Shocking spo killing case : ରହସ୍ୟ ଘେରରେ ୨ SPOଙ୍କ ହତ୍ୟା! ମୃତଦେହ ମିଳିଲା, ଅସ୍ତ୍ରଶସ୍ତ୍ର ଗାଏବ
କିସ୍ତୱାଡ଼ରେ ହଠାତ୍ ନିଖୋଜ ହେଲେ ୨ SPO, ପରଦିନ ଜଙ୍ଗଲରୁ ମିଳିଲା ଗୁଳିବିଦ୍ଧ ମୃତଦେହ! କିଏ ଓ କାହିଁକି କଲା ଏହି ହତ୍ୟା? ଘଟଣାକୁ ନେଇ ଜମ୍ମୁ-କାଶ୍ମୀରରେ ହଇଚଇ।
ଜମ୍ମୁ-କାଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ଦୁଇଜଣ ସ୍ପେଶାଲ୍ ପୋଲିସ୍ ଅଫିସର (SPO)ଙ୍କୁ ହତ୍ୟା କରାଯାଇଛି। ନିଖୋଜ ହେବାର ଗୋଟିଏ ଦିନ ପରେ ଉଭୟଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ବଢ଼ିଥିବା ବେଳେ ସୁରକ୍ଷା ବାହିନୀ ପକ୍ଷରୁ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି। ମୃତକ ଦୁଇଜଣ ହେଲେ ୫୭ ବର୍ଷୀୟ ବାବି ଚନ୍ଦ ଓ ୪୫ ବର୍ଷୀୟ ରଶପାଲ କୁମାର। ଉଭୟ ଦକ୍ଷିଣ କାଶ୍ମୀରର କିୟାର ଗାଁରେ ସ୍ଥାନୀୟ ପୋଲିସର ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (SOG)ରେ ନିୟୋଜିତ ଥିଲେ । ଗତକାଲି ନିଜ କ୍ୟାମ୍ପ୍ରୁ ଧରଣା-ମାଡୱା ଅଞ୍ଚଳରେ ଥିବା ସେନା ଚୌକି ଅଭିମୁଖେ ଯାଉଥିବା ସମୟରେ ସେମାନେ ନିଖୋଜ ହୋଇଯାଇଥିଲେ।
ଡ୍ରୋନ୍ ଓ ସନ୍ଧାନୀ କୁକୁରଙ୍କ ସହାୟତାରେ ଚାଲିଥିଲା ଖୋଜାଖୋଜି
ଦୁଇଜଣ SPO ନିଖୋଜ ହେବାର ଖବର ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଡ୍ରୋନ୍ ଏବଂ ସନ୍ଧାନୀ କୁକୁରଙ୍କ ସହାୟତାରେ ତଲାସୀ କରାଯାଇଥିଲା । ପ୍ରଥମେ ଉଭୟଙ୍କ ମୋବାଇଲ୍ ଫୋନ୍ରେ ଯୋଗାଯୋଗ ସମ୍ଭବ ହେଉଥିଲା । କିନ୍ତୁ ପରେ ଫୋନ୍ଗୁଡ଼ିକ ସୁଇଚ୍ ଅଫ୍ ହୋଇଯିବାରୁ ସୁରକ୍ଷା ଏଜେନ୍ସିଙ୍କ ଚିନ୍ତା ବଢ଼ିଥିଲା। ଶେଷରେ ସର୍ଚ୍ଚ ଅପରେସନ୍ ସମୟରେ ଉଭୟଙ୍କ ମୃତଦେହ ମିଳିଥିଲା । ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୃତଦେହ ଗୁଳିମାଡ଼ରେ କ୍ଷତବିକ୍ଷତ ହୋଇଥିଲା। ନିଖୋଜ ହେବା ସମୟରେ ଉଭୟଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିଲା। କିନ୍ତୁ ମୃତଦେହ ଉଦ୍ଧାର ବେଳେ ସେମାନଙ୍କ ଅସ୍ତ୍ରଶସ୍ତ୍ର ମିଳିନଥିବା ଜଣାପଡ଼ିଛି ।
କିସ୍ତୱାଡ଼ର ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି ଚିନ୍ତାର କାରଣ
କିସ୍ତୱାଡ଼ ଜିଲ୍ଲାର ଦୁର୍ଗମ ଓ ଘଞ୍ଚ ଜଙ୍ଗଲ ଅଞ୍ଚଳ ଦୀର୍ଘଦିନ ଧରି ସୁରକ୍ଷା ବାହିନୀ ପାଇଁ ଚ୍ୟାଲେଞ୍ଜ ହୋଇରହିଛି। ଏହି ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଲଗାତାର ଅପରେସନ୍ ଚାଲିଛି । ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୬ରେ ଆତଙ୍କବାଦୀ ଘଟଣାରେ ୪ ଜଣ ଆତଙ୍କବାଦୀ ଓ ଜଣେ ସେନା ଯବାନଙ୍କ ସମେତ ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୫ରେ ୩ ଜଣ ଆତଙ୍କବାଦୀ ଓ ଜଣେ ସେନା ଯବାନଙ୍କ ସମେତ ୪ ଜଣ ପ୍ରାଣ ହରାଇଥିଲେ। ସେହିପରି ୨୦୨୪ରେ ୩ ଜଣ ସୁରକ୍ଷାକର୍ମୀ ଓ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।
ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି
ଦୁଇ SPOଙ୍କ ହତ୍ୟା ପରେ କିସ୍ତୱାଡ଼ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ହତ୍ୟାକାରୀଙ୍କୁ ଚିହ୍ନଟ କରି ଶୀଘ୍ର ଗିରଫ କରିବା ସହ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି। ଅନ୍ୟପଟେ, ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀର ତଲାସୀ ଅଭିଯାନ ଜାରି ରହିଛି।
'ଦୁଇ ଜୀବନ ବଦଳରେ ଚାରିଗୁଣା ଜବାବ ଦିଆଯାଉ': ବିଜେପି ବିଧାୟିକା
ଏହି ଘଟଣାକୁ ନେଇ କିସ୍ତୱାଡ଼ର ବିଜେପି ବିଧାୟିକା ଶଗୁନ ପରିହାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ ଦୁଇ SPO ନିଖୋଜ ଥିବା ଖବର ମିଳିଥିଲା। ଗୁରୁବାର ସକାଳ ପ୍ରାୟ ୮ଟାରେ ଜଣଙ୍କର ଏବଂ ୯ଟାରେ ଅନ୍ୟ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଶଗୁନ ପରିହାର ଏହି ଘଟଣା ପାଇଁ ପାକିସ୍ତାନକୁ ଦାୟୀ କରିବା ସହ ଦୁଇ SPOଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କଠୋର ପଦକ୍ଷେପ ନେବାକୁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଦୁଇଟି ଜୀବନର ବଦଳରେ ଚାରିଗୁଣା କଡ଼ା ଜବାବ ଦେବାକୁ ସେ ଦାବି କରିଛନ୍ତି। ସେ ଘଟଣାସ୍ଥଳ ଅଭିମୁଖେ ଯାଉଥିବା ମଧ୍ୟ କହିଛନ୍ତି। ଏପଟେ ଦୁଇ SPOଙ୍କ ହତ୍ୟା ପଛରେ କାହାର ହାତ ରହିଛି, ତାହା ଜାଣିବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକର ତଦନ୍ତ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି।
