Murder or Mystery : ମୃତଦେହ ନିକଟରୁ ମିଳିଲା ସନ୍ଦେହଜନକ ସାମଗ୍ରୀ!
ରାତି ୯ଟାରେ ଘରେ ଥିଲେ, ସକାଳୁ ମିଳିଲା ୨୬ ବର୍ଷୀୟ ଯୁବକଙ୍କ ମୃତଦେହ! ପାଖରେ ପଡ଼ିଥିଲା ବିଦ୍ୟୁତ୍ ତାର ଓ ହାତୁଡ଼ି। ଏହା ହତ୍ୟା ନା ମୃତ୍ୟୁ ପଛରେ ଲୁଚିଛି ଅନ୍ୟ କିଛି ରହସ୍ୟ?
ରାତିରେ ଘରେ ଥିଲେ, ସକାଳୁ ମିଳିଲା ମୃତଦେହ! ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଜଣେ ୨୬ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଯୁବକଙ୍କ ମୃତ୍ୟୁକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ। ଏହା ହତ୍ୟା ନା ମୃତ୍ୟୁ ପଛରେ ରହିଛି ଅନ୍ୟ କିଛି ରହସ୍ୟ | ପୁଲିସର ତଦନ୍ତ ଉପରେ ଏବେ ସମସ୍ତଙ୍କ ନଜର। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗଡ଼ପୋଖରୀ ପଞ୍ଚାୟତର ଶାରୀଶୁଆ ଗ୍ରାମରେ ଘଟିଛି ଏହି ଘଟଣା | ମୃତ ଯୁବକ ହେଉଛନ୍ତି କରୁଣାକର ଜେନାଙ୍କ ସାନପୁଅ ଆରତ ଜେନା |
ରାତିରେ ଘରେ ଥିଲେ, ସକାଳୁ ମୃତଦେହ ଉଦ୍ଧାର
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଆରତ ଘରେ ଥିଲେ। କିନ୍ତୁ ଆଜି ସକାଳେ ଗୋବିନ୍ଦ ଦଳେଇଙ୍କ ଘର ପଛପଟେ ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ | ଘରଠାରୁ ଅଳ୍ପ ଦୂରରେ ଏଭଳି ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିବା ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି |
ମୃତଦେହ ନିକଟରୁ ବିଦ୍ୟୁତ୍ ତାର ଓ ହାତୁଡ଼ି ଜବତ
ଆରତଙ୍କ ଡାହାଣ ହାତର କିଛି ଅଂଶରୁ ଚମଡ଼ା ଉଠିଯାଇଥିବା ବେଳେ କାନମୂଳ ଫୁଲିଥିବା ଜଣାପଡ଼ିଛି। ଏହି ଚିହ୍ନଗୁଡ଼ିକ କିପରି ସୃଷ୍ଟି ହେଲା, ତାହା ତଦନ୍ତର ବିଷୟ ହୋଇଛି। ଖବର ପାଇ ଖଇରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସେଠାରୁ ବିଦ୍ୟୁତ୍ ତାର ଓ ହାତୁଡ଼ି ଜବତ କରିଛି। ଏହି ସାମଗ୍ରୀଗୁଡ଼ିକର ଘଟଣା ସହ କୌଣସି ସମ୍ପର୍କ ଅଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା
ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କ ନିର୍ଦ୍ଦେଶରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ପୁଲିସ ହତ୍ୟା ମାମଲା ରୁଜୁ କରି ଗୋବିନ୍ଦ ଦଳେଇ ଓ ତାଙ୍କ ସ୍ତ୍ରୀ ମାମା ଦଳେଇଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ତେବେ ଆରତଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ? କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା? ଘଟଣାସ୍ଥଳରୁ ମିଳିଥିବା ସାମଗ୍ରୀର ଏହି ଘଟଣା ସହ କି ସମ୍ପର୍କ ରହିଛି? ଏସବୁ ପ୍ରଶ୍ନର ଉତ୍ତର ଏବେ ଅସ୍ପଷ୍ଟ। ପୁଲିସର ଅଧିକ ତଦନ୍ତ ପରେ ହିଁ ଆରତଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ।
