Student Union Polls : ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବାଜିମାତ୍, କେତେକ କଲେଜରେ ବିସିଜେଡିର ବିଜୟ
ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କ ବଡ଼ ସଫଳତା ମିଳିଥିବା ବେଳେ କେତେକ କଲେଜରେ ବିସିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅନ୍ୟପଟେ, ନାକଚ ଭୋଟକୁ ନେଇ କେତେକ ସ୍ଥାନରେ ଉତ୍ତେଜନା ଓ ରାସ୍ତାରୋକ ଦେଖାଦେଇଛି।

ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କ୍ୟାମ୍ପସଗୁଡ଼ିକରେ ଉତ୍ସବର ମାହୋଲ। ନବରଙ୍ଗପୁର ବିନୋଦ ବିହାରୀ କଲେଜ, ଧରଣୀଧର ବିଶ୍ୱବିଦ୍ୟାଳୟ, ଖଇରା ମହାବିଦ୍ୟାଳୟ, ବୌଦ୍ଧ ଆଦର୍ଶ ମହାବିଦ୍ୟାଳୟ ଓ ଅନୁଗୋଳରେ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ଅନ୍ୟପଟେ କେତେକ କଲେଜରେ ବିସିଜେଡି ସମର୍ଥିତ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। କିଛି ସ୍ଥାନରେ ନିର୍ବାଚନକୁ ନେଇ ଉତ୍ତେଜନା ଓ ରାସ୍ତାରୋକ ମଧ୍ୟ ଦେଖିବାକୁ ମିଳିଛି।
ନବରଙ୍ଗପୁରର ବିନୋଦ ବିହାରୀ କଲେଜରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବା ବେଳେ ଏବିଭିପି ସମସ୍ତ ପଦବୀ ହାତେଇ କ୍ଲିନ୍ ସୁଇପ୍ କରିଛି। ସଭାପତି ମୃତ୍ୟୁଞ୍ଜୟ ବିଷୋୟୀ ୪୧୬ ଭୋଟ ପାଇ ରୋହନ ବିଷୋୟୀଙ୍କୁ ୧୩୯ ଭୋଟରେ ପରାସ୍ତ କରିଛନ୍ତି। ସାଧାରଣ ସମ୍ପାଦକ ଗୀତାଞ୍ଜଳି ବିଷୋୟୀ ୫୫୮ ଭୋଟ ପାଇ ଆଦିତ୍ୟ ମିର୍ଗାନଙ୍କୁ ୪୦୦ ଭୋଟରେ ହରାଇଛନ୍ତି।
ଧରଣୀଧର ବିଶ୍ୱବିଦ୍ୟାଳୟର ପ୍ରଥମ ଛାତ୍ର ସଂସଦ ନିର୍ବାଚନରେ ମଧ୍ୟ ଏବିଭିପି ବଡ଼ ବିଜୟ ହାସଲ କରିଛି। ମୋଟ ୧୯୬୬ ଭୋଟ ମଧ୍ୟରୁ ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ଶୁଭମ ନାୟକ ୧୨୦୩ ଭୋଟ ପାଇଥିବା ବେଳେ ବିସିଜେଡି ସମର୍ଥିତ ପ୍ରାର୍ଥୀ ୭୬୩ ଭୋଟ ପାଇଛନ୍ତି। ଶୁଭମ ୪୪୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସମ୍ପାଦକ ପଦରେ ଚିନ୍ମୟ ବାରିକ ବିଜୟୀ ହୋଇଛନ୍ତି।
ବାଲେଶ୍ୱର ଜିଲ୍ଲାର ଖଇରା ମହାବିଦ୍ୟାଳୟ ଓ ବୌଦ୍ଧ ଆଦର୍ଶ ମହାବିଦ୍ୟାଳୟରେ ମଧ୍ୟ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ବିଭିନ୍ନ ପଦବୀରେ ବିଜୟୀ ହୋଇଛନ୍ତି। ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସଭାପତି ପ୍ରାର୍ଥୀ ପ୍ରିୟବ୍ରତ ସାହୁ ୧୧୯୦ ଭୋଟ ପାଇ ବିସିଜେଡିର ଆଶିଷ ବେହେରାଙ୍କୁ ପରାସ୍ତ କରିଛନ୍ତି। ସାଧାରଣ ସମ୍ପାଦକ ପଦରେ ସଂଗ୍ରାମ ବେହେରା ବିଜୟୀ ହୋଇଛନ୍ତି।
ଅନ୍ୟପଟେ ସାଇଁକୁଳ ପତିତପାବନ ମହାବିଦ୍ୟାଳୟ, ରାଜକନିକାର ଏସ୍.ଏନ୍. କଲେଜ ଓ ଓଳାଭର କଲେଜରେ ବିସିଜେଡି ସମର୍ଥିତ ପ୍ରାର୍ଥୀମାନେ ସଫଳତା ପାଇଛନ୍ତି। ପାରଳାଖେମୁଣ୍ଡିର ଏସ୍.କେ.ସି.ଜି. ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିସିଜେଡି ସମର୍ଥିତ କୃଷ୍ଣଚନ୍ଦ୍ର କାର୍ଜି ଏବିଭିପି ପ୍ରାର୍ଥୀ ଶିବ ଗୌଡ଼ଙ୍କୁ ୨୧୦ ଭୋଟରେ ପରାସ୍ତ କରିଛନ୍ତି।
ସେହିପରି ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ନାକଚ ଭୋଟକୁ ନେଇ ବିସିଜେଡି ଓ ଏନ୍ଏସ୍ୟୁଆଇ ସମର୍ଥକମାନେ ରାସ୍ତାରୋକ କରିଛନ୍ତି। ପୋଲିସ ଓ ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ସତ୍ତ୍ୱେ ଅସନ୍ତୋଷ ଜାରି ରହିଥିବା ଖବର ମିଳିଛି। ଛାତ୍ର ସଂସଦ ନିର୍ବାଚନ ଫଳାଫଳ ରାଜ୍ୟର କ୍ୟାମ୍ପସ ରାଜନୀତିକୁ ନୂଆ ଦିଗ ଦେଇଥିବା ବେଳେ ନିର୍ବାଚନର ସ୍ୱଚ୍ଛତା ଓ ଛାତ୍ରଛାତ୍ରୀଙ୍କ ଦାବି ପୂରଣ ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି।
