India navy: ଭାରତୀୟ ନୌସେନାର ଶକ୍ତି ବଢ଼ାଇବ ୮ ନୂଆ କର୍ଭେଟ୍
ଭାରତୀୟ ନୌସେନାର ଶକ୍ତି ବଢ଼ାଇବ ୮ଟି Next Generation Corvettes। ୫୩,୮୬୬ କୋଟି ଟଙ୍କାର ଚୁକ୍ତିରେ GRSE ଓ Goa Shipyard ନିର୍ମାଣ କରିବେ ଏହି ଅତ୍ୟାଧୁନିକ ଯୁଦ୍ଧଜାହାଜ।
ନୂଆଦିଲ୍ଲୀ: ସମୁଦ୍ରରେ ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା। ସାମୁଦ୍ରିକ ସୁରକ୍ଷାକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ନୌସେନାରେ ସାମିଲ ହେବ ୮ଟି ନୂଆ ପିଢ଼ିର ଯୁଦ୍ଧଜାହାଜ ବା Next Generation Corvettes। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦୁଇଟି ପ୍ରମୁଖ ଜାହାଜ ନିର୍ମାଣକାରୀ ସଂସ୍ଥା ସହ ୫୩ ହଜାର ୮୬୬ କୋଟି ୫୦ ଲକ୍ଷ ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛି। ନଭେମ୍ବର ୨ ତାରିଖରେ ସ୍ୱାକ୍ଷରିତ ଏହି ଚୁକ୍ତି ଅନୁଯାୟୀ, Garden Reach Shipbuilders and Engineers (GRSE) ୫ଟି ଯୁଦ୍ଧଜାହାଜ ନିର୍ମାଣ କରିବ। ସେହିପରି Goa Shipyard Limited (GSL) ନିର୍ମାଣ କରିବ ଅନ୍ୟ ୩ଟି ଯୁଦ୍ଧଜାହାଜ। ଏହି ପ୍ରକଳ୍ପ ଭାରତର ସାମୁଦ୍ରିକ ପ୍ରତିରକ୍ଷା କ୍ଷମତାକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି। ଆକାରରେ ଛୋଟ ହୋଇଥିଲେ ମଧ୍ୟ ଯୁଦ୍ଧ କ୍ଷେତ୍ରରେ ଏହି କର୍ଭେଟ୍ଗୁଡ଼ିକର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ। ଏଥିରେ ଅତ୍ୟାଧୁନିକ ମିସାଇଲ୍, ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଏବଂ ଉନ୍ନତ ସେନ୍ସର ସିଷ୍ଟମ୍ ରହିବ। ଶତ୍ରୁପକ୍ଷର ଯୁଦ୍ଧଜାହାଜ ଓ ବୁଡ଼ାଜାହାଜର ଗତିବିଧି ଚିହ୍ନଟ କରିବା ସହ ସମୁଦ୍ରରେ ନିରୀକ୍ଷଣ କ୍ଷମତାକୁ ଏହା ଅଧିକ ମଜବୁତ କରିବ। କେବଳ ଯୁଦ୍ଧ ସମୟରେ ନୁହେଁ, ଭାରତର ବାଣିଜ୍ୟିକ ଜାହାଜ ଚଳାଚଳ ପଥର ସୁରକ୍ଷା, ଉପକୂଳ ନିରୀକ୍ଷଣ ଏବଂ ଅନ୍ତର୍ଜାତୀୟ ଜଳପଥରେ ଦେଶର ସାମୁଦ୍ରିକ ସ୍ୱାର୍ଥ ରକ୍ଷାରେ ମଧ୍ୟ ଏହି ଜାହାଜଗୁଡ଼ିକ ସହାୟକ ହେବ। ଏହି ପ୍ରକଳ୍ପ ଦ୍ୱାରା ଦେଶର ଜାହାଜ ନିର୍ମାଣ ଶିଳ୍ପ, ଇଞ୍ଜିନିୟରିଂ କ୍ଷେତ୍ର ଏବଂ କ୍ଷୁଦ୍ର ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟ ଉପକୃତ ହେବେ। ଦେଶୀୟ ଜାହାଜ ନିର୍ମାଣ କ୍ଷମତା ବୃଦ୍ଧି ସହ ଆତ୍ମନିର୍ଭର ଭାରତ ଅଭିଯାନକୁ ମିଳିବ ନୂଆ ବଳ। ମୋଟାମୋଟି ଭାବେ, ଏହି ୮ଟି ନୂଆ ଯୁଦ୍ଧଜାହାଜ ଭାରତର ସାମୁଦ୍ରିକ ସୁରକ୍ଷା ଓ ନୌସେନାର ଯୁଦ୍ଧ ପ୍ରସ୍ତୁତିକୁ ଆହୁରି ଶକ୍ତିଶାଳୀ କରିବ।
