CCTV Exposes Police Scandal : ଡ୍ରଗ୍ସ ମାମଲାରେ ଫସାଇବାକୁ ଯାଇ ନିଜେ ଫସିଲେ ଏଏସଆଇ
ହିଡେନ୍ କ୍ୟାମେରାରେ କଏଦ ହେଲା ଏମିତି ଦୃଶ୍ୟ, ଯାହା ପୋଲିସ ବିଭାଗରେ ହଇଚଇ ସୃଷ୍ଟି କରିଦେଲା ! ଜଣେ ASI ନିଲମ୍ବିତ, ଆଉ ମୁକ୍ତ ହେଲେ ଶିବସେନା ନେତା !

ନିଶାଦ୍ରବ୍ୟ ଜବତ ମାମଲାକୁ ନେଇ ଖନ୍ନା ପୋଲିସ ଏବେ ବିବାଦ ଘେରରେ। ଶିବସେନା ନେତା ମହନ୍ତ କଶ୍ମୀର ଗିରିଙ୍କ ଘରର CCTV ଫୁଟେଜ୍ ସାମ୍ନାକୁ ଆସିବା ପରେ ଘଟଣା ନୂଆ ମୋଡ଼ ନେଇଛି। ଫୁଟେଜ୍ରେ ଜଣେ ASI କଥିତ ଭାବେ ବେଡ୍ର ଗଦି ତଳେ କିଛି ରଖୁଥିବା ନଜର ଆସିଛନ୍ତି | ଆଶ୍ଚର୍ଯ୍ୟର କଥା, ପୋଲିସ ପରେ ସେହି ସ୍ଥାନରୁ ୩୦ ଗ୍ରାମ ହେରୋଇନ୍ ମିଳିଥିବା ଦାବି କରି ମହନ୍ତଙ୍କୁ ଗିରଫ କରିଥିଲା | ଗିରଫ ପରେ ପରିବାର ଲୋକେ ଘରେ ଲାଗିଥିବା ହିଡେନ୍ କ୍ୟାମେରାର ରେକର୍ଡିଂ ସାମ୍ନାକୁ ଆଣିବା ପରେ ପୋଲିସର କାର୍ଯ୍ୟଶୈଳୀକୁ ନେଇ ଉଠିଛି ବଡ଼ ପ୍ରଶ୍ନ |
ପ୍ରଥମେ ଏକୁଟିଆ ରୁମ୍କୁ ପଶିଥିଲେ ପୋଲିସ କର୍ମଚାରୀ
CCTV ଫୁଟେଜ୍ରେ ପୂରା ଘଟଣା କ୍ରମାନୁସାରେ ଦେଖିବାକୁ ମିଳିଛି। ରେକର୍ଡିଂ ଅନୁସାରେ, ସାଧା ପୋଷାକରେ ଥିବା ASI ସୁଖଦେବ ସିଂହ ପ୍ରଥମେ ଏକୁଟିଆ ମହନ୍ତଙ୍କ ରୁମ୍କୁ ପ୍ରବେଶ କରିଥିଲେ। କିଛି ସମୟ ରହି ଚାରିପାଖକୁ ଦେଖିବା ପରେ ନିଜ ପକେଟ୍ରୁ ଏକ ଜିନିଷ ବାହାର କରି ବେଡ୍ର ଗଦି ତଳେ ରଖୁଥିବା ନଜର ଆସିଛି। ଏହାପରେ ସେ ଗଦିକୁ ଠିକ୍ କରି ରୁମ୍ରୁ ବାହାରି ଯାଇଥିଲେ। କିଛି ସମୟ ପରେ ସଦର ଥାନା ଅଧିକାରୀ ବିଜୟପାଲ ସିଂହ ଏବଂ ସିଟି ଥାନା-୨ ଅଧିକାରୀ ତରବିନ୍ଦର ବେଦୀ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ସେହି ରୁମ୍କୁ ପ୍ରବେଶ କରିଥିଲେ। ସେତେବେଳେ ମହନ୍ତ କଶ୍ମୀର ଗିରି ମଧ୍ୟ ପୋଲିସ ଟିମ୍ ସହ ଉପସ୍ଥିତ ଥିଲେ। ଫୁଟେଜ୍ରେ ASI ସୁଖଦେବ ସିଂହ ରୁମ୍ରୁ ବାହାରୁଥିବା ବେଳେ ଅନ୍ୟ ପୋଲିସ ଅଧିକାରୀମାନେ ଭିତରେ ରହି ତଲାସୀ କରୁଥିବା ଦେଖାଯାଇଛି। ପରେ ପୋଲିସ ଗଦି ତଳୁ ହେରୋଇନ୍ ମିଳିଥିବା ଦାବି କରିଥିଲା। ସେଠାରୁ ୩୦ ଗ୍ରାମ ନିଶାଦ୍ରବ୍ୟ ଜବତ ହୋଇଥିବା କହି ମହନ୍ତଙ୍କୁ ଗିରଫ କରାଯାଇଥିଲା।
