Fatal Mercedes Crash : ମର୍ସିଡିଜ୍ ନେଲା ଜୀବନ, ମାମଲାରେ ଫସିଲେ ବିଚାରପତି!
ରାତି ୨ଟା ୧୪ରେ ଆସିଥିଲା ଫୋନ୍, ତା’ପରେ ଜଣାପଡ଼ିଲା ଭୟଙ୍କର ଘଟଣା ! ବିଚାରପତିଙ୍କ ମାମଲାରେ ବଡ଼ ଟ୍ୱିଷ୍ଟ

ନାବାଳକ ପୁଅ ଚଳାଉଥିବା ମର୍ସିଡିଜ୍-ବେଞ୍ଜ୍ କାର୍ ଧକ୍କାରେ ଜଣେ ସ୍କୁଟର ଚାଳକଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶଙ୍କୁ ଗିରଫ ନ କରିବାକୁ କେରଳ ହାଇକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତିଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ନ୍ୟାୟମୂର୍ତ୍ତି କୌସର ଏଡାପ୍ପାଗଥଙ୍କ ଖଣ୍ଡପୀଠ ଏହି ଅନ୍ତରୀଣ ଆଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୫ ତାରିଖରେ ହେବ।
କ’ଣ ଥିଲା ଘଟଣା?
ରବିବାର ଭୋର ସମୟରେ କୋଚିରେ ଏକ ମର୍ସିଡିଜ୍-ବେଞ୍ଜ୍ କାର୍ ଧକ୍କାରେ ୫୫ ବର୍ଷୀୟ ସ୍କୁଟର ଚାଳକ ଜୟବାଲକୃଷ୍ଣନଙ୍କ ମୃତ୍ୟୁ ହୋଇଥିଲା। ଅଭିଯୋଗ ଅନୁଯାୟୀ, କାର୍ଟି ଜଣେ ୧୭ ବର୍ଷୀୟ ନାବାଳକ ଚଳାଉଥିଲେ, ଯିଏ ଅଭିଯୁକ୍ତ ବିଚାରପତିଙ୍କ ପୁଅ।
ଦୁର୍ଘଟଣା ପରେ ନାବାଳକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୫ ଏବଂ ମୋଟର ଯାନ ଆଇନର ଧାରା ୧୮୧ ଓ ୧୮୩ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅନ୍ୟପଟେ, ନାବାଳକଙ୍କୁ ଗାଡ଼ି ଚଳାଇବାକୁ ଦେବା ସମ୍ପର୍କିତ ଅଭିଯୋଗରେ ବିଚାରପତିଙ୍କୁ ମୋଟର ଯାନ ଆଇନର ଧାରା ୧୯୯A ଅନୁଯାୟୀ ଅଭିଯୁକ୍ତ କରାଯାଇଛି।
ଗାଡ଼ି ନେବା ବିଷୟରେ ଜାଣିନଥିଲି: ବିଚାରପତି
ନିଜ ଆଗୁଆ ଜାମିନ ଆବେଦନରେ ବିଚାରପତି ଦାବି କରିଛନ୍ତି ଯେ, ତାଙ୍କ ଅଜାଣତରେ ପୁଅ ଘରୁ କାର୍ଟି ନେଇଯାଇଥିଲେ। ସେ ଶୋଇଥିବା ସମୟରେ ପୁଅ ଗୁପ୍ତରେ ଗାଡ଼ି ନେଇଯାଇଥିବାରୁ ଏ ସମ୍ପର୍କରେ ତାଙ୍କର କୌଣସି ଧାରଣା ନଥିଲା ବୋଲି ସେ ଆବେଦନରେ ଉଲ୍ଲେଖ କରିଛନ୍ତି।ତାଙ୍କ କହିବା ଅନୁଯାୟୀ, ରାତି ୨ଟା ୧୪ ମିନିଟ୍ରେ ପୁଅ ଫୋନ୍ କରି ଦୁର୍ଘଟଣା ବିଷୟରେ ଜଣାଇବା ପରେ ହିଁ ସେ ଘଟଣା ସମ୍ପର୍କରେ ଜାଣିଥିଲେ।
ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ
ବିଚାରପତିଙ୍କୁ ଆଗୁଆ ଜାମିନ ଦେବା ସମ୍ପର୍କିତ ଆବେଦନର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ, ମାମଲାର ତଦନ୍ତ ଆବଶ୍ୟକ। ଏଥିସହ ବିଚାରପତିଙ୍କୁ ନିର୍ଦ୍ଧାରିତ ସମୟରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆବେଦନକାରୀଙ୍କୁ ପଚରାଉଚରା କରିବା ସମୟରେ ଆଇନ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଆବେଦନରେ ବିଚାରପତିଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ସେ ପୂର୍ବରୁ ପୋଲିସ ନିକଟରେ ହାଜର ହୋଇ ଚାରି ଘଣ୍ଟା ଧରି ପଚରାଉଚରାର ସମ୍ମୁଖୀନ ହୋଇଛନ୍ତି। ଏଥିସହ ସାତ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ଥିବା ଅପରାଧ କ୍ଷେତ୍ରରେ ଗିରଫଦାରୀ ଏକ ବ୍ୟତିକ୍ରମ ହେବା ଉଚିତ ବୋଲି ଆବେଦନରେ ଯୁକ୍ତି ରଖାଯାଇଥିଲା।
