Bargarh Minor Murder:ମାଛ ଧରାକୁ ନେଇ ଝଗଡା, ୭ ବର୍ଷର ନାବାଳକକୁ ହତ୍ୟା
ମାଛ ଧରିବାକୁ ନେଇ ସାମାନ୍ୟ ବଚସାରୁ ଘଟିଲା ଭୟଙ୍କର ଘଟଣା। ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳରେ ୭ ବର୍ଷର ନାବାଳକର ମୃତଦେହ ପୋଖରୀ ନିକଟରୁ ଉଦ୍ଧାର ହୋଇଛି। ଘଟଣାରେ ୧୩ ବର୍ଷର ନାବାଳକ ସମ୍ପୃକ୍ତ ଥିବା ଜଣାପଡ଼ିଛି।

ବରଗଡ଼: ମାଛ ଧରିବାକୁ ନେଇ ବଚସାରୁ ନାବାଳକକୁ ହତ୍ୟା ଅଭିଯୋଗ। ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାରେ ୭ ବର୍ଷର ନାବାଳକର ମୃତ୍ୟୁ ହୋଇଥିବା ବେଳେ ୧୩ ବର୍ଷର ଜଣେ ନାବାଳକ ଏହି କାଣ୍ଡ ଘଟାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ୭ ବର୍ଷର ନାବାଳକ ଅନ୍ୟ ଦୁଇଜଣଙ୍କ ସହ ଗାଁ ନିକଟସ୍ଥ ପୋଖରୀକୁ ମାଛ ଧରିବାକୁ ଯାଇଥିଲା। ସେଠାରେ ମାଛ ଧରିବା ପାଇଁ ବନିସୀ ପକାଇବାକୁ ନେଇ ପ୍ରଥମେ ବଚସା ହୋଇଥିଲା। ପରେ ଜଣେ ନାବାଳକ ଗାମୁଛାରେ ବେକ ଚିପି ତାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।ନାବାଳକ ଘରକୁ ଫେରି ନଥିବାରୁ ପରିବାର ଲୋକେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ।

ଗତକାଲି ସନ୍ଧ୍ୟାରେ ପୋଖରୀ ନିକଟରେ ଏକ ବୁଦାମୂଳରୁ ତା’ର ମୃତଦେହ ମିଳିବା ପରେ ବିଜେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।
ଆଜି ତଦନ୍ତ ପରେ ୧୩ ବର୍ଷର ନାବାଳକ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଥିବା ସୂଚନା ମିଳିଛି। ତେବେ ଘଟଣାକୁ ନେଇ ମୃତ ନାବାଳକର ପରିବାର କିମ୍ବା ପୁଲିସ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରିନାହିଁ।
