Cash For Jobs Scam: ୬୩୪ କୋଟିର ‘କ୍ୟାଶ୍-ଫର୍-ଜବ୍ସ’ ଦୁର୍ନୀତି ମାମଲା
ତାମିଲନାଡୁରେ ପୂର୍ବତନ ମନ୍ତ୍ରୀ କେ.ଏନ୍. ନେହରୁଙ୍କ ସହ ଜଡ଼ିତ ୨୫ଟି ସ୍ଥାନରେ ଚଢ଼ାଉ, ୬୩୪ କୋଟି ଟଙ୍କାର ‘କ୍ୟାଶ୍-ଫର୍-ଜବ୍ସ’ ଦୁର୍ନୀତି ମାମଲା।
ତାମିଲନାଡୁ: ୬୩୪ କୋଟି ଟଙ୍କାର କଥିତ ‘କ୍ୟାଶ୍-ଫର୍-ଜବ୍ସ’ ଦୁର୍ନୀତି ମାମଲାକୁ ନେଇ ତାମିଲନାଡୁରେ ତଦନ୍ତ ଜୋରଦାର ହୋଇଛି। ପୂର୍ବତନ ମନ୍ତ୍ରୀ ତଥା DMK ନେତା କେ.ଏନ୍. ନେହରୁଙ୍କ ସହ ଜଡ଼ିତ ୨୫ଟି ସ୍ଥାନରେ ରାଜ୍ୟର ଭିଜିଲାନ୍ସ ଆଣ୍ଡ ଆଣ୍ଟି-କରପ୍ସନ୍ ନିର୍ଦ୍ଦେଶାଳୟ (DVAC) ପକ୍ଷରୁ ଚଢ଼ାଉ କରାଯାଇଛି। ସରକାରୀ ଚାକିରି ଦେବା ବଦଳରେ ଟଙ୍କା ଆଦାୟ ହୋଇଥିବା ଅଭିଯୋଗର ତଦନ୍ତ ଏବେ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ସୂଚନା ମୁତାବକ, ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରୁଜୁ ହୋଇଥିବା ମାମଲା ଆଧାରରେ ଏହି ଚଢ଼ାଉ କରାଯାଇଛି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ED) ପକ୍ଷରୁ ମିଳିଥିବା ଦସ୍ତାବିଜ ଓ ପ୍ରମାଣକୁ ଆଧାର କରି ତଦନ୍ତ ଆରମ୍ଭ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି। ୨୦୨୫ ଅକ୍ଟୋବରରେ ED ଏହି ଅନିୟମିତତା ସମ୍ପର୍କରେ ରାଜ୍ୟ ପୁଲିସକୁ ଅବଗତ କରାଇଥିଲା। ଅଭିଯୋଗ ଅନୁସାରେ, କେ.ଏନ୍. ନେହରୁ ନଗର ପ୍ରଶାସନ ଓ ଜଳଯୋଗାଣ (MAWS) ବିଭାଗର ମନ୍ତ୍ରୀ ଥିବା ସମୟରେ ସରକାରୀ ନିଯୁକ୍ତି ବଦଳରେ ପ୍ରାର୍ଥୀଙ୍କଠାରୁ ବିପୁଳ ଅର୍ଥ ଆଦାୟ କରାଯାଇଥିଲା। ଏବେ DVAC ଅର୍ଥ କାରବାରର ଉତ୍ସ, ଗତିପଥ ଓ ନିଯୁକ୍ତି ସମ୍ପର୍କିତ ଦସ୍ତାବିଜ ଯାଞ୍ଚ କରୁଛି। ଅନ୍ୟପଟେ, ଚଢ଼ାଉର ଠିକ୍ ଗୋଟିଏ ଦିନ ପୂର୍ବରୁ ନେହରୁ ମାଡ୍ରାସ ହାଇକୋର୍ଟଙ୍କ ଅକ୍ଟୋବର ୨୬ ତାରିଖର ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ସ୍ପେଶାଲ୍ ଲିଭ୍ ପିଟିସନ୍ (SLP) ଦାଖଲ କରିଥିବା ଖବର ମିଳିଛି। ଏହି ଚଢ଼ାଉକୁ DMK ଅଧ୍ୟକ୍ଷ ଏମ୍.କେ. ଷ୍ଟାଲିନ୍ ରାଜନୈତିକ ପ୍ରତିଶୋଧ ବୋଲି ଅଭିଯୋଗ କରିଛନ୍ତି। ତେବେ ମାମଲାରେ ଉଠିଥିବା ଅଭିଯୋଗଗୁଡ଼ିକର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
