ଅଙ୍କିତ ହତ୍ୟାକାଣ୍ଡ- ଦୁଇ ସୁଟରଙ୍କୁ ଏନକାଉଣ୍ଟର
ହତ୍ୟାକାଣ୍ଡ ପରେ ଦୁଇ ସୁଟର ବାଇକରେ କର୍ଣ୍ଣାଲକୁ ପଳାଇଥିଲେ। ଯେବେ କି ମୋହିତ ଓ ସୁମିତ ବାଗପତ ଆଡ଼େ ଫେରାର୍ ହୋଇଯାଇଥିଲେ। ମୋହିତ ଓ ସୁମିତକୁ ଟ୍ରାକ୍ କରି କୈରାନା ରୋଡ୍ ସ୍ଥିତ ଇଣ୍ଡିଆନ ଗ୍ୟାସ୍ ଗୋଦାମ ପାଖରେ ଠାବ କରାଯାଇଥିଲା। ଦୁହିଁଙ୍କ ଉପରେ ୫୦ହଜାର ଟଙ୍କା ଲେଖାଏଁ ପୁରଷ୍କାର ରଖାଯାଇଥିଲା। ପୁଲିସ ଉପରକୁ ଗୁଳି ଚଳାଇବାରୁ ପ୍ରତିଜବାବରେ ପୁଲିସ ଗୁଳି କରିଥିଲା।

ବହୁ ଚର୍ଚ୍ଚିତ ହରିଆଣା ଗାୟକ ତଥା ୟୁଟ୍ୟୁବର ଅଙ୍କିତ ବଲିୟାନ ମର୍ଡର ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର। ଦୁଇ ସୁଟରଙ୍କୁ ଆଜି ଏନକାଉଣ୍ଟର କରି ମାରିଛି ୟୁପି ପୁଲିସ। ହତ୍ୟାକାଣ୍ଡରେ ସାମିଲ୍ ୪ ସୁଟରଙ୍କ ଭିତରୁ ୨ ସୁଟର ସୁମିତ ଓ ମୋହିତକୁ ପୁଲିସ ଏନକାଉଣ୍ଟର କରିଛି। ତଦନ୍ତରେ ମୋଟ୍ ୬ ଜଣଙ୍କ ସଂପୃକ୍ତି ସାମ୍ନାକୁ ଆସିଛି। ଏଥିରେ ୪ ସୁଟରଙ୍କ ବ୍ୟତୀତ ଦୁଇ ଜଣ ରେକି କରୁଥିଲେ। ସୁମିତ ଓ ମୋହିତ ଅଙ୍କିତଙ୍କୁ ରେକି କରିଥିଲେ। ୟୁପି ପୁଲିସକୁ ୪୮ ଘଣ୍ଟାର ମହଲତ ଦେଇଥିଲେ ଅଙ୍କିତଙ୍କ ପତ୍ନୀ। ୪୮ ଘଣ୍ଟା ଭିତରେ ଅଙ୍କିତଙ୍କ ହତ୍ୟାକାରୀଙ୍କୁ ଏନକାଉଣ୍ଟର ନକଲେ ସେ ମୁଖ୍ୟମନ୍ତ୍ରୀଙ୍କ ଆବାସ ଆଗରେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଥିଲେ। ହତ୍ୟାକାଣ୍ଡର ଖୁଲାସା କରିବାକୁ ମିରଟ ଜୋନର ୭ ଜିଲ୍ଲାର ପୁଲିସ ଅଧିକାରୀଙ୍କୁ ନେଇ ୮ଟି ଟିମ୍ ଗଠନ ହୋଇଥିଲା। ପୁଲିସର କହିବା କଥା, ଅଗଷ୍ଟ ୨୦ରେ ଅଙ୍କିତ ବଲିୟାନଙ୍କ ରେକି କରାଯାଇଥିଲା। ଦୁଇ ସୁଟର ଶାମଲି ପହଞ୍ଚି ଅଙ୍କିତଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଦୁହେଁ ଶାମଲିର ସୂର୍ଯ୍ୟା ହୋଟେଲରେ ରହିଥିଲେ। ହୋଟେଲରେ ସେମାନେ ଆଧାରକାର୍ଡ ସମେତ ଅନ୍ୟାନ୍ୟ ଦସ୍ତାବିଜ୍ ଜମା କରିଥିଲେ। ପୁଲିସ ହୋଟେଲର ସିସିଟିଭି ଘାଣ୍ଟିବା ପରେ ପ୍ରମୁଖ ପ୍ରମାଣ ପାଇଥିଲା। ହତ୍ୟାକାଣ୍ଡ ପରେ ଦୁଇ ସୁଟର ବାଇକରେ କର୍ଣ୍ଣାଲକୁ ପଳାଇଥିଲେ। ଯେବେ କି ମୋହିତ ଓ ସୁମିତ ବାଗପତ ଆଡ଼େ ଫେରାର୍ ହୋଇଯାଇଥିଲେ। ମୋହିତ ଓ ସୁମିତକୁ ଟ୍ରାକ୍ କରି କୈରାନା ରୋଡ୍ ସ୍ଥିତ ଇଣ୍ଡିଆନ ଗ୍ୟାସ୍ ଗୋଦାମ ପାଖରେ ଠାବ କରାଯାଇଥିଲା। ଦୁହିଁଙ୍କ ଉପରେ ୫୦ହଜାର ଟଙ୍କା ଲେଖାଏଁ ପୁରଷ୍କାର ରଖାଯାଇଥିଲା। ପୁଲିସ ଉପରକୁ ଗୁଳି ଚଳାଇବାରୁ ପ୍ରତିଜବାବରେ ପୁଲିସ ଗୁଳି କରିଥିଲା। ଦୁହିଁଙ୍କୁ ଗୁଳି ଲାଗିବା ପରେ ହସ୍ପିଟାଲରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଦୁଇଟି ପିସ୍ତଲ, ଜୀବନ୍ତ ଖୋକା, ସ୍ପ୍ଲେଣ୍ଡର ବାଇକ୍, ବ୍ୟାଗ, ମୋବାଇଲ ଓ ୫ହଜାର ଟଙ୍କା ନଗଦ ଜବତ ହୋଇଛି। ପୁଲିସକୁ ୪୮ ଘଣ୍ଟାର ମହଲତ ଦେଇଥିଲେ ହରିଆଣା ଗାୟକ ଅଙ୍କିତ ବଲିୟାନଙ୍କ ପତ୍ନୀ। ଅଙ୍କିତଙ୍କ ହତ୍ୟାକାରୀଙ୍କୁ ୪୮ ଘଣ୍ଟା ଭିତରେ ଏନକାଉଣ୍ଟର ନ କଲେ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଥିଲେ ତାଙ୍କ ପତ୍ନୀ ସୀମା। ସୀମା ଦିଲ୍ଲୀରେ ସରକାରୀ ଶିକ୍ଷୟତ୍ରୀ ଅଛନ୍ତି। ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା। ଯେଉଁଠି ସେ ଶାସନ ଓ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ଗମ୍ଭୀର ପ୍ରଶ୍ନ କରିଥିଲେ। ସୀମା କହିଥିଲେ, ତାଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା କରିଦିଆଗଲା। ଏଥିରେ ତାଙ୍କ ଦୁନିଆ ଛାରଖାର ହୋଇଗଲା। ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଔଷଧ ନ ନେଲେ ନଚଳେ। ସୀମା କହିଛନ୍ତି, ଅଙ୍କିତଙ୍କ ସହ କାହାରି କୌଣସି ବିବାଦ ନଥିଲା। ୨୦୨୩ରେ ଅବଶ୍ୟ ତାଙ୍କୁ ଫୋନରେ ଦୁଇଥର ଧମକ ମିଳିଥିଲା। ଯେହେତୁ ଅଙ୍କିତ ୟୁପିର ମୂଳବାସିନ୍ଦା। ସେଥିଲାଗି ହରିଆଣାରେ ତାଙ୍କୁ ଟିକେ ଅଣଦେଖା କରାଯାଉଥିଲା। ହରିଆଣାରୁ ତାଙ୍କୁ କୌଣସି ସପୋର୍ଟ ମିଳୁନଥିଲା। ଅଙ୍କିତଙ୍କ ହତ୍ୟାକାଣ୍ଡ ପରଠୁ ହରିଆଣାରୁ କେହି କଲ୍ ବି କରିନାହାନ୍ତି। ସୀମା କହିଛନ୍ତି, ବୁଧବାର ଅପରାହ୍ନ ୪ଟା ବେଳେ ଅଙ୍କିତଙ୍କ ସହ ତାଙ୍କର ଶେଷ କଥାବାର୍ତ୍ତା ହୋଇଥିଲା। ଅଙ୍କିତ କୌଣସି ନୂଆ ଗୀତ ଉପରେ କାମ କରୁଥିବା କଥା କହିଥିଲେ। ସେତେବେଳେ ସ୍ଥିତି ପୁରା ସ୍ୱାଭାବିକ ଥିଲା। ଅଙ୍କିତ ବି କୌଣସି ପ୍ରକାର ଚାପରେ ଥିଲା ଭଳି ଲାଗୁନଥିଲା। ସରକାର କହୁଛନ୍ତି, ୟୁପିରେ ଅପରାଧ ଘଟୁନି। କିନ୍ତୁ ସ୍ଥିତି ଏମିତି ହେଲା ଯେ, ୪ଜଣ ଆସି ସର୍ବସମ୍ମୁଖରେ ହତ୍ୟା କରି ଚାଲିଗଲେ। ଅଙ୍କିତ ଓ ସୀମାଙ୍କର କୌଣସି ସନ୍ତାନ ବି ନାହାନ୍ତି। ନିଜର ସୁପରହିଟ୍ ଗୀତ କୋର୍ଟ ମେଁ ଗୋଲି ମାରେଙ୍ଗେ ମେରି ଜାନ୍ ରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଙ୍କିତ। ବୁଧବାର ରାତି ୭ଟାରେ ଶାମଲିରେ ଜିମରେ ଓ୍ୱାର୍କଆଉଟ କରି ବାହାରକୁ ବାହାରୁଥିଲେ ଅଙ୍କିତ। କାରରେ ବସିବାକୁ ଗଲା ବେଳେ ତାଙ୍କୁ ମାରିବାକୁ ଛକି ବସିଥିଲେ ୪ ବଦମାସ। ବାଇକରେ ଆସିଥିଲେ। ଆଉ ପ୍ରାୟ ୧୮ ରାଉଣ୍ଡ ଫାୟାରିଂ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତାଙ୍କ ମୁଣ୍ଡ ଓ ପେଟରେ ୫ଟି ଗୁଳି ଲାଗିଥିଲା। ଅଙ୍କିତଙ୍କ ମୁଣ୍ଡରେ ଗୁଳି ବାଜି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅଙ୍କିତ ମୂଳତଃ ଶାମଲି ଜିଲ୍ଲାର ବଣ୍ଟିଖେଡ଼ା ଗାଁର। ସେ କିଛି ବର୍ଷ ହେଲା ହରିଆଣାର ରୋହତକ ଓ ସୋନିପତରେ ରହି ଗାଇବା ସହ ଆକ୍ଟିଂ କରୁଥିଲେ। ଅଙ୍କିତ ଗଲା ବର୍ଷେ ହେଲା ଏହି ଜିମକୁ ନିଇତି ଆସୁଥିଲେ। ହତ୍ୟା ପଛରେ ପୁରୁଣା ପ୍ରତିଶୋଧ ନଚେତ ଗ୍ୟାଙ୍ଗଓ୍ୱାର ଥିବା କୁହାଯାଉଥିଲା। