ECI Affidavit No Prosecution:ଫର୍ମ-୬କୁ ନେଇ ନିର୍ବାଚନ କମିଶନଙ୍କ ସତ୍ୟପାଠ
ଭୋଟର ତାଲିକାରୁ ନାଁ କଟିଯାଇଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର। ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ (SIR) ପ୍ରକ୍ରିୟାରେ ଡ୍ରାଫ୍ଟ ଭୋଟର ତାଲିକାରୁ ନାଁ ବାଦ୍ ପଡ଼ିଥିଲେ ମଧ୍ୟ ପୁନର୍ବାର ଭୋଟର ତାଲିକାରେ ନାଁ ସାମିଲ କରିବା ପାଇଁ ଫର୍ମ-୬ ଦାଖଲ କରିହେବ। ଏଥିପାଇଁ ପୂର୍ବରୁ ଭୋଟର ତାଲିକାରେ ନାଁ ଥିବା ଆଧାରରେ ଆବେଦନକାରୀଙ୍କ ବିରୋଧରେ ମାମଲା ରୁଜୁ ହେବ ନାହିଁ

ୟୁ- ଟର୍ଣ୍ଣ ନେଲେ ଇଲେକ୍ସନ କମିଶନ। ଭୋଟର ତାଲିକା ବିବାଦ ଉପରେ ସୁପ୍ରିମକୋର୍ଟରେ ଦାଖଲ କଲେ ଅତିରିକ୍ତ ସତ୍ୟପାଠ। ଏସଆଇଆର ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କ ବିରୁଦ୍ଧରେ କୌଣସି କେସ୍ ହେବନି ବୋଲି କହିଲେ। ଯେଉଁମାନଙ୍କୁ ଏସଆଇଆର ପ୍ରକ୍ରିୟାରେ ଡ୍ରାଫ୍ଟ ରୋଲରୁ ହଟାଇଦିଆଯାଇଛି ଓ ସେମାନେ ନିଜ ନାଁକୁ ପୁଣି ଥରେ ଯୋଡ଼ିବାକୁ ଫର୍ମ-୬ ଭରିଥିଲେ। ସେମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ ଆକ୍ସନ ହେବନି। ସରଳ ଭାଷାରେ କହିଲେ, ଭୋଟର ତାଲିକାରୁ ନାଁ କଟିଯାଇଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର। ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ (SIR) ପ୍ରକ୍ରିୟାରେ ଡ୍ରାଫ୍ଟ ଭୋଟର ତାଲିକାରୁ ନାଁ ବାଦ୍ ପଡ଼ିଥିଲେ ମଧ୍ୟ ପୁନର୍ବାର ଭୋଟର ତାଲିକାରେ ନାଁ ସାମିଲ କରିବା ପାଇଁ ଫର୍ମ-୬ ଦାଖଲ କରିହେବ। ଏଥିପାଇଁ ପୂର୍ବରୁ ଭୋଟର ତାଲିକାରେ ନାଁ ଥିବା ଆଧାରରେ ଆବେଦନକାରୀଙ୍କ ବିରୋଧରେ ମାମଲା ରୁଜୁ ହେବ ନାହିଁ ବୋଲି ଭାରତୀୟ ନିର୍ବାଚନ କମିଶନ (ECI) ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ସ୍ପଷ୍ଟ କରିଛନ୍ତି। ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ଭୋଟରଙ୍କ ମଧ୍ୟରେ ଥିବା ଆଇନଗତ ଭୟ ଦୂର କରିବାରେ ସହାୟକ ହେବ।
କ'ଣ କହିଲେ ନିର୍ବାଚନ କମିଶନ?
ନଭେମ୍ୱର ୧୪ ତାରିଖରେ ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ ଏକ ସପ୍ଲିମେଣ୍ଟାରୀ ଆଫିଡେଭିଟ୍ ବା ଅତିରିକ୍ତ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ କମିଶନ କହିଛନ୍ତି ଯେଉଁମାନଙ୍କର ପୂର୍ବରୁ ଭୋଟର ତାଲିକାରେ ନାଁ ଥିଲା। କିନ୍ତୁ SIR ପରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ନାଁ ନାହିଁ। ଏଭଳି ବ୍ୟକ୍ତି ପୁନର୍ବାର ନାଁ ସାମିଲ କରିବା ପାଇଁ ଫର୍ମ-୬ ଦାଖଲ କରିପାରିବେ। କେବଳ ପୂର୍ବରୁ ଭୋଟର ଥିବା କାରଣରୁ ତାଙ୍କ ବିରୋଧରେ ଅପରାଧିକ ମାମଲା ହେବ ନାହିଁ। ତେବେ ଏଥିପାଇଁ ଏକ ସର୍ତ୍ତ ରହିଛି। ଆବେଦନକାରୀଙ୍କ ନାଁ ଅନ୍ୟ କୌଣସି ଲୋକସଭା କିମ୍ୱା ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ପୂର୍ବରୁ ଥିବା ଉଚିତ ନୁହେଁ। ଏହା ସହ ଆବେଦନରେ ଦିଆଯାଇଥିବା ଘୋଷଣା ଆଇନ ଅନୁସାରେ ସଠିକ୍ ହୋଇଥିବା ଆବଶ୍ୟକ।
କାହିଁକି ଉଠିଥିଲା ଫର୍ମ-୬କୁ ନେଇ ବିବାଦ?
