honour-killing:ଝିଅକୁ ତଣ୍ଟି ଚିପି ହତ୍ୟା କଲେ ବାପା
ଗୁଜରାଟର ଆନନ୍ଦ ଜିଲ୍ଲା ଖମ୍ଭାତ ତାଲୁକା ଅନ୍ତର୍ଗତ ମେଟପୁର ଗାଁରେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଅନର କିଲିଂ ଘଟଣା। ଅନ୍ୟ ଜାତିର ଯୁବକଙ୍କ ସହ ପ୍ରେମ ସମ୍ପର୍କକୁ ବିରୋଧ କରି ୨୧ ବର୍ଷୀୟ ଝିଅକୁ ତାଙ୍କ ବାପା ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରଥମେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ପୋଷ୍ଟମର୍ଟମ ରିପୋର୍ଟରୁ ସାମ୍ନାକୁ ଆସିଛି ହତ୍ୟାର ସତ୍ୟ।
ଗୁଜରାଟ:ଗୁଜରାଟର ଆନନ୍ଦ ଜିଲ୍ଲା ଖମ୍ଭାତ ତାଲୁକା ଅନ୍ତର୍ଗତ ମେଟପୁର ଗାଁରେ ଘଟିଛି ଏକ ହୃଦୟବିଦାରକ ହତ୍ୟାକାଣ୍ଡ। ଜାତିଗତ ଭେଦଭାବ ଏବଂ ପ୍ରେମ ସମ୍ପର୍କକୁ ବିରୋଧ କରି ଜଣେ ବାପା ନିଜ ୨୧ ବର୍ଷୀୟ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।ମୃତ ଯୁବତୀଙ୍କ ନାମ ସାନିଆ ପଟେଲ। ସେ ବଡ଼ୋଦରାରେ ବି.କମ୍ ପାଠପଢ଼ା ଶେଷ କରିଥିଲେ ଏବଂ ଆଗକୁ ପାଠପଢ଼ା ଜାରି ରଖିଥିଲେ। ପୋଲିସର ସୂଚନା ଅନୁସାରେ, ସେ ନିଜ ଗାଁର ଅନ୍ୟ ଜାତିର ଜଣେ ଯୁବକଙ୍କୁ ପ୍ରାୟ ଏକ ବର୍ଷ ଧରି ଭଲ ପାଉଥିଲେ। ଉଭୟ ବିବାହ କରିବାକୁ ଚାହୁଁଥିଲେ।
କିନ୍ତୁ ଝିଅର ଏହି ସମ୍ପର୍କକୁ ତାଙ୍କ ବାପା ୫୦ ବର୍ଷୀୟ କୌଶଲକୁମାର ପଟେଲ ତୀବ୍ର ବିରୋଧ କରୁଥିଲେ। ଯୁବକଙ୍କ ଜାତି ଏବଂ ମାସିକ ଆୟକୁ ନେଇ ସେ ଅସନ୍ତୁଷ୍ଟ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।ପୋଲିସ ଅନୁସାରେ, ନଭେମ୍ବର ୯ ତାରିଖ ରାତି ପ୍ରାୟ ୩ଟା ୧୫ ମିନିଟ୍ରେ ଏହି ଘଟଣା ଘଟିଥିଲା। ପରିବାରର ଅନ୍ୟ ସଦସ୍ୟମାନେ ଶୋଇଥିବା ସମୟରେ ବାପା ଝିଅକୁ ରୋଷେଇ ଘରେ ଭେଟି ସମ୍ପର୍କ ଶେଷ କରିବାକୁ କହିଥିଲେ। ଏହାକୁ ସାନିଆ ଅସ୍ୱୀକାର କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଅଭିଯୁକ୍ତ ବାପା ଝିଅର ଓଢ଼ଣୀ ସାହାଯ୍ୟରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି।ଘଟଣା ପରେ ଏହାକୁ ଆତ୍ମହତ୍ୟା ବୋଲି ଦର୍ଶାଇବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ଖମ୍ଭାତ ଜେନେରାଲ ହସ୍ପିଟାଲର ଡାକ୍ତରମାନେ ମୃତଦେହର ବେକରେ ସନ୍ଦେହଜନକ ଚିହ୍ନ ଦେଖିବା ପରେ ଫରେନସିକ୍ ପୋଷ୍ଟମର୍ଟମ ପାଇଁ ପରାମର୍ଶ ଦେଇଥିଲେ। ଏହି ରିପୋର୍ଟରୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।ପରେ ପୋଲିସ ଜେରା ସମୟରେ କୌଶଲକୁମାର ହତ୍ୟା କରିଥିବା ସ୍ୱୀକାର କରିଥିବା ପୋଲିସ କହିଛି। ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୩(୧) ଅନୁଯାୟୀ ହତ୍ୟା ମାମଲା ରୁଜୁ ହୋଇଛି। ନଭେମ୍ବର ୯ରେ ତାଙ୍କୁ ଗିରଫ କରାଯାଇଥିବାବେଳେ ପରେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି।ଏହି ଘଟଣା ପୁଣିଥରେ ସମାଜରେ ଜାତିଗତ ଭେଦଭାବ ଏବଂ ମହିଳାଙ୍କ ସ୍ୱାଧୀନତାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।
