Vigilance Raid : ତପନ ସେଠୀଙ୍କ ସମ୍ପତ୍ତି ଖୋଜୁଛି ଭିଜିଲାନ୍ସ ଟିମ୍
ସରକାରୀ ଅଧିକାରୀଙ୍କ ୭ଟି ଠିକଣାରେ ଭିଜିଲାନ୍ସର ଚଢ଼ାଉ! ତିନି ମହଲା କୋଠାଠାରୁ ଫାର୍ମ ହାଉସ୍ ପର୍ଯ୍ୟନ୍ତ ଚାଲିଛି ଖାନତଲାସୀ।

ସକାଳୁ ସକାଳୁ ଭିଜିଲାନ୍ସ ଆକ୍ସନ୍! ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍ ଆଣ୍ଡ ବି ବିଭାଗର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ତପନ ସେଠୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ। ଗତକାଲି କଟକ, ଭୁବନେଶ୍ୱର, ପୁରୀ ଓ ଯାଜପୁର ଜିଲ୍ଲାର ବଡ଼ଚଣା ସମେତ ମୋଟ ୭ଟି ସ୍ଥାନରେ ଏକକାଳୀନ ତଲାସୀ ଜାରି ରହିଛି । ତପନ ସେଠୀ ବଡ଼ଚଣା ଆର୍ ଆଣ୍ଡ ବି ସବ୍ଡିଭିଜନରେ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଜଣାଶୁଣା ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ଥିବା ଅଭିଯୋଗରେ କଟକ ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି।ଭିଜିଲାନ୍ସର ୩ ଜଣ ଅତିରିକ୍ତ ଏସ୍ପି, ୬ ଜଣ ଡିଏସ୍ପି, ୩ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହଯୋଗୀ କର୍ମଚାରୀ ଏହି ତଲାସୀ ଅଭିଯାନରେ ସାମିଲ ହୋଇଛନ୍ତି।କଟକ ସିଡିଏ ସେକ୍ଟର-୭ର ପ୍ଲଟ୍ ନମ୍ବର F/779ରେ ଥିବା ତିନି ମହଲା କୋଠା, ପୁରୀର ସିଦ୍ଧମହାବୀରଠାରେ ଥିବା ତିନି ମହଲା କୋଠା ଏବଂ କଟକ ଜିଲ୍ଲାର କଣ୍ଟାପଡ଼ାଠାରେ ଥିବା ଫାର୍ମ ହାଉସ୍ ଓ ସିମ୍ପ୍ଲେକ୍ସରେ ଚଢ଼ାଉ ହୋଇଛି । ସେହିପରି ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆ ସ୍ଥିତ ପୈତୃକ ଘର, କଟକର ୪୨ ମୌଜା ଅନ୍ତର୍ଗତ ବନ୍ତୁଣିଆରେ ଥିବା ଶ୍ୱଶୁର ଘର, ଭୁବନେଶ୍ୱରର କଣ୍ଟାବାଡ଼ଠାରେ ଥିବା ଦୁଇ ମହଲା କୋଠା ଏବଂ ବଡ଼ଚଣା ଆର୍ ଆଣ୍ଡ ବି ସବ୍ଡିଭିଜନ କାର୍ଯ୍ୟାଳୟରେ ମଧ୍ୟ ତଲାସୀ ଚାଲିଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ତଲାସୀ ଜାରି ରହିଥିବା ବେଳେ ସମ୍ପତ୍ତିର ପରିମାଣ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ପରବର୍ତ୍ତୀ ରିପୋର୍ଟରେ ସୂଚନା ମିଳିବ।
