Umerkote College Election:ପେଣ୍ଡ୍ରାଣୀ କଲେଜ ନିର୍ବାଚନ:୩ ପ୍ରମୁଖ ପଦରୁ ୨ଟି ବିଜେଡି ଖାତାରେ
ବାଜା, ବାଣ ଓ ନାଚଗୀତରେ କମ୍ପିଲା ଉମରକୋଟ | ପେଣ୍ଡ୍ରାଣୀ କଲେଜର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଉମରକୋଟରେ ରାଜନୈତିକ ଉତ୍ସାହ ବଢ଼ାଇଛି। ବିଜୟକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଦଳୀୟ ନେତା ଓ କର୍ମୀ। ଏହି ଫଳାଫଳକୁ ନେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ମଧ୍ୟ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା।

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଉମରକୋଟର ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସଫଳତା ପରେ ଦଳୀୟ ଶିବିରରେ ଖୁସିର ମାହୋଲ। ଏହି ବିଜୟକୁ ନେଇ ଉମରକୋଟ ସହରରେ ଭବ୍ୟ ରାଲି କରି ଉତ୍ସବ ପାଳନ କରିଛନ୍ତି ବିଜେଡି ନେତା, କର୍ମୀ ଓ ସମର୍ଥକ। ବାଜାର ତାଳେ ତାଳେ ନାଚଗୀତ ଓ ବାଣ ଫୁଟାଇ ବିଜୟର ଖୁସି ମନାଇଛନ୍ତି ଦଳୀୟ କର୍ମୀ।ଡି.ଏନ୍.କେ. ଗୋପବନ୍ଧୁ ଛକରୁ ଏହି ବିଜୟ ରାଲି ବାହାରିଥିଲା। ଏଥିରେ ବିଜେଡି ଜିଲ୍ଲା ସଭାପତି ମନୋହର ରନ୍ଧାରୀ, ବରିଷ୍ଠ ନେତା ପ୍ରଦୀପ ମାଝୀଙ୍କ ସମେତ ଅନେକ ନେତା ଓ କର୍ମୀ ସାମିଲ ହୋଇଥିଲେ।କଲେଜ ନିର୍ବାଚନରେ ସଭାପତି ପଦରେ ବିଜେଡି ସମର୍ଥିତ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ନିତିନ ଯାଦବ ୫୪୬ ଖଣ୍ଡ ଭୋଟ ପାଇଥିଲେ। ସେ ନିଜ ପ୍ରତିଦ୍ୱନ୍ଦ୍ୱୀ ରିଙ୍କୁ ରାଜୁଙ୍କୁ ୪୦ ଭୋଟରେ ପରାସ୍ତ କରିଛନ୍ତି। ଅନ୍ୟପଟେ ଉପସଭାପତି ପଦରେ ଏବିଭିପି ପ୍ରାର୍ଥୀ ପ୍ରଦୀପ ଗଣ୍ଡ ୫୪୧ ଭୋଟ ପାଇ ୬୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।ସେହିପରି ସାଧାରଣ ସମ୍ପାଦକ ପଦରେ ବିଜେଡି ସମର୍ଥିତ ନିତ୍ୟା ଗଣ୍ଡ ୫୬୦ ଖଣ୍ଡ ଭୋଟ ପାଇ ବିଶ୍ୱଜିତ ସାହୁଙ୍କୁ ୯୯ ଭୋଟରେ ହରାଇଛନ୍ତି। ଫଳରେ ତିନିଟି ପ୍ରମୁଖ ପଦରୁ ଦୁଇଟି ବିଜେଡି ସମର୍ଥିତ ପ୍ରାର୍ଥୀ ଓ ଗୋଟିଏ ଏବିଭିପି ହାତକୁ ଯାଇଛି।ଏହି ବିଜୟକୁ ନେଇ ପ୍ରଦୀପ ମାଝୀ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଆଶା ପ୍ରକାଶ କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିର୍ବାଚନମଣ୍ଡଳୀରେ ଏହି ଫଳାଫଳକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।