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଶାମଲି ଥାନା ଆଗରେ ଅଙ୍କିତଙ୍କ ଶବ ରଖି ପ୍ରାୟ ଅଢ଼େଇ ଘଣ୍ଟା ଜାମ୍ ଲଗାଇଥିଲେ ପରିବାର ପରିଜନ। ମୃତ୍ୟୁର ୨ ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମରେ ସେ ଭିଡ଼ିଓ ପୋଷ୍ଟ କରିଥିଲେ। ହିରିଆଣି ଅନ୍ଦାଜରେ ରେ ଖାସ ଭାଇକି ଭଡ଼କ କେ ଉପର, ମର୍ଡର ମାର ଦେ ସଡ଼କ କେ ଉପର ଗୀତ ଗାଇ ପୋଷ୍ଟ କରିବା ସହ ନିଜ ଫ୍ୟାନ୍ସଙ୍କୁ ଏହାକୁ ଅଧିକରୁ ଅଧିକ ସେୟାର କରିବାକୁ କରିଥିଲେ ଅପିଲ୍। ଆଉ କିଛି ସମୟ ପରେ ତାଙ୍କୁ ନିର୍ମମ ହତ୍ୟା ଖବର ପାଇ ଫ୍ୟାନ୍ସ ସ୍ତବ୍ଧ ହୋଇଯାଇଥିଲେ। ଭିଡ଼ିଓର ଶେଷରେ ଜୟ ରାମଜି କି ଭୟା, ଜୟ ବପ୍ପାକୁ, ଜୟ ଭାରତ କହିଥିଲେ ଅଙ୍କିତ। ଅଙ୍କିତ ବଲିୟାନ ହରିଆଣି ମ୍ୟୁଜିକ ଓ ସୋସିଆଲ ମିଡିଆ ଜଗତରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ସେ ୟୁଟ୍ୟୁବର ଓ ହରିଆଣା ଆକ୍ଟର ଭାବେ ବି ସକ୍ରିୟ ଥିଲେ। କୁହାଯାଉଛି, ଅଙ୍କିତ ନିକଟରେ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ଲଢ଼ିବାକୁ ପ୍ରସ୍ତୁତ ହେଉଥିଲେ। ତେବେ ଅଙ୍କିତଙ୍କ ହତ୍ୟାକାଣ୍ଡ ପଛରେ ଅସଲ କାରଣ କଅଣ। ପୁଲିସ ସିସିଟିଭି ଫୁଟେଜ ସହ ସମସ୍ତ ସମ୍ଭାବ୍ୟ ଦିଗକୁ ଛାନଭିନ କରୁଛି। ଏହାରି ଭିତରେ ହରିଆଣାର ଗୋଗି ଗ୍ରୁପ୍ ଏହି ହତ୍ୟାକାଣ୍ଡ ପଛରେ ନିଜକୁ ଦାୟୀ କରିଛି। ଇନଷ୍ଟାଗ୍ରାମରେ ଗ୍ୟାଙ୍ଗ ସହ ଜଡ଼ିତ ସୋନିପତର ଭୋଲୁ ଶାହପୁରିଆ ନାମକ ବ୍ୟକ୍ତି ପୋଷ୍ଟ ସେୟାର କରି ଲେଖିଛି ଯେ, ଅଙ୍କିତ ଆମର ଶତୃ ସହ ସାଥ୍ ଦେଉଥିଲା। ଆମ ଭାଇ ଗୋଗି ଭାଇଙ୍କ ସହ ହୋଇଥିବା ଅଘଟଣ ଉପରେ ସେ ଗୀତ କରିଥିଲା। ଏହାର ପରିଣତି ସେ ଏବେ ଭୋଗିଲା। ଯିଏ ବି ଆମର ଶତୃ ସହ ରହିବ, ସେ ସମସ୍ତଙ୍କର ଏଭଳି ପରିଣାମ ହେବ। ଏହା ତ ମାତ୍ର ଆରମ୍ଭ।
