Foreigners die at hotel pool:ସୁଇମିଂ ପୁଲ୍ରେ କରେଣ୍ଟ ଲାଗି ୨ ବିଦେଶୀ ମୃତ
ବେଙ୍ଗାଲୁରୁର ହିଲଟନ୍ ଗ୍ରୁପ୍ର ପଞ୍ଚତାରକା କନରାଡ୍ ହୋଟେଲ୍ରେ ସୁଇମିଂ ପୁଲ୍ରେ ବିଦ୍ୟୁତ୍ ଆଘାତ ଲାଗି ଦୁଇ ବିଦେଶୀଙ୍କ ମୃତ୍ୟୁ ହୋଇଛି। ହୋଟେଲ୍ ପରିଚାଳନା ବିରୋଧରେ ଅବହେଳା ଅଭିଯୋଗ ହୋଇଥିବାବେଳେ ପୋଲିସର ତଦନ୍ତ ଜାରି ରହିଛି।
କର୍ଣ୍ଣାଟକ:ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲ୍ରେ ଅଘଟଣ। ସୁଇମିଂ ପୁଲ୍ରେ ବିଦ୍ୟୁତ୍ ଆଘାତ ଲାଗି ଦୁଇ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ୧୦ରେ ସହରର କନରାଡ୍ ହୋଟେଲ୍ର ତୃତୀୟ ମହଲାରେ ଥିବା ସୁଇମିଂ ପୁଲ୍ରେ ଏହି ଘଟଣା ଘଟିଥିଲା। ମୃତକ ଦୁଇ ଜଣ ଜର୍ମାନୀ ଓ ସ୍ଲୋଭାକିଆର ନାଗରିକ। ଏହି ଘଟଣାରେ ଜଣେ ଆମେରିକୀୟ ନାଗରିକ ଓ ଜଣେ ଭାରତୀୟ ହୋଟେଲ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜର୍ମାନୀର ୫୭ ବର୍ଷୀୟ ଆଲେକ୍ଜାଣ୍ଡର ମ୍ୟାକ୍ସିମିଲିଆନ୍ ଥାଇସ୍ ଏବଂ ସ୍ଲୋଭାକିଆର ୪୫ ବର୍ଷୀୟ ଜୁରାଜ ହୋରଭାଟ୍ ଅଛନ୍ତି। ଆଲେକ୍ଜାଣ୍ଡର ଲୁଫ୍ଥାନ୍ସା ବିମାନ କମ୍ପାନୀର କ୍ରୁ ସଦସ୍ୟ ଥିବାବେଳେ ଜୁରାଜ ଆଇବିଏମ୍ (IBM) ଭଳି ପ୍ରମୁଖ ଟେକ୍ନୋଲୋଜି କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଥିଲେ। ପୋଲିସ ଅଭିଯୋଗ ଅନୁସାରେ, ଦୁଇ ବିଦେଶୀ ସୁଇମିଂ ପୁଲ୍ରୁ ବାହାରିବାକୁ ଉଦ୍ୟମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ ଏବଂ ପାଣିରେ ବୁଡ଼ିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ହୋଟେଲ୍ରେ ରହୁଥିବା ୪୧ ବର୍ଷୀୟ ଆମେରିକୀୟ ନାଗରିକ ମାଥ୍ୟୁ ଡିସାଣ୍ଟିସ୍ ଏବଂ ୨୮ ବର୍ଷୀୟ ଭାରତୀୟ ପୁଲ୍ ଆଟେଣ୍ଡାଣ୍ଟ ରାହୁଲ ତିୱାରୀ ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ଘଟଣା ପରେ ଚାରି ଜଣଙ୍କୁ ମଣିପାଳ ହସ୍ପିଟାଲ୍ ନିଆଯାଇଥିଲା। ହସ୍ପିଟାଲ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଜର୍ମାନୀ ନାଗରିକଙ୍କୁ ମୃତ ଅବସ୍ଥାରେ ହସ୍ପିଟାଲ୍ ଅଣାଯାଇଥିଲା। ଅନ୍ୟପଟେ ସ୍ଲୋଭାକିଆ ନାଗରିକଙ୍କୁ ବଞ୍ଚାଇବା ପାଇଁ ଡାକ୍ତର ସିପିଆର୍ (CPR) ଦେଇଥିଲେ। କିନ୍ତୁ ସମସ୍ତ ଚିକିତ୍ସା ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇପାରିନଥିଲା। ଆମେରିକୀୟ ନାଗରିକ ବିଦ୍ୟୁତ୍ ପ୍ରବାହ ଅନୁଭବ କରିବା ପରେ ଉଦ୍ଧାର ପାଇଁ ପୁଲ୍କୁ ଡେଇଁଥିଲେ। ତାଙ୍କର ମୁଣ୍ଡବିନ୍ଧା ଓ ମାନସିକ ଆଘାତ ଭଳି ଲକ୍ଷଣ ଦେଖାଦେଇଥିଲା। ହୋଟେଲ୍ କର୍ମଚାରୀ ମଧ୍ୟ ଆଘାତ ଯୋଗୁଁ ଚିକିତ୍ସାଧୀନ ଥିଲେ। ଉଭୟଙ୍କ ଅବସ୍ଥା ସ୍ଥିର ଥିବାବେଳେ ଶୀଘ୍ର ଡିସଚାର୍ଜ ହେବାର ସମ୍ଭାବନା ଥିବା ହସ୍ପିଟାଲ୍ କହିଛି। ଏହି ଘଟଣାକୁ ନେଇ ଜର୍ମାନୀ ନାଗରିକ ଆଲେକ୍ଜାଣ୍ଡରଙ୍କ ପତ୍ନୀ ସିଲଭିଆ ଓଟାୱା ପୋଲିସରେ ଅଭିଯୋଗ କରିଛନ୍ତି। ସୁଇମିଂ ପୁଲ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ନକରିବା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ହୋଟେଲ୍ ପରିଚାଳନାକୁ ଦାୟୀ କରାଯାଇଛି। ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ କନରାଡ୍ ହୋଟେଲ୍ ପରିଚାଳନା ଏକ ବିବୃତି ଜାରି କରି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛି। ମୃତକଙ୍କ ପରିବାର ଓ ପ୍ରଭାବିତ ସମସ୍ତଙ୍କ ପ୍ରତି ସମବେଦନା ଜଣାଇବା ସହ ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା କହିଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରାଯାଉଥିବା ମଧ୍ୟ ଜଣାଇଛି। ଘଟଣା ପରେ ହୋଟେଲ୍ର ୱେବସାଇଟ୍ରେ ଅକ୍ଟୋବର ୩୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ସୁଇମିଂ ପୁଲ୍କୁ ରକ୍ଷଣାବେକ୍ଷଣ ପାଇଁ ବନ୍ଦ ରଖାଯିବ ବୋଲି ସୂଚନା ଦିଆଯାଇଛି। ହିଲଟନ୍ ଗ୍ରୁପ୍ର ଅଂଶ ଥିବା ଏହି ୨୪ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ହୋଟେଲ୍ରେ ଗୋଟିଏ ସାଧାରଣ କୋଠରୀର ରାତିକ ପିଛା ଭଡ଼ା ଅତି କମ୍ରେ ୨୫ ହଜାର ଟଙ୍କା। ତେଣୁ ଏଭଳି ହୋଟେଲ୍ର ସୁରକ୍ଷା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି।
