Double Murder Case:ଶାଶୂ ଓ ଶାଳୀଙ୍କୁ ଛୁରି ଭୁସି ହତ୍ୟା
ପାରିବାରିକ ବିବାଦ କେତେ ଭୟଙ୍କର ରୂପ ନେଇପାରେ, ତାହାର ଏକ ଚାଞ୍ଚଲ୍ୟକର ଘଟଣା ତେଲେଙ୍ଗାନାରେ ସାମ୍ନାକୁ ଆସିଛି। ଶାଶୂ ଓ ଶାଳୀଙ୍କ ଜୀବନ ନେବା ସହ ଶଳାଙ୍କୁ ଗୁରୁତର ଆହତ କରିଥିବା ଅଭିଯୋଗରେ ଜ୍ୱାଇଁ ଗିରଫ ହୋଇଛନ୍ତି।
ତେଲେଙ୍ଗାନା:ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲା ବଡ଼ଙ୍ଗପେଟ୍ରେ ଘଟିଥିବା ଡବଲ୍ ମର୍ଡର ମାମଲାର ସମାଧାନ କରିଛି ମୀରପେଟ୍ ପୋଲିସ। ଶାଶୂ ଓ ଶାଳୀଙ୍କୁ ଛୁରି ଭୁସି ହତ୍ୟା କରିବା ସହ ଶଳାଙ୍କୁ ଗୁରୁତର ଆହତ କରିଥିବା ଅଭିଯୋଗରେ ମହମ୍ମଦ ସିଦ୍ଦିକ୍ଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନା ଅନୁସାରେ, ନଭେମ୍ବର ୪ ତାରିଖ ଅପରାହ୍ନ ୪ଟାରୁ ୪ଟା ୩୦ ମଧ୍ୟରେ ବଡ଼ଙ୍ଗପେଟ୍ର ସାଇ ବିହାର ନଗର ଫେଜ୍-୨ ସ୍ଥିତ ଏକ ଘରେ ଏହି ଘଟଣା ଘଟିଥିଲା। ମୃତକ ଦୁଇଜଣ ହେଲେ ନିରଞ୍ଜନ ବି ଓ ଏମ୍ଡି ରେଶମା। ଅନ୍ୟପଟେ ଶଳା ୟୁସୁଫ୍ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅଭିଯୋଗକାରୀ ମହମ୍ମଦ ଅହମ୍ମଦ ଖାନ୍ ତେଲେଙ୍ଗାନା ସଚିବାଳୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭାବେ କାର୍ଯ୍ୟରତ। ଭଉଣୀଙ୍କ ଘରୁ ଚିତ୍କାର ଶୁଣି ସେ ସେଠାରେ ପହଞ୍ଚିଥିଲେ। ଘର ଭିତରେ ତିନିଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବା ସହ ଅଭିଯୁକ୍ତଙ୍କୁ କାର୍ରେ ଖସି ପଳାଉଥିବା ଦେଖିଥିଲେ। ପୋଲିସ ତଦନ୍ତ ଅନୁସାରେ, ଅଭିଯୁକ୍ତଙ୍କର ମୃତ ନିରଞ୍ଜନ ବିଙ୍କ ଝିଅଙ୍କ ସହ ବିବାହ ହୋଇଥିଲା। ପରିବାର ମଧ୍ୟରେ ବିବାଦ ଥିବାବେଳେ ବୟସ୍କଙ୍କ ସାମ୍ନାରେ ଅପମାନିତ ହେବା ଓ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ମିଳିବାରୁ ସେ ପ୍ରତିଶୋଧ ପରାୟଣ ହୋଇଥିବା ପୋଲିସ କହିଛି। ଅଭିଯୋଗ ଅନୁସାରେ, ନଭେମ୍ବର ୪ରେ ସିଦ୍ଦିକ୍ ପେଟ୍ରୋଲ ପମ୍ପ ନିକଟରୁ ୟୁସୁଫ୍ଙ୍କୁ କାର୍ରେ ନେଇ ଘରେ ପହଞ୍ଚିଥିଲେ। ସେଠାରେ ତିନିଜଣଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ନଭେମ୍ବର ୫ରେ ମୀରପେଟ୍ ପୋଲିସ ଓ ସାମସାବାଦ ଟାସ୍କଫୋର୍ସ ମିଳିତ ଭାବେ ତାଙ୍କୁ ଗିରଫ କରିଛନ୍ତି। ତାଙ୍କଠାରୁ ଛୁରି, TS 12 EM 9451 ନମ୍ବର ବିଶିଷ୍ଟ ମାରୁତି ୱାଗନ୍-ଆର୍ କାର୍ ଓ ମୋବାଇଲ୍ ଫୋନ୍ ଜବତ ହୋଇଛି। BNSର ଧାରା ୧୦୩(୧) ଓ ୧୦୯ ଅନୁସାରେ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଛି।
