Amasama Water Crisis:ପିଇବାକୁ ମିଳୁନି ବିଶୁଦ୍ଧ ଜଳ, ଚିନ୍ତାରେ ଗ୍ରାମବାସୀ
ଗାଁରେ ରହିଛି ନଳକୂପ, ହେଲେ ପିଇବା ପାଣିକୁ ନେଇ ଦୂର ହେଉନି ଚିନ୍ତା। ଦୂଷିତ ଜଳ ପାଇଁ ଅନେକ ଜୀବନ ଯାଇଥିବା ଏବଂ ଏବେ ବି ଅନେକ ଲୋକ କିଡ୍ନୀ ରୋଗରେ ପୀଡ଼ିତ ଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।

ଅନୁଗୋଳ: ଗାଁରେ ନାହିଁ ସ୍ୱଚ୍ଛ ପାନୀୟ ଜଳ। ନଳକୂପ ଥିଲେ ମଧ୍ୟ ସେଥିରୁ ମିଳୁଥିବା ପାଣି ପିଇବାକୁ ନେଇ ରହିଛି ଭୟ। ଦୂଷିତ ପାଣି ପିଇ ଅନେକ ଲୋକ ରୋଗରେ ପଡ଼ିବା ସହ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏବେ ମଧ୍ୟ ୧୦ରୁ ୧୫ ଜଣ କିଡ୍ନୀ ରୋଗରେ ଆକ୍ରାନ୍ତ ଥିବା ସେମାନେ କହିଛନ୍ତି। ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତର ଅମାସମା ଗାଁରୁ। ପାହାଡ଼ ପାଦଦେଶରେ ଅବସ୍ଥିତ ଏହି ଗାଁରେ ପ୍ରାୟ ୨୦୦ରୁ ଅଧିକ ଲୋକ ବସବାସ କରନ୍ତି। ହେଲେ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗାଁରେ ପଞ୍ଚଧାର ଭଳି ପ୍ରାକୃତିକ ଜଳସ୍ରୋତରୁ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ। ନଳକୂପ ରହିଥିଲେ ମଧ୍ୟ ସେଥିରୁ ବାହାରୁଥିବା ପାଣି ସୁରକ୍ଷିତ ନୁହେଁ ବୋଲି ସେମାନେ ଦାବି କରିଛନ୍ତି। ଗ୍ରାମ ର ଏଭଳି ସମସ୍ୟା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ନେଇ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି ହେଲେ ଏଥିପ୍ରତି କାହାର ଦୃଷ୍ଟି ପଡନଥିବା ଏବଂ କୌଣସି ସ୍ଥାୟୀ ସମାଧାନ ହୋଇନଥିବା ଗ୍ରାମବାସୀ କହିଛନ୍ତି। ଫଳରେ ଗାଁରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଏବେ ବଡ଼ ଚିନ୍ତାର ବିଷୟ ପାଲଟିଛି। ତେବେ ଦୂଷିତ ଜଳ ଓ କିଡ୍ନୀ ରୋଗ ମଧ୍ୟରେ ପ୍ରକୃତ ସମ୍ପର୍କ ଜାଣିବା ପାଇଁ ପାଣିର ଗୁଣବତ୍ତା ପରୀକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗର ଯାଞ୍ଚ ଜରୁରୀ। ଗ୍ରାମବାସୀଙ୍କ ଅଭିଯୋଗ ଉପରେ ପ୍ରଶାସନ କେବେ ପଦକ୍ଷେପ ନେଉଛି, ତାହାକୁ ଅପେକ୍ଷା।
