Puri Mother Murder Case:ମା’ଙ୍କୁ ହତ୍ୟା କରି ସ୍ଲାବ୍ ତଳେ ପୋତିଥିଲା ପୁଅ
ପୁରୀରେ ମା’ଙ୍କୁ ହତ୍ୟା କରି ରୋଷେଇ ଘର ସ୍ଲାବ୍ ତଳେ ମୃତଦେହ ଲୁଚାଇବା ଘଟଣାରେ ୫୭ ଦିନ ପରେ ଗିରଫ ହୋଇଛି ଅଭିଯୁକ୍ତ ପୁଅ ମଦନ ଦଳେଇ। ସିସିଟିଭି ଫୁଟେଜ୍ ଓ ମୋବାଇଲ୍ ଟ୍ରେସିଂ ଆଧାରରେ ଝାଡ଼ଖଣ୍ଡର ଟାଟାନଗରରୁ ତାକୁ ଧରିଛି ପୁଲିସ।
ପୁରୀ:ମା କୁ ହତ୍ୟା କରି ରୋଷେଇ ଘର ସ୍ଲାବ ତଳେ ପ୍ଲାଷ୍ଟର କରିଦେବା ଘଟଣାରେ ଅଭିଯୁକ୍ତ ପୁଅ ମଦନ ଦଳେଇକୁ ଗିରଫ କରିଛି ପୋଲିସ। ଦୀର୍ଘ ୫୭ ଦିନର ପରେ ଅଭିଯୁକ୍ତ କୁ ଗିରଫ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ। ପୁରୀ ଏସପି ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍ପି ପ୍ରତୀକ ସିଂଙ୍କ ସୂଚନା ଅନୁସାରେ, ଅଭିଯୁକ୍ତକୁ ଝାଡ଼ଖଣ୍ଡର ଟାଟାନଗରରେ ଏକ ସ୍ନାକ୍ସ ଦୋକାନରୁ ଗିରଫ କରାଯାଇଛି। ଗିରଫ ପରେ ତାକୁ ଅଦାଲତରେ ହାଜର କରାଯାଇଥିବା ଖବର ମିଳିଛି। ତା’ଠାରୁ ୩୪ ହଜାର ଟଙ୍କା ନଗଦ, ଦୁଇଟି ଆଧାର କାର୍ଡ ଓ ଗୋଟିଏ ପାନ୍ କାର୍ଡ ଜବତ ହୋଇଥିବା ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।ଗତ ଅଗଷ୍ଟ ୨୪ ତାରିଖରେ ପୁରୀର କୁମ୍ଭାରପଡ଼ା ଥାନା ଅଞ୍ଚଳର ଏକ ଭଡ଼ାଘରୁ ଦୁର୍ଗନ୍ଧ ବାହାରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଘର ମାଲିକଙ୍କ ସୂଚନା ପାଇ ପୁଲିସ ଓ ବୈଜ୍ଞାନିକ ଦଳ ପହଞ୍ଚି ରୋଷେଇ ଘରର ସିମେଣ୍ଟ ଢାଞ୍ଚା ଭାଙ୍ଗିଥିଲେ। ତା’ ତଳୁ ଅନ୍ନପୂର୍ଣ୍ଣା ଦଳେଇଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ଗତ ଅଗଷ୍ଟ ୨୦ ତାରିଖରେ ମା ଅନ୍ନପୂର୍ଣ୍ଣା ଦଳେଇଙ୍କୁ ହତ୍ୟା ପରେ ମଦନ ରୋଷେଇ ଘର ସ୍ଲାବ ତଳେ ତାଙ୍କୁ ପ୍ଲାଷ୍ଟର କରି ଫେରାର ହୋଇଯାଇଥିଲା। ମୃତଦେହ ଜବତ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି କ୍ୟାମେରା ଯାଞ୍ଚ ପରେ ପୋଲିସ କୁ ଅନେକ ଗୁରୁତ୍ତ୍ୱପୂର୍ଣ ତଥ୍ୟ ମିଳିଥିଲା। ୨୧ ତାରିଖରେ ଗୁଣ୍ଡିଚା ମନ୍ଦିର ଠାରୁ ଅଭିଯୁକ୍ତ ମଦନ ଏକ ଦୋକାନରୁ ସିମେଣ୍ଟ ଆଣି ଘରେ ଗୋଳୋଉ ଥିବା ପୋଲିସ ସିସିଟିଭି କ୍ୟାମେରାରେ ଦେଖିବାକୁ ପାଇଥିଲା। ତେବେ ୨୩ ତାରିଖ ସକାଳୁ ପୁରୀ ରୁ ଭୁବନେଶ୍ୱର ବସ୍ ମାଧ୍ୟମରେ ଯାଇଥିଲା ଅଭିଯୁକ୍ତ। ଭୁବନେଶ୍ୱର ରୁ ଟ୍ରେନ ଯୋଗେ ଟିଟିଲାଗଡ଼ ଫେରାର ହୋଇ ଯାଇଥିଲା। ପରେ ରାୟପୁର ଯାଇଥିଲା। ସେଠାରେ ଯାଇ ନିଜର ମୋବାଇଲ ବିକ୍ରି କରିଥିଲା। ସେଠାରୁ ଭଉଣୀ ଘର କୋଲକତା ଯାଇଥିଲା। ଭଉଣୀ କୁ ମାର ଦେହ ଅସୁସ୍ଥ ଅଛି କହି ସେଠାରୁ ପଳାଇଥିଲା। ୨୫ ବର୍ଷ ହେବ ପରିବାର ଠାରୁ ଦୂରରେ ରହୁଥିଲେ ମା ପୁଅ। ମଦନ ର ମୋବାଇଲ ଫୋନ୍ ଟ୍ରେସ୍ କରି ପୋଲିସ ତାମିଲନାଡୁ, ମହାରାଷ୍ଟ୍ର ଯାଇ ଚଢ଼ାଉ କରିଥିଲା। ଶେଷରେ ଅଭିଯୁକ୍ତ କୁ ଟାଟା ନଗରର ଏକ ସ୍ନାକ୍ସ ଦୋକାନ ରୁ ପୋଲିସ ଗିରଫ କରିଥିଲା। କେଉଁ କାରଣ ପାଇଁ ମା କୁ ହତ୍ୟା କରିଥିଲା ତାର ତଦନ୍ତ କରାଯିବ ବୋଲି କହିଛନ୍ତି ଏସପି। ପୁଲିସ ଏବେ ହତ୍ୟା ପଛର ପ୍ରକୃତ କାରଣ ଜାଣିବାକୁ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା କରିବା ସହ ତଦନ୍ତକୁ ଆଗକୁ ବଢ଼ାଇବ। ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ହେବ।