ଗାଡ଼ି ଓ ଡିଜିଟାଲ୍ ଉପକରଣ ଜବତ
ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଜଣାଯାଇଥିଲା ଯେ, ଦୁର୍ଘଟଣାଗ୍ରସ୍ତ କାର୍ଟିକୁ ଜବତ କରାଯାଇଛି। ଏହା ସହ ବିଚାରପତିଙ୍କ ବାସଭବନରେ ତଲାସି କରାଯିବା ସହ ତାଙ୍କର ଡିଜିଟାଲ୍ ଉପକରଣଗୁଡ଼ିକୁ ମଧ୍ୟ ଜବତ କରାଯାଇଛି।ବିଚାରପତି ଜିଲ୍ଲା ଓ ସେସନ୍ସ ଜଜ୍ କ୍ୟାଡରର ଜଣେ ନ୍ୟାୟିକ ଅଧିକାରୀ ହୋଇଥିବାରୁ ତାଙ୍କର ଫେରାର ହେବା କିମ୍ବା ଆଇନଗତ ପ୍ରକ୍ରିୟାରୁ ଦୂରେଇ ରହିବାର ଆଶଙ୍କା ନାହିଁ ବୋଲି ତାଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା।
ନ୍ୟାୟ ପାଇଁ ଦାବି କଲେ ମୃତକଙ୍କ ପରିବାର
ହାଇକୋର୍ଟଙ୍କ ଆଦେଶ ପରେ ମୃତକ ଜୟବାଲକୃଷ୍ଣନଙ୍କ ଝିଅ ଭଦ୍ରା କୀର୍ତ୍ତି ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ନିଷ୍ପତ୍ତି ତାଙ୍କ ପରିବାରକୁ ନ୍ୟାୟରୁ ବଞ୍ଚିତ କରିଛି। ତେବେ ନ୍ୟାୟପାଳିକା ଉପରେ ତାଙ୍କ ପରିବାରର ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି।ଦୁର୍ଘଟଣା ପରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲାଙ୍କ ହସ୍ତକ୍ଷେପ ପରେ ଗତ ସୋମବାର ବିଚାରପତିଙ୍କୁ ମାମଲାରେ ଅଭିଯୁକ୍ତ ଭାବେ ନାମିତ କରାଯାଇଥିବା ଖବରରେ ଉଲ୍ଲେଖ ରହିଛି।ଅନ୍ୟପଟେ, ୧୭ ବର୍ଷୀୟ ନାବାଳକଙ୍କୁ କିଶୋର ନ୍ୟାୟ ବୋର୍ଡ ପକ୍ଷରୁ ମିଳିଥିବା ଜାମିନ ରଦ୍ଦ କରିବା ପାଇଁ ପୋଲିସ ଏର୍ଣ୍ଣାକୁଲମ୍ ଜିଲ୍ଲା ଅଦାଲତଙ୍କ ଦ୍ୱାରସ୍ଥ ହୋଇଛି।ବର୍ତ୍ତମାନ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତଦନ୍ତ ଜାରି ରହିବ। ନଭେମ୍ବର ୫ ତାରିଖରେ ପରବର୍ତ୍ତୀ ଶୁଣାଣି ହେବାକୁ ଥିବାରୁ ସମସ୍ତଙ୍କ ନଜର ଏହି ମାମଲାର ପରବର୍ତ୍ତୀ ଆଇନଗତ ପଦକ୍ଷେପ ଉପରେ ରହିଛି।
ତଦନ୍ତରେ ଅବହେଳା ପାଇଁ ଚେରାନଲ୍ଲୁର ଥାନାର ୪ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଥିବାବେଳେ କୋଚି ପୋଲିସ କମିଶନର କଳିରାଜ ମହେଶ କୁମାରଙ୍କ ବଦଳି ହୋଇଛି। ଆର୍. ନିଶାନ୍ଥିନୀ ନୂଆ କମିଶନର ହୋଇଛନ୍ତି।
ତଦନ୍ତ ଜିଲ୍ଲା କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିବାବେଳେ ବିଚାରପତିଙ୍କ ବାସଭବନରୁ ମୋବାଇଲ୍ ଓ ଡିଜିଟାଲ୍ ଉପକରଣ ଜବତ ହୋଇଛି। ଅକ୍ଟୋବର ୨୯ରେ କେରଳ ହାଇକୋର୍ଟ ତାଙ୍କୁ ଗିରଫଦାରୀରୁ ଅନ୍ତରୀଣ ସୁରକ୍ଷା ଦେବା ସହ ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି। ଅନ୍ୟପଟେ ମୃତକଙ୍କ ପତ୍ନୀ ଓ ପରିବାର ନାବାଳକ ଅଭିଯୁକ୍ତଙ୍କ ଜାମିନ୍ ରଦ୍ଦ ପାଇଁ ଆଇନଗତ ଲଢ଼େଇ କରୁଛନ୍ତି। ଗତକାଲି ନାବାଳକଙ୍କ ପରିଚୟ ଗୋପନ ରଖିବା ପାଇଁ ଆବେଦନରେ ସଂଶୋଧନ କରିବାକୁ ଅଦାଲତ ସରକାରଙ୍କୁ କହିଥିଲେ। ପରବର୍ତ୍ତୀ ଶୁଣାଣି ଆଜି ଧାର୍ଯ୍ୟ ହୋଇଛି।
