Kedarnath Yamunotri Dham: ବରଫପାତ ପାଇଁ ବନ୍ଦ ହେଲା କେଦାରନାଥ ପୀଠ
ଭାଇ ଦୂଜ୍ ଅବସରରେ ଶୀତକାଳ ପାଇଁ ବନ୍ଦ ହେଲା କେଦାରନାଥ ଓ ଯମୁନୋତ୍ରୀ ଧାମର କବାଟ। ଚଳିତ ବର୍ଷ ଚାରଧାମ ଯାତ୍ରାରେ ୬୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ରେକର୍ଡ ଦର୍ଶନ।
ଉତ୍ତରାଖଣ୍ଡ: ଭାଇ ଦୂଜ୍ ଅବସରରେ ଆଜି ଶୀତକାଳ ପାଇଁ ବନ୍ଦ ହୋଇଛି ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ଓ ଯମୁନୋତ୍ରୀ ଧାମର କବାଟ। ଏହା ସହିତ ଚଳିତ ବର୍ଷର ବାର୍ଷିକ ଗ୍ରୀଷ୍ମକାଳୀନ ତୀର୍ଥଯାତ୍ରାର ପରିସମାପ୍ତି ଘଟିଛି। ମନ୍ଦିର ଦୁଇଟିକୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଫୁଲରେ ସୁନ୍ଦର ଭାବେ ସଜାଯାଇଥିବା ବେଳେ କବାଟ ବନ୍ଦ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ରୁଦ୍ରପ୍ରୟାଗ ଜିଲ୍ଲାରେ ଅବସ୍ଥିତ ଶ୍ରୀ କେଦାରନାଥ ଧାମର କବାଟ ଆଜି ସକାଳ ୮ଟା ୩୦ ମିନିଟରେ ବୈଦିକ ରୀତିନୀତି ଓ ଧାର୍ମିକ ପରମ୍ପରା ଅନୁସାରେ ବନ୍ଦ କରାଯାଇଛି। ଏହାପରେ ବାବା କେଦାରଙ୍କ ପବିତ୍ର ଚଳନ୍ତି ବିଗ୍ରହ ପାଲିଙ୍କି ଉଖିମଠର ଓମକାରେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବ। ଶୀତକାଳରେ ଏହି ମନ୍ଦିରରେ ହିଁ ପ୍ରଭୁ କେଦାରନାଥଙ୍କ ପୂଜାର୍ଚ୍ଚନା କରାଯିବ।
ସେହିପରି ଉତ୍ତରକାଶୀ ଜିଲ୍ଲାରେ ଥିବା ଶ୍ରୀ ଯମୁନୋତ୍ରୀ ଧାମର କବାଟ ଆଜି ପୂର୍ବାହ୍ନ ୧୦ଟା ୨୮ ମିନିଟରେ ବନ୍ଦ ହୋଇଛି। ଏହାପରେ ମା’ ଯମୁନାଙ୍କ ପବିତ୍ର ପାଲିଙ୍କି ତାଙ୍କର ଶୀତକାଳୀନ ଆସ୍ଥାନ ଖରସାଲି ଅଭିମୁଖେ ଯାତ୍ରା କରିବ। ଚଳିତ ବର୍ଷ ଚାରଧାମ ଯାତ୍ରାରେ ୬୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି। ଏହା ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହା ପୂର୍ବରୁ ଗତକାଲି ଅନ୍ନକୂଟ ପର୍ବ ଅବସରରେ ଶ୍ରୀ ଗଙ୍ଗୋତ୍ରୀ ଧାମର କବାଟ ମଧ୍ୟ ଶୀତକାଳ ପାଇଁ ବନ୍ଦ କରାଯାଇଥିଲା। ଶୀତଋତୁରେ ଚାରିଧାମର ମନ୍ଦିରଗୁଡ଼ିକରେ ନିୟମିତ ପୂଜାର୍ଚ୍ଚନା ସେମାନଙ୍କର ନିର୍ଦ୍ଧାରିତ ଶୀତକାଳୀନ ଆସ୍ଥାନରେ ଜାରି ରହିବ।
