Chain Snatching Attack:ମହିଳାଙ୍କ ବେକରେ ଛୁରୀ ଲଗାଇ ଲୁଟ୍ ଉଦ୍ୟମ
ସୁନା ଚେନ୍ ଲୁଟିବାକୁ ଆସି ଦୋକାନ ଭିତରେ ମହିଳାଙ୍କୁ ଛୁରୀ ଦେଖାଇ ହତ୍ୟା ଧମକ। ଏପରିକି ତାଙ୍କ ଦୁଇ ହାତକୁ ଫେଭିକ୍ୱିକ୍ରେ ଟେବୁଲ୍ରେ ଲଗାଇଦେଲା ଦୁର୍ବୃତ୍ତ। ହେଲେ ସ୍ଥାନୀୟ ଲୋକେ ସାହସ ଦେଖାଇ ମହିଳାଙ୍କୁ ଉଦ୍ଧାର କଲେ |
ବେଙ୍ଗାଲୁରୁ: ସୁନା ଚେନ୍ ଲୁଟିବାକୁ ଆସି ଧରା ପଡିବା ଭୟରେ ମହିଳାଙ୍କ ବେକରେ ଛୁରୀ ଲଗାଇଲା ଦୁର୍ବୃତ୍ତ। ଏପରିକି ମହିଳାଙ୍କ ଦୁଇ ହାତକୁ ଫେଭିକ୍ୱିକ୍ରେ ଟେବୁଲ୍ରେ ଲଗାଇଦେଇ ହତ୍ୟାର ଧମକ ଦେଇଥିଲା। ଏଭଳି ଆତଙ୍କଜନକ ଘଟଣା ଘଟିଛି ବେଙ୍ଗାଲୁରୁର ଇନ୍ଦିରାନଗର ଅଞ୍ଚଳରେ। ତେବେ ସ୍ଥାନୀୟ ଦୋକାନୀ ଓ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଭିଯୁକ୍ତକୁ କାବୁ କରାଯାଇଛି। ସୂଚନା ଅନୁସାରେ, ଗତ ଅକ୍ଟୋବର ୩୧ ତାରିଖ ସକାଳ ପ୍ରାୟ ୧୧ଟା ୪୫ ମିନିଟ୍ରେ ଇନ୍ଦିରାନଗର ଥାନା ଅଞ୍ଚଳର ଏକ ଦୋକାନରେ ଏହି ଘଟଣା ଘଟିଥିଲା। ଦୋକାନରେ କାମ କରୁଥିବା ମହିଳାଙ୍କ ପାଖକୁ ପ୍ରଭୁରାଜ ଓରଫ୍ ରାଜ ନାମକ ଜଣେ ବ୍ୟକ୍ତି ଆସିଥିଲେ। ପ୍ରଥମେ କେହି ତାଙ୍କୁ ପିଛା କରୁଥିବା ଓ ମାରିଦେବାକୁ ଉଦ୍ୟମ କରୁଥିବା କହି ମହିଳାଙ୍କୁ ଆଶ୍ରୟ ମାଗିଥିଲେ। ହେଲେ କିଛି ସମୟ ପରେ ସେ ନିଜର ଅସଲ ରୂପ ଦେଖାଇଥିଲେ। ଅଭିଯୁକ୍ତ ଛୁରୀ ବାହାର କରି ମହିଳାଙ୍କ ବେକରେ ଲଗାଇବା ସହ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ମହିଳାଙ୍କ ବେକରେ ଥିବା ପ୍ରାୟ ୩୫ ଗ୍ରାମ ଓଜନର, ପ୍ରାୟ ୪.୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଚେନ୍ ଦେବାକୁ ଦାବି କରିଥିଲେ। ମହିଳା ଯେପରି ପ୍ରତିରୋଧ କରିପାରିବେ ନାହିଁ କିମ୍ବା ଖସି ପଳାଇପାରିବେ ନାହିଁ, ସେଥିପାଇଁ ତାଙ୍କ ଦୁଇ ହାତରେ ଫେଭିକ୍ୱିକ୍ ଢାଳି ଟେବୁଲ୍ରେ ଲଗାଇଦେଇଥିଲେ। ଏହି ସମୟରେ ମହିଳା ଜଣକ ଚିତ୍କାର କରି ସହାୟତା ମାଗିଥିଲେ। ଶବ୍ଦ ଶୁଣି ପଡ଼ୋଶୀ ଦୋକାନୀ ଓ ରାସ୍ତାରେ ଯାଉଥିବା ଲୋକେ ଦୋକାନ ଭିତରକୁ ଧାଇଁ ଆସିଥିଲେ। ଲୋକଙ୍କୁ ଦେଖି ଅଭିଯୁକ୍ତ ମହିଳାଙ୍କ ବେକରେ ଛୁରୀ ଲଗାଇ କେହି ପାଖକୁ ଆସିଲେ ହତ୍ୟା କରିବ ବୋଲି ଧମକ ଦେଇଥିଲା। ଏପରିକି ମହିଳାଙ୍କୁ ଢାଲ କରି ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲା।ତେବେ ସ୍ଥାନୀୟ ଲୋକେ କୌଶଳକ୍ରମେ ତାର ଧ୍ୟାନ ଅନ୍ୟଆଡ଼େ ନେଇ ତାକୁ କାବୁ କରିବା ସହ ମହିଳାଙ୍କୁ ଉଦ୍ଧାର କରିଥିଲେ। ପରେ ଅଭିଯୁକ୍ତକୁ ଇନ୍ଦିରାନଗର ପୋଲିସ ଜିମା ଦିଆଯାଇଥିଲା। ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିବାବେଳେ ତାଙ୍କର କୌଣସି ଗୁରୁତର ଆଘାତ ହୋଇନଥିବା ଜଣାପଡ଼ିଛି। ପୋଲିସ ମାମଲା ରୁଜୁ କରି ପ୍ରଭୁରାଜକୁ ଗିରଫ କରିଛି। ପରେ ତାକୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଅଭିଯୁକ୍ତ ଜଣକ ଜଣେ ଡେଲିଭରି ଏଜେଣ୍ଟ ଭାବେ କାମ କରୁଥିବା ଜଣାପଡ଼ିଥିବା ବେଳେ ତା'ର ପୂର୍ବ ଅପରାଧିକ ରେକର୍ଡ ଓ ଏହି ଘଟଣା ପଛର ପରିସ୍ଥିତି ନେଇ ପୋଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଦୋକାନରେ କାମ କରୁଥିବା ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।
