Gandhi Family Not Come Plz : ଧାରଣାସ୍ଥଳକୁ ନ ଆସିବାକୁ ରାହୁଲ ଗାନ୍ଧୀଙ୍କୁ ଭୀମ ସିଂହଙ୍କ ଅନୁରୋଧ
ଶିଖ୍ ପନ୍ଥର ଆସ୍ଥାକୁ ନେଇ ରାହୁଲ ଗାନ୍ଧୀଙ୍କ ମାନସା ଗସ୍ତକୁ ବିରୋଧ କଲେ ଭୀମ ସିଂହ |

୪ ନଭେମ୍ବରରେ ସାଙ୍ଗରୁର ରାଲିରେ ଯୋଗଦେବାକୁ ଯାଉଥିବା ରାହୁଲ ଗାନ୍ଧୀଙ୍କୁ ନେଇ ମାନସାରେ ଚାଲିଥିବା ପରବିନ୍ଦର ଝୋଟା ଇନ୍ସାଫ୍ ମୋର୍ଚ୍ଚାରେ ନୂଆ ବିବାଦ ସୃଷ୍ଟି ହୋଇଛି | ଧାରଣାସ୍ଥଳକୁ ରାହୁଲ ଗାନ୍ଧୀ ଆସିବା ନେଇ ବାର୍ତ୍ତା ମିଳିବା ପରେ ଝୋଟାଙ୍କ ପିତା ଭୀମ ସିଂହ ନିଜ ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ମନୋମାଳିନ୍ୟ ନାହିଁ | କିନ୍ତୁ ରାହୁଲ ଗାନ୍ଧୀ ଇନ୍ଦିରା ଗାନ୍ଧୀଙ୍କ ପରିବାରର ହୋଇଥିବାରୁ ତାଙ୍କୁ ଧାରଣାସ୍ଥଳକୁ ନଆସିବାକୁ ସେ ଅନୁରୋଧ କରିଛନ୍ତି | ଏହା ସହିତ ଇନ୍ଦିରା ଗାନ୍ଧୀ କିମ୍ବା ବେଅନ୍ତ ସିଂହଙ୍କ ପରିବାରର କୌଣସି ସଦସ୍ୟ ଧାରଣାସ୍ଥଳକୁ ନଆସନ୍ତୁ ବୋଲି ସେ କହିଛନ୍ତି |
କିଏ ପରବିନ୍ଦର ସିଂହ ଝୋଟା ?
ପରବିନ୍ଦର ସିଂହ ଝୋଟା (୪୨) ପଞ୍ଜାବର ମାନସା ଜିଲ୍ଲାର ଜଣେ ପରିଚିତ ନିଶା ବିରୋଧୀ କର୍ମୀ ତଥା ପୂର୍ବତନ ଜାତୀୟ ସ୍ତରର ଆଥଲେଟ୍ ଓ ବକ୍ସର ଥିଲେ | ସେ ‘ନିଶା ରୋକୋ, ରୋଜଗାର ଦୋ’ ଅଭିଯାନ ମାଧ୍ୟମରେ ନିଶା କାରବାର ବିରୋଧରେ ସ୍ୱର ଉଠାଉଥିଲେ | ୧୩ ଅକ୍ଟୋବର ୨୦୨୬ରେ ମାନସାରେ ଏକ ଔଷଧ ଦୋକାନ ବାହାରେ ଫେସବୁକ୍ ଲାଇଭ୍ କରୁଥିବା ସମୟରେ ଔଷଧ ବିକ୍ରେତା ଅଶ୍ୱନୀ କୁମାରଙ୍କ ସହ ତାଙ୍କର ବଚସା ହୋଇଥିଲା | ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା | ଏହାକୁ ନେଇ ପଞ୍ଜାବରେ ରାଜନୈତିକ ବିବାଦ ସହ ବିରୋଧ ପ୍ରଦର୍ଶନ ହୋଇଥିଲା।
ରାହୁଲ ଗାନ୍ଧୀଙ୍କୁ କାହିଁକି ଆସିବାକୁ ମନା କଲେ ଭୀମ ସିଂହ?
ପୁଅଙ୍କ ନ୍ୟାୟ ଦାବିରେ ମାନସାରେ ଚାଲିଥିବା ପ୍ରଦର୍ଶନ ସ୍ଥଳକୁ ରାହୁଲ ଗାନ୍ଧୀ ଓ ବେଅନ୍ତ ସିଂହଙ୍କ ପରିବାର ନ ଆସିବାକୁ ଅନୁରୋଧ କରିଛନ୍ତି ଭୀମ ସିଂହ | ସେ ଏହାର କାରଣ ନିଜ ଶିଖ୍ ଧର୍ମ ଓ ପନ୍ଥ ସହ ଯୋଡ଼ିଛନ୍ତି | ତାଙ୍କ କହିବା ଅନୁଯାୟୀ, ଯଦି ସେ ଏହି ପରିବାରଗୁଡ଼ିକୁ ପ୍ରଦର୍ଶନ ସ୍ଥଳକୁ ଆସିବାକୁ ଅନୁମତି ଦିଅନ୍ତି, ତେବେ ତାଙ୍କୁ ପନ୍ଥ ପକ୍ଷରୁ ‘ତନଖାହିଆ’ ଘୋଷଣା କିମ୍ବା ବହିଷ୍କାର କରାଯିବାର ଭୟ ରହିଛି | ସେ ନିଜ ଧର୍ମ ଓ ପନ୍ଥର ଅପମାନ କରିପାରିବେ ନାହିଁ ବୋଲି କହିଛନ୍ତି।
ରାଜନୈତିକ ନେତାଙ୍କ ଭିଡ଼
ନିକଟରେ ଆମ୍ ଆଦମୀ ପାର୍ଟି (AAP) ସରକାରଙ୍କ ପ୍ରତିନିଧିମାନେ ପ୍ରଥମ ଥର ପୀଡ଼ିତ ପରିବାରକୁ ଭେଟିଛନ୍ତି। ଏହା ପୂର୍ବରୁ ଅକ୍ଟୋବର ୨୦ରେ ଅମିତ ଶାହ, ପ୍ରତାପ ସିଂହ ବାଜୱା, ସଚିନ ପାଇଲଟ୍, ନବଜୋତ ସିଂହ ସିଦ୍ଧୁ, ସୁଖବୀର ସିଂହ ବାଦଲ ଏବଂ ସିଦ୍ଧୁ ମୁସେୱାଲାଙ୍କ ପିତା ମାନସାରେ ପହଞ୍ଚି ଭୀମ ସିଂହଙ୍କୁ ଭେଟିଥିଲେ।
