DurgaPuja: ଶାରଦୀୟ ପୂଜା: ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା
ପାର୍ବଣ ଋତୁରେ ଚଳଚଞ୍ଚଳ ପଟ୍ଟାମୁଣ୍ଡାଇ, ଦୁଇ ଶହ ବର୍ଷର ପରମ୍ପରା ବହନ କରୁଛି ଶାରଦୀୟ ପୂଜା। ୨୬ଟି ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।
କେନ୍ଦ୍ରାପଡ଼ା: ପାର୍ବଣ ଋତୁକୁ ନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହରରେ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି। ଦୀର୍ଘ ଦୁଇ ଶହ ବର୍ଷର ପରମ୍ପରା ବହନ କରୁଥିବା ଏହି ଶାରଦୀୟ ଦୁର୍ଗାପୂଜାକୁ ନେଇ ସହରବାସୀଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ। ପଟ୍ଟାମୁଣ୍ଡାଇର ବଙ୍ଗାଳିସାହି ଦୁର୍ଗା, କଚେରୀ ଦୁର୍ଗା ଓ ପୋଖରୀପଡ଼ା ଦୁର୍ଗାଙ୍କ ସମେତ ୨୬ଟି ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି। କେଉଁଠି ମାଟିରେ ନିର୍ମିତ ମା’ଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର, ତ ଆଉ କେଉଁଠି ଆକର୍ଷଣୀୟ ତୋରଣ ଓ ରଙ୍ଗବେରଙ୍ଗର ଆଲୋକସଜ୍ଜାରେ ଲାଗିପଡ଼ିଛନ୍ତି ଶିଳ୍ପୀ। ଭୋଗ, ସାଂସ୍କୃତିକ କାର୍ଯ୍ୟକ୍ରମ, ଆତସବାଜି ଓ ଭସାଣି ଶୋଭାଯାତ୍ରାକୁ ନେଇ ଚଳିତ ବର୍ଷର ପୂଜାକୁ ଆହୁରି ଆକର୍ଷଣୀୟ କରିବାକୁ ଯୋଜନା କରିଛନ୍ତି ବିଭିନ୍ନ ପୂଜା କମିଟି। କେବଳ ପୂଜା ମଣ୍ଡପ ନୁହେଁ, ମା’ଙ୍କ ଆଗମନକୁ ନେଇ ଘରେ ଘରେ ମଧ୍ୟ ଦେଖିବାକୁ ମିଳିଲାଣି ଉତ୍ସବର ମାହୋଲ। ମା’ଙ୍କ ନଅ ରୂପକୁ ନେଇ ନବକନ୍ୟା ବେଶ ଓ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ବିଶେଷ ଉତ୍କଣ୍ଠା। ବର୍ଷକ ପରେ ମା’ଙ୍କ ଦର୍ଶନ ପାଇଁ ଚାହିଁ ବସିଛନ୍ତି ଭକ୍ତ। ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣଠାରୁ ଆରମ୍ଭ କରି ପାରମ୍ପରିକ ପିଠାପଣାର ଆସର ପର୍ଯ୍ୟନ୍ତ, ସବୁଠି ଚାଲିଛି ପ୍ରସ୍ତୁତି।
ଅନ୍ୟପଟେ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଆୟୋଜନ କରାଯାଇଛି। ପୂଜା ମଣ୍ଡପରେ ଅଗ୍ନି ନିରାପତ୍ତା, ପାନୀୟ ଜଳ ଯୋଗାଣ, ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଓ ଭସାଣି ଶୋଭାଯାତ୍ରାର ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି। ସାଇବର ଅପରାଧ ରୋକିବା ଲାଗି ପୋଲିସ ପକ୍ଷରୁ ସଚେତନତା ରାଲି ସହ ସ୍ୱତନ୍ତ୍ର ପାଟ୍ରୋଲିଂ ଆରମ୍ଭ ହୋଇଛି। ଭିଡ଼ ନିୟନ୍ତ୍ରଣ ଓ ଯାନବାହନ ଚଳାଚଳକୁ ସୁବ୍ୟବସ୍ଥିତ କରିବା ପାଇଁ ଅଧିକ ପୋଲିସ ମୁତୟନ କରାଯିବାର ଯୋଜନା ରହିଛି। ତେବେ ପାଗ ଅନୁକୂଳ ରହିଲେ ଚଳିତ ବର୍ଷ ମଧ୍ୟ ଧୁମଧାମରେ ପାଳିତ ହେବ ପଟ୍ଟାମୁଣ୍ଡାଇର ଏହି ପାରମ୍ପରିକ ଶାରଦୀୟ ଗଣପର୍ବ। ଭକ୍ତି, ଶ୍ରଦ୍ଧା ଓ ଉତ୍ସବର ମାହୋଲ ମଧ୍ୟରେ ମା’ଙ୍କ ଆଗମନକୁ ଅପେକ୍ଷା କରି ରହିଛନ୍ତି ପଟ୍ଟାମୁଣ୍ଡାଇବାସୀ।
