Omar Abdullah's Second Marriage : ସିଏମଙ୍କ ଜୀବନସାଥୀ ସାଜିଲେ ସାମ୍ୱାଦିକା
ଚୁପଚାପ୍ ବିବାହ କଲେ ଓମାର ଅବଦୁଲ୍ଲା! କିଏ ସେହି ମହିଳା, ଯାହାଙ୍କ ସହ ଆରମ୍ଭ କଲେ ଜୀବନର ନୂଆ ଅଧ୍ୟାୟ?

ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସାମ୍ବାଦିକ ନିଧି ରାଜଦାନଙ୍କୁ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କରିଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଉଭୟେ ସୁନ୍ଦର ଫଟୋ ସେୟାର କରି ଏହି ଖୁସି ଖବର ଜଣାଇଛନ୍ତି। ଓମାର ଅବଦୁଲ୍ଲା ନିଧି ରାଜଦାନଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, “ଗତକାଲି ଏକ ନୂଆ ଯାତ୍ରାର ଆରମ୍ଭ ହେଲା।” ଅନ୍ୟପଟେ ନିଧି ମଧ୍ୟ ନିଜ ଖୁସିକୁ ଏକ ନିଆରା ଅନ୍ଦାଜରେ ପ୍ରକାଶ କରି ରିଙ୍ଗ୍ ଇମୋଜି ସହ “ଇଟ୍ସ ଡନ୍ ବ୍ରୋ” ଲେଖିଛନ୍ତି।
ଓମାର ଅବଦୁଲ୍ଲାଙ୍କ ପାଇଁ ଏହା ଦ୍ୱିତୀୟ ବିବାହ। ଏହା ପୂର୍ବରୁ ସେ ୧୯୯୪ ମସିହାରେ ପାୟଲ ନାଥଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇ ପୁଅ ଜାହିର ଅବଦୁଲ୍ଲା ଓ ଜମିର ଅବଦୁଲ୍ଲା ଅଛନ୍ତି। ଦୀର୍ଘଦିନ ଧରି ଉଭୟେ ଅଲଗା ରହୁଥିଲେ। | ୨୦୦୯ରେ ଦୁହେଁ ପରସ୍ପର ଠାରୁ ଅଲଗା ହେଲେ | ଦୀର୍ଘ ଆଇନଗତ ବିବାଦ ପରେ ସୁପ୍ରିମକୋର୍ଟ ଉଭୟଙ୍କୁ ପାରସ୍ପରିକ ସହମତିରେ ଛାଡ଼ପତ୍ର ନେବାକୁ ଅନୁମତି ଦେଇଥିଲେ
କିଏ ଏହି ନିଧି ରାଜଦାନ?
ନିଧି ରାଜଦାନ ଭାରତୀୟ ସାମ୍ବାଦିକତା ଜଗତର ଏକ ପରିଚିତ ନାମ। ସେ ମୂଳତଃ କାଶ୍ମୀରୀ ପଣ୍ଡିତ ପରିବାରର। ତାଙ୍କ ପିତା କୃଷ୍ଣ ରାଜଦାନ ମଧ୍ୟ ଜଣେ ସାମ୍ବାଦିକ ଥିଲେ। ଦିଲ୍ଲୀର ଲେଡି ଶ୍ରୀରାମ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିବା ପରେ ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ (IIMC)ରୁ ସାମ୍ବାଦିକତା ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ NDTVରେ ଯୋଗ ଦେଇଥିଲେ। ଦୀର୍ଘ ୨୧ ବର୍ଷ ଧରି ସେ ଏହି ଚ୍ୟାନେଲରେ କାର୍ଯ୍ୟ କରିଥିଲେ। ୨୦୨୦ ମସିହାରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଚାକିରି ଅଫର୍ ମିଳିଥିବା କହି ସେ NDTVରୁ ଇସ୍ତଫା ଦେଇଥିଲେ। କିନ୍ତୁ କିଛି ମାସ ପରେ ସେ ଏକ ସାଇବର ଠକେଇର ଶିକାର ହୋଇଥିବା ଜଣାଇଥିଲେ। ଏହି ଘଟଣା ପରେ ସେ ଅନେକ ଲୋକଙ୍କ ଟ୍ରୋଲର ଶିକାର ମଧ୍ୟ ହୋଇଥିଲେ। ନିଧି ରାଜଦାନଙ୍କ ପାଇଁ ମଧ୍ୟ ଏହା ଦ୍ୱିତୀୟ ବିବାହ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
