଣ?
ଲଦାଖର ଲୋକଙ୍କ ପାଇଁ ସେ ଦୀର୍ଘଦିନ ଧରି ମୁଖ୍ୟତଋ ୫ଟି ଦାବି ଉଠାଇ ଆସୁଛନ୍ତି। ସେଗୁଡ଼ିକ ହେଲା- ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯାଉ, ସମ୍ୱିଧାନର ଷଷ୍ଠ ଅନୁସୂଚୀ ଅନୁସାରେ ସୁରକ୍ଷା ମିଳୁ, ସ୍ଥାନୀୟ ଲୋକଙ୍କ ଜମି ଓ ସାଂସ୍କୃତିକ ପରିଚୟ ସୁରକ୍ଷିତ ରହୁ, ଲଦାଖରେ ନିଯୁକ୍ତି ଓ ରାଜନୈତିକ ଅଧିକାର ସୁରକ୍ଷିତ ହେଉ ଓ ୨୦୨୫ ଲେହ ହିଂସାର ତଦନ୍ତ ରିପୋର୍ଟ ପ୍ରକାଶ କରାଯାଉ।
ପୂର୍ବରୁ NSA ଆଇନରେ ଗିରଫ ହୋଇଥିଲେ ୱାଙ୍ଗଚୁକ୍
୨୦୨୫ ସେପ୍ଟେମ୍ୱର ୨୬ରେ ଲେହ ହିଂସା ପରେ ସୋନମ ୱାଙ୍ଗଚୁକଙ୍କୁ National Security Act (NSA) ଅନୁସାରେ ଅଟକ ରଖାଯାଇଥିଲା। ପ୍ରାୟ ୬ ମାସ ଜେଲ୍ରେ ରହିବା ପରେ ୨୦୨୬ ମାର୍ଚ୍ଚ ୧୪ରେ କେନ୍ଦ୍ର ସରକାର ତାଙ୍କ ନିରୋଧ ଆଦେଶ ପ୍ରତ୍ୟାହାର କରିଥିଲେ।
ଏହି ଘଟଣା ଏବେ ଲଦାଖର ରାଜନୈତିକ ଅଧିକାର, ନିର୍ବାଚନୀ ପ୍ରକ୍ରିୟା ଓ ପ୍ରତିବାଦ କରିବାର ସାମ୍ୱିଧାନିକ ଅଧିକାରକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