ତେବେ ମହନ୍ତ ଘଟଣାସ୍ଥଳରେ ହିଁ ଏହି ଜବତ ନିଶାଦ୍ରବ୍ୟ ସହ ତାଙ୍କର କୌଣସି ସମ୍ପର୍କ ନଥିବା କହିଥିଲେ। ଘଟଣାଟି ବରିଷ୍ଠ ଅଧିକାରୀଙ୍କ ପାଖରେ ପହଞ୍ଚିବା ପରେ ଖନ୍ନାର SSP ଡକ୍ଟର ଦର୍ପଣ ଆହଲୁୱାଲିଆ ASI ସୁଖଦେବ ସିଂହଙ୍କୁ ନିଲମ୍ବିତ କରିଥିଲେ। ଏହାପରେ ମହନ୍ତ କଶ୍ମୀର ଗିରିଙ୍କୁ ମଧ୍ୟ ମୁକ୍ତ କରାଯାଇଥିଲା।
ଡ୍ରାଇଭରକୁ ପଚରାଉଚରା ପରେ ପ୍ରସ୍ତୁତ ହୋଇଥିଲା ଚଢ଼ାଉ ଯୋଜନା
ଏହି ପୂରା ଘଟଣାର ଆରମ୍ଭ ଗତ ଶୁକ୍ରବାର ଦିନ ପୋଲିସର ଏକ କାର୍ଯ୍ୟାନୁଷ୍ଠାନରୁ ହୋଇଥିଲା। ପୋଲିସର ସୂଚନା ଅନୁସାରେ, ମହନ୍ତ କଶ୍ମୀର ଗିରିଙ୍କ ଡ୍ରାଇଭର ଗୁରଜଣ୍ଟ ସିଂହ ଓରଫ ଜଣ୍ଟାଙ୍କୁ ୭.୫ ଗ୍ରାମ ହେରୋଇନ୍ ସହ ଗିରଫ କରାଯାଇଥିଲା । ଡ୍ରାଇଭରଙ୍କୁ ପଚରାଉଚରା ସମୟରେ ମିଳିଥିବା ତଥ୍ୟ ଆଧାରରେ ପୋଲିସ ମହନ୍ତଙ୍କ ବିରୋଧରେ ତଦନ୍ତ ଆଗକୁ ବଢ଼ାଇଥିଲା |ଏହାପରେ ଗତ ଶନିବାର ଅପରାହ୍ନରେ ସଦର ଥାନା ଏବଂ ସିଟି ଥାନା-୨ର ମିଳିତ ପୋଲିସ ଟିମ୍ ମହନ୍ତଙ୍କ ଘରେ ପହଞ୍ଚିଥିଲା। ଏହି ଚଢ଼ାଉ ସମୟରେ ୩୦ ଗ୍ରାମ ହେରୋଇନ୍ ଜବତ ହୋଇଥିବା ପୋଲିସ ଦାବି କରିଥିଲା | କିନ୍ତୁ ଏବେ ଘରର CCTV ଫୁଟେଜ୍ ସାମ୍ନାକୁ ଆସିବା ପରେ ନିଶାଦ୍ରବ୍ୟ ଜବତ ହେବାର ପ୍ରକୃତ ପରିସ୍ଥିତିକୁ ନେଇ ଅନେକ ଗମ୍ଭୀର ପ୍ରଶ୍ନ ଉଠିଛି।
ଅପରାଧିକ ମାମଲାକୁ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ଥିଲେ ମହନ୍ତ
ମହନ୍ତ କଶ୍ମୀର ଗିରି ପୂର୍ବରୁ ମଧ୍ୟ ବିଭିନ୍ନ ବିବାଦ ଓ ଅପରାଧିକ ମାମଲାକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ସେ ଆଣ୍ଟି-ଖଲିସ୍ତାନ ଫ୍ରଣ୍ଟର ଜାତୀୟ ପ୍ରଚାରକ ରହିଥିବା ବେଳେ ଶିବସେନାରେ ମଧ୍ୟ ରାଜ୍ୟସ୍ତରର ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି। ହତ୍ୟା ଉଦ୍ୟମ ସମେତ ତାଙ୍କ ବିରୋଧରେ ଏକାଧିକ ଗୁରୁତର ଅପରାଧିକ ମାମଲା ରୁଜୁ ହୋଇଥିବା ସୂଚନା ରହିଛି। ସେପ୍ଟେମ୍ବର ୨୦୨୫ରେ ତାଙ୍କ ଗ୍ୟାଙ୍ଗ୍ ସହ ସମ୍ପୃକ୍ତ ଥିବା ଅଭିଯୋଗରେ କିଛି ଲୋକଙ୍କୁ ଗିରଫ କରାଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ସେହି ପୋଲିସ କାର୍ଯ୍ୟାନୁଷ୍ଠାନରେ ଏକ କିଲୋଗ୍ରାମରୁ ଅଧିକ ହେରୋଇନ୍ ଜବତ ହୋଇଥିବା ଦାବି କରାଯାଇଥିଲା | ବର୍ତ୍ତମାନର ଘଟଣା ପୂର୍ବରୁ ମହନ୍ତ କଶ୍ମୀର ଗିରି ଜାମିନରେ ଜେଲ୍ରୁ ବାହାରେ ଥିଲେ |