ସାଧାରଣତଃ ଫର୍ମ-୬ ନୂଆ ଭୋଟର ଭାବେ ପଞ୍ଜୀକରଣ କରିବା ପାଇଁ ବ୍ୟବହାର ହୋଇଥାଏ। କିନ୍ତୁ SIR ପ୍ରକ୍ରିୟାରେ ଅନେକ ପୁରୁଣା ଭୋଟରଙ୍କ ନାଁ ଡ୍ରାଫ୍ଟ ତାଲିକାରେ ନଥିବାରୁ ସେମାନଙ୍କୁ ପୁଣି ଫର୍ମ-୬ ଦାଖଲ କରିବାକୁ କୁହାଯାଇଥିଲା। ଏଠାରୁ ଆରମ୍ଭ ହୋଇଥିଲା ଆଇନଗତ ବିବାଦ। କାରଣ ଫର୍ମ-୬ରେ ଆବେଦନକାରୀଙ୍କୁ ନିର୍ଦ୍ଦିଷ୍ଟ ଘୋଷଣା ଦେବାକୁ ପଡ଼ିଥାଏ। ପୂର୍ବରୁ ଭୋଟର ଥିବା ବ୍ୟକ୍ତି ପୁଣି ନୂଆ ଭୋଟର ଭାବେ ଆବେଦନ କଲେ ଏହା ମିଥ୍ୟା ଘୋଷଣା ହୋଇପାରେ କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ଅନେକ ଭୋଟରଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା ଯେ ଫର୍ମ-୬ ଦାଖଲ କଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏହି ବିବାଦର ମୁଖ୍ୟ କେନ୍ଦ୍ରରେ ରହିଛି Representation of the People Act, 1950ର ଧାରା ୩୧। ଏହି ଧାରା ଅନୁସାରେ ଭୋଟର ତାଲିକା ସମ୍ପର୍କରେ ଜାଣିଶୁଣି ମିଥ୍ୟା ଲିଖିତ ଘୋଷଣା କିମ୍ୱା ବୟାନ ଦେବା ଏକ ଦଣ୍ଡନୀୟ ଅପରାଧ। ଏଥିପାଇଁ ସର୍ବାଧିକ ଏକ ବର୍ଷ ଜେଲ୍ ଦଣ୍ଡ, ଜରିମନା ବା ଉଭୟ ଦଣ୍ଡ ବି ହୋଇପାରେ। ଏହି ଧାରାକୁ ନେଇ ଭୋଟରଙ୍କ ମଧ୍ୟରେ ଭୟ ଥିଲା। କିନ୍ତୁ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ଯେ SIRରେ ନାଁ ବାଦ୍ ପଡ଼ିବା ପରେ ପୁନଃ ସାମିଲ ହେବା ପାଇଁ ଫର୍ମ-୬ ଦାଖଲ କରିବା ମାତ୍ରେ ଏହି ଧାରା ଅନୁସାରେ ମାମଲା ହେବ ନାହିଁ।
ସୁପ୍ରିମକୋର୍ଟ କାହିଁକି ଏହି ପ୍ରଶ୍ନ ଉଠାଇଥିଲେ?
