IPS Jasvir Singh: ଗୋଟିଏ ଇଣ୍ଟରଭ୍ୟୁରେ ୮ ବର୍ଷ ସସପେଣ୍ଡ
ଗୋଟିଏ ଇଣ୍ଟରଭ୍ୟୁରୁ ଆରମ୍ଭ ବିବାଦ ଏତେ ଲମ୍ୱା ଚାଲିଲା ଯେ, ୮ ବର୍ଷ ଯାଏ ସସପେଣ୍ଡ ଥିଲେ। ୩ ଦଶନ୍ଧିରୁ ଅଧିକ ସମୟ ଧରି ୟୁପି କ୍ୟାଡରର ତଥା ପଞ୍ଜାବର ମୂଳନିବାସୀ ଜସବୀର ୟୁପି ପୁଲିସରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଆସିଛନ୍ତି।

୮ ବର୍ଷ ପରେ ଚାକିରୀକୁ ଫେରିଲେ ବରିଷ୍ଠ ଆଇପିଏସ ଜସବୀର ସିଂ। ସରିଲା ବନବାସ। ଗୋଟିଏ ଇଣ୍ଟରଭ୍ୟୁ ପାଇଁ ଚାଲିଯାଇଥିଲା ଚୌକି। ନଭେମ୍ୱର ୧୬ରେ ତାଙ୍କୁ ପୁଣି ଥରେ ଚାକିରୀକୁ ଫେରାଇ ନେଇଛନ୍ତି ୟୁପି ସରକାର। ଇଣ୍ଟରଭ୍ୟୁରେ ଦେଇଥିବା ମନ୍ତବ୍ୟ ଲାଗି ୮ ବର୍ଷ ହେଲା ଚାକିରୀରୁ ସସପେଣ୍ଡ ଥିଲେ ଜସବୀର। ରାଜା ଭୈୟାଙ୍କ ସହ ଜଡ଼ିତ ଘୋଟାଲାର ତଦନ୍ତ କରି ଆସିଥିଲେ ଚର୍ଚ୍ଚାକୁ। ୧୯୯୨ ବ୍ଯାଚର ଆଇପିଏସ ଜସବୀର ସିଂଙ୍କୁ ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ତାଙ୍କୁ ନିଲମ୍ୱନ କୌଣସି ଅପରାଧିକ ମାମଲା ପାଇଁ ନୁହେଁ, ବରଂ ପୁଲିସ ବ୍ୟବସ୍ଥା ଓ ଏନକାଉଣ୍ଟର ନୀତି ଉପରେ ପ୍ରଶ୍ନ ଉଠାଇବା ପରେ ସସପେଣ୍ଡ କରାଯାଇଥିଲା। ଗୋଟିଏ ଇଣ୍ଟରଭ୍ୟୁରୁ ଆରମ୍ଭ ବିବାଦ ଏତେ ଲମ୍ୱା ଚାଲିଲା ଯେ, ୮ ବର୍ଷ ଯାଏ ସସପେଣ୍ଡ ଥିଲେ। ୩ ଦଶନ୍ଧିରୁ ଅଧିକ ସମୟ ଧରି ୟୁପି କ୍ୟାଡରର ତଥା ପଞ୍ଜାବର ମୂଳନିବାସୀ ଜସବୀର ୟୁପି ପୁଲିସରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଆସିଛନ୍ତି। ୨୦୧୯ରେ ସେ ୟୁପି ପୁଲିସର ଏଡିଜି( ରୁଲ୍ସ ଆଣ୍ଡ ମାନୁଆଲ୍ସ)
ପଦରେ ନିୟୋଜିତ ଥିଲେ। ଜାନୁଆରୀରେ ଗୋଟିଏ ନ୍ୟୁଜ୍ ପୋର୍ଟାଲରେ ଇଣ୍ଟରଭ୍ୟୁ ଦେଇ ପୁଲିସର କାମ କରିବାର ଶୈଳୀ, ଏନକାଉଣ୍ଟର ନୀତି ଓ ଅଧିକାରୀଙ୍କୁ ମୁତୟନକୁ ନେଇ ଅଙ୍ଗୁଳି ଉଠାଇଥିଲେ। ସରକାର ଏଭଳି ସାକ୍ଷାତକାରକୁ ଅଖିଳ ଭାରତୀୟ ସେବା (ଆଚରଣ) ନିୟମର ଉଲ୍ଲଂଘନ ବିବେଚନା କରି ତାଙ୍କୁ କୈଫୟତ ମାଗିଥିଲେ। ସରକାରୀ ଆଦେଶ ମୁତାବକ, ନୋଟିସ ମିଳିବା ପରେ ବିନା ଅନୁମତି ଓ ପୂର୍ବ ସୂଚନାରେ ସେ ଫେବୃଆରୀ ୪,୨୦୧୯ରୁ ଡ୍ୟୁଟିକୁ ଆସୁନଥିଲେ। ଏହା ପରେ ଫେବୃଆରୀ ୧୪ରେ ତାଙ୍କୁ ସସପେଣ୍ଡ କରିଦିଆଯାଇଥିଲା। ସସପେଣ୍ଡ ପରେ ଜସବୀରଙ୍କ ବିରୁଦ୍ଧରେ ବିଭାଗୀୟ ଯାଞ୍ଚ ଚାଲିଲା। ଗୃହ ବିଭାଗ ଓ ୟୁପିଏସସିକୁ ଚିଠି ଲେଖି ନିଜ ମାମଲାର ଯାଞ୍ଚ କୌଣସି ଅନ୍ୟରାଜ୍ୟରେ କରିବାକୁ ଦାବି କରିଥିଲେ ଜସବୀର। ଏତେ ଲମ୍ୱା ସମୟ ଧରି ସସପେଣ୍ଡ ହେତୁ ଏହାକୁ ଚ୍ୟାଲେଞ୍ଜ କରି ସେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ (CAT)ର ଦ୍ୱାରସ୍ଥ ହୋଇଥିଲେ। ଅଖିଳ ଭାରତୀୟ ସେବା( ଅନୁଶାସନ ଓ ଅପିଲ) ନିୟମ ୧୯୬୯ ଆଧାରରେ ନିଲମ୍ୱନର ପ୍ରାରମ୍ଭିକ ଅବଧି ୬୦ ଦିନ ଯାଏ ଥାଏ।ଏହା ପରେ ସମୀକ୍ଷା ସମିତି ପ୍ରତି ୩ ମାସରେ ମାମଲାର ସମୀକ୍ଷା କରେ। ୬ ମାସରୁ ଅଧିକ କାଳ ନିଲମ୍ୱନ ଜାରି ରଖିବାକୁ କେନ୍ଦ୍ର ସରକାରଙ୍କ ଅନୁମତି ଜରୁରୀ। ଯଦିଓ ଅଖିଳ ଭାରତୀୟ ସେବା ନିୟମରେ ନିଲମ୍ୱନର ସର୍ବାଧିକ ସମୟସୀମା ନାହିଁ।
