MINISTER'S HUSBAND ARRESTED:ଉତ୍ତରାଖଣ୍ଡ ମନ୍ତ୍ରୀଙ୍କ ସ୍ୱାମୀ ଗିରଫ
ଉତ୍ତରାଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ରେଖା ଆର୍ଯ୍ୟଙ୍କ ସ୍ୱାମୀ ଗିରଧାରୀ ଲାଲ ସାହୁ ଗିରଫ। ପତ୍ନୀଙ୍କ ଅଭିଯୋଗ ପରେ ଫେରାର ଥିବା ଗିରଧାରୀଙ୍କୁ ଉତ୍ତରପ୍ରଦେଶର ଝାନ୍ସୀରୁ ଗିରଫ କରିଛି ଦେହରାଦୁନ ପୋଲିସ।

ଉତ୍ତରାଖଣ୍ଡ:ଉତ୍ତରାଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ରେଖା ଆର୍ଯ୍ୟଙ୍କ ସ୍ୱାମୀ ଗିରଫ। ଗିରଧାରୀ ଲାଲ ସାହୁ ଓରଫ ପପ୍ପୁ ଗିରଧାରୀଙ୍କୁ ଉତ୍ତରପ୍ରଦେଶର ଝାନ୍ସୀରୁ ଗିରଫ କରିଛି ଦେହରାଦୁନ ପୋଲିସ। ପତ୍ନୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହେବା ପରଠାରୁ ସେ ଫେରାର ଥିଲେ। ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପୋଲିସ ଖୋଜାଖୋଜି ଜାରି ରଖିଥିଲା।ସୂଚନା ଅନୁସାରେ, ଉତ୍ତରାଖଣ୍ଡ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ରେଖା ଆର୍ଯ୍ୟ ଗତ ଅକ୍ଟୋବର ୧୫ ତାରିଖରେ ଦେହରାଦୁନର କ୍ୟାଣ୍ଟ ଥାନାରେ ସ୍ୱାମୀଙ୍କ ବିରୋଧରେ ଏତଲା ଦେଇଥିଲେ। ଏଥିରେ ଉତ୍ପୀଡ଼ନ, ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଏବଂ ହତ୍ୟା ଷଡ଼ଯନ୍ତ୍ର ଭଳି ଗୁରୁତର ଅଭିଯୋଗ ଆଣିଥିଲେ। ଏହାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପାଇଁ ଏସଆଇଟି ମଧ୍ୟ ଗଠନ କରାଯାଇଥିଲା।ଗିରଫଦାରୀରୁ ବର୍ତ୍ତିବା ପାଇଁ ଗିରଧାରୀ ଲାଲ ସାହୁ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିଲା। ନଭେମ୍ବର ୪ ତାରିଖରେ ଉତ୍ତରାଖଣ୍ଡ ହାଇକୋର୍ଟ ମଧ୍ୟ ଏତଲା ରଦ୍ଦ ଓ ଗିରଫଦାରୀ ଉପରେ ରୋକ୍ ଲଗାଇବା ଆବେଦନକୁ ଖାରଜ କରିଥିଲେ। ଅନ୍ୟପକ୍ଷରେ, ଗିରଧାରୀ ଲାଲ ସାହୁ ମଧ୍ୟ ରେଖା ଆର୍ଯ୍ୟଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏବେ ଗିରଫ ପରେ ପୋଲିସର ପରବର୍ତ୍ତୀ ତଦନ୍ତ ଉପରେ ନଜର ରହିଛି।
