Paraglider Rescued:ଆକାଶରେ ୩ ଘଣ୍ଟା ଝୁଲିଲା ଜୀବନ
ପାହାଡ଼ ଉପରୁ ପାରାଗ୍ଲାଇଡିଂ ଆରମ୍ଭ କରିଥିଲେ,ହେଲେ ଅଧା ଆକାଶରେ ଝୁଲିରହିଲା ଜୀବନ। ୨୦୦ ଫୁଟ୍ ଉଚ୍ଚରେ ୩୩ କେଭି ବିଦ୍ୟୁତ୍ ତାରରେ ଫସି ରହିଲେ ରୁଷୀୟ ପାରାଗ୍ଲାଇଡର୍। ତିନି ଘଣ୍ଟାର ଅପରେସନ୍ ପରେ ମିଳିଲା ନୂଆ ଜୀବନ।
ହିମାଚଳ ପ୍ରଦେଶ:ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ପାରାଗ୍ଲାଇଡିଂ ବେଳେ ଟଳିଗଲା ଏକ ବଡ଼ ଅଘଟଣ । ବୀଡ୍ ବିଲିଂରୁ ଉଡ଼ାଣ ଭରିଥିବା ଜଣେ ରୁଷୀୟ ପାରାଗ୍ଲାଇଡର୍ ପାଇଲଟ୍ ପ୍ରାୟ ୨୦୦ ଫୁଟ୍ ଉଚ୍ଚରେ ୩୩ କେଭି ହାଇଟେନସନ୍ ବିଦ୍ୟୁତ୍ ତାରରେ ଫସିଯାଇଥିଲେ। ମଣ୍ଡି-ପଧର ହାଇୱେର ଟାଣ୍ଡୁ ନିକଟରେ ଘଟିଥିବା ଏହି ଘଟଣା ପରେ ପ୍ରାୟ ତିନି ଘଣ୍ଟା ଧରି ଉଦ୍ଧାର ଅଭିଯାନ ଚାଲିଥିଲା। ଶେଷରେ SDRF ଯବାନଙ୍କ ସାହସିକତା ଯୋଗୁଁ ପାଇଲଟ୍ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୋମବାର ଅପରାହ୍ନ ପ୍ରାୟ ୨ଟାରେ ରୁଷୀୟ ପାଇଲଟ୍ ଜଣକ ବୀଡ୍ ବିଲିଂରୁ ପାରାଗ୍ଲାଇଡିଂ ପାଇଁ ଉଡ଼ାଣ ଭରିଥିଲେ। ଉଡ଼ାଣ ସମୟରେ ନିୟନ୍ତ୍ରଣ ହରାଇ ସେ ଟାଣ୍ଡୁ ନିକଟରେ ଥିବା ୩୩ କେଭି ବିଦ୍ୟୁତ୍ ତାରରେ ଛନ୍ଦି ହୋଇଯାଇଥିଲେ। ଏତେ ଉଚ୍ଚରେ ପାଇଲଟ୍ ଫସି ରହିବା ଦେଖି ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ଉଦ୍ଧାରକାର୍ଯ୍ୟକୁ ସୁରକ୍ଷିତ କରିବା ପାଇଁ ପ୍ରଥମେ ବିଦ୍ୟୁତ୍ ଲାଇନ୍ ବନ୍ଦ କରାଯାଇଥିଲା। ଏହାପରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଗାବର କନଷ୍ଟ୍ରକ୍ସନ୍ କମ୍ପାନୀର ମେସିନ୍ ସହାୟତାରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। NDRF, SDRF, ଅଗ୍ନିଶମ ବିଭାଗ ଓ ପୋଲିସର ଟିମ୍ ମିଳିତ ଭାବେ ଅପରେସନ୍ରେ ସାମିଲ ହୋଇଥିଲେ। ସୁନ୍ଦରନଗରରୁ ଆସିଥିବା SDRF ଯବାନ ନବୀନ କୁମାର ପ୍ରାୟ ୨୦୦ ଫୁଟ୍ ଉପରକୁ ଯାଇ ବିପଜ୍ଜନକ ପରିସ୍ଥିତିରେ ପାଇଲଟ୍ଙ୍କୁ ଉଦ୍ଧାର କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ଉଦ୍ଧାର ପରେ ପାଇଲଟ୍ଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମଣ୍ଡି ଜୋନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଜିଲ୍ଲାପାଳ ଅପୂର୍ବ ଦେବଗନ୍, ଏସ୍ପି ବିନୋଦ କୁମାର, ପଧର ଏସ୍ଡିଏମ୍ ସୁରଜିତ୍ ସିଂହ, ଏସ୍ଡିଏମ୍ ସଦର ଏବଂ ଡିଏସ୍ପି ଲୋକେନ୍ଦ୍ର ନେଗୀ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଅନ୍ୟପଟେ ରେସ୍କ୍ୟୁ ଅପରେସନ୍ ଯୋଗୁଁ ମଣ୍ଡି-ପଧର ସୁପର ହାଇୱେରେ ପ୍ରାୟ ତିନି ଘଣ୍ଟା ଧରି ଯାତାୟାତ ପ୍ରଭାବିତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିର ଲମ୍ବା ଧାଡ଼ି ଲାଗିଥିଲେ ମଧ୍ୟ ପାଇଲଟ୍ଙ୍କ ଜୀବନ ବଞ୍ଚାଇବା ପାଇଁ ସାଧାରଣ ଲୋକେ ପ୍ରଶାସନକୁ ସହଯୋଗ କରିଥିଲେ।