ଅକ୍ଟୋବର ୨୮ ତାରିଖରେ SIR ସମ୍ପର୍କିତ ଏକ ଶୁଣାଣି ସମୟରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ ପୂର୍ବରୁ ଭୋଟର ତାଲିକାରେ ନାଁ ଥିବା ଲୋକଙ୍କୁ ପୁଣି ନୂଆ ଭୋଟର ଭାବେ ଫର୍ମ-୬ କାହିଁକି ଦାଖଲ କରିବାକୁ ପଡ଼ିବ? ଯଦି ସେମାନଙ୍କ ନାଁ ଭୁଲ୍ରେ କଟିଯାଇଛି, ତେବେ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇପାରିବ ନାହିଁ କି? ଏହାପରେ ନିର୍ବାଚନ କମିଶନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସତ୍ୟପାଠ ଦାଖଲ କରିଛନ୍ତି। ନିର୍ବାଚନ କମିଶନ କେବଳ ଫର୍ମ-୬ ସମ୍ପର୍କରେ ନୁହେଁ, ASDD ଭୋଟରଙ୍କ ପାଇଁ ମଧ୍ୟ କିଛି ପଦକ୍ଷେପ ନେଇଛନ୍ତି।
ASDDର ଅର୍ଥ ହେଉଛି:
A – Absent: ଅନୁପସ୍ଥିତ
S – Shifted: ସ୍ଥାନାନ୍ତରିତ
D – Dead: ମୃତ
D – Duplicate: ଏକାଧିକ ଥର ନାଁ ଥିବ
ଏହି ବର୍ଗରେ ଚିହ୍ନଟ ହୋଇଥିବା କେତେକ ଭୋଟରଙ୍କ ନାଁ ଡ୍ରାଫ୍ଟ ତାଲିକାରେ ଆସିନଥିଲା। ନଭେମ୍ୱର ୬ ତାରିଖରେ ନିର୍ବାଚନ କମିଶନ ଦିଲ୍ଲୀ ସମେତ ମହାରାଷ୍ଟ୍ର, ହରିୟାଣା, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ନାଗାଲାଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଭୋଟରମାନେ ନିଜର ବର୍ତ୍ତମାନର ସାଧାରଣ ବାସସ୍ଥାନ ଅନୁଯାୟୀ ERO, AERO କିମ୍ୱା BLOଙ୍କ ପାଖରେ ଏନୁମେରେସନ୍ ଫର୍ମ ଦାଖଲ କରିପାରିବେ।
କେଉଁ ମାମଲାରେ ଏହି ସତ୍ୟପାଠ ଦାଖଲ ହୋଇଛି?
ରାକେଶ କୁମାର ସିଂହଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ଆବେଦନ ସହ ଏହି ମାମଲା ଜଡ଼ିତ। ଏହି ଆବେଦନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ କାର୍ଯ୍ୟପ୍ରଣାଳୀ ଓ SIR ସମ୍ପର୍କିତ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଯାଇଛି। ନଭେମ୍ୱର ୧୪ରେ ଡେପୁଟି ଇଲେକ୍ସନ କମିଶନର ଭାନୁ ପ୍ରକାଶ ୟେତୁରୁଙ୍କ ପକ୍ଷରୁ ନିର୍ବାଚନ କମିଶନ ଅତିରିକ୍ତ ସତ୍ୟପାଠ ଦାଖଲ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ୱର ୧୭ରେ ହେବ। ଏହି ଘଟଣା ଭାରତର ନିର୍ବାଚନୀ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। କାରଣ SIR ଜରିଆରେ ଭୋଟର ତାଲିକାର ସଠିକତା ଯାଞ୍ଚ ହେଉଥିବା ବେଳେ ପ୍ରକୃତ ଭୋଟରଙ୍କ ନାଁ ଯେପରି କଟି ନଯାଏ, ତାହା ନିଶ୍ଚିତ କରିବା ମଧ୍ୟ ନିର୍ବାଚନ କମିଶନଙ୍କ ଦାୟିତ୍ୱ। ଏହି ନିଷ୍ପତ୍ତିର ତିନୋଟି ବଡ଼ ପ୍ରଭାବ ରହିପାରେ। ପୂର୍ବରୁ ଭୋଟର ଥିବା ଲୋକଙ୍କ ମଧ୍ୟରେ ଥିବା ଆଇନଗତ ଭୟ ଦୂର ହେବ। SIRରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ପୁନର୍ବାର ନାଁ ସାମିଲ ପାଇଁ ଆବେଦନ କରିପାରିବେ। ଭୋଟର ତାଲିକାରେ କୌଣସି ଯୋଗ୍ୟ ନାଗରିକ ବଞ୍ଚିତ ନହେବା ଦିଗରେ ସହାୟତା ମିଳିବ।
ଫର୍ମ-୬ ଦାଖଲକାରୀଙ୍କ ବିରୁଦ୍ଧରେ ହେବନି ମାମଲା- ସୁପ୍ରିମକୋର୍ଟରେ ଇସିଆଇଙ୍କ ସତ୍ୟପାଠ
