Ambani vs Musk:'ହମ୍ କିସିସେ ଡରତେ ନେହିଁ',ମସ୍କଙ୍କୁ ରିଲାଏନ୍ସର ଜବାବ
ଭାରତରେ ଷ୍ଟାରଲିଙ୍କ୍ର ପ୍ରବେଶକୁ ନେଇ ମୁକେଶ ଅମ୍ବାନୀ ଓ ଏଲନ୍ ମସ୍କଙ୍କ ମଧ୍ୟରେ ବଢ଼ୁଛି ବାକ୍ଯୁଦ୍ଧ। ରିଲାଏନ୍ସର ଜବାବ ପରେ ଚର୍ଚ୍ଚାରେ ରାଜନୈତିକ ରଙ୍ଗ ଲାଗିଛି,ବିବାଦରେ ରାଜନେତା ଅସଦୁଦ୍ଦିନ ଓୱେସୀଙ୍କ ବୟାନ ଆଣିଛି ନୂଆ ମୋଡ଼।ପ୍ରତିଯୋଗିତା ସହ ଦେଶର ନିଷ୍ପତ୍ତି ଓ ନିୟମକୁ ନେଇ ଉଠିଛି ପ୍ରଶ୍ନ।
ସାଟେଲାଇଟ୍ ଇଣ୍ଟରନେଟ୍କୁ ନେଇ ଏଲୋନ୍ ମସ୍କ ଏବଂ ମୁକେଶ ଅମ୍ବାନୀଙ୍କ ମଧ୍ୟରେ ଚାଲିଥିବା ବାକ୍ଯୁଦ୍ଧ ମଧ୍ୟରେ, ରିଲାଏନ୍ସ ଏବେ ନିଜର ପକ୍ଷ ରଖିଛି। ଭାରତରେ ଏଲନ୍ ମସ୍କଙ୍କ 'ଷ୍ଟାରଲିଙ୍କ୍' ଆସିବାରେ ହେଉଥିବା ବିଳମ୍ବ ଏବଂ ବଜାରରେ ସମ୍ଭାବ୍ୟ ପ୍ରତିଯୋଗିତାକୁ ନେଇ ଉଠିଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ, ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସ୍ପଷ୍ଟ କରିଛି ଯେ କମ୍ପାନି କେବେ ପ୍ରତିଯୋଗିତାକୁ ଭୟ କରିନାହିଁ ଏବଂ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଷ୍ଟାରଲିଙ୍କ୍ ସମେତ ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସ୍ୱାଗତ କରୁଛି। ତେବେ ଜିଓ ସମେତ ପ୍ରତ୍ୟେକ କମ୍ପାନି ଭାରତୀୟ ଆଇନ ଓ ନୀତି ମାନିବା ଆବଶ୍ୟକ ବୋଲି କମ୍ପାନି ସ୍ପଷ୍ଟ କରିଛି। ରିଲାଏନ୍ସର ନିଜ ସାଟେଲାଇଟ୍ ସେବା ମଧ୍ୟ ସରକାରୀ ମଞ୍ଜୁରି ଅପେକ୍ଷାରେ ରହିଛି। ସରକାରଙ୍କ କହିବା ଅନୁସାରେ, ଷ୍ଟାରଲିଙ୍କ୍, ଜିଓର ସାଟେଲାଇଟ୍ କମ୍ପାନି ଏବଂ ଭାରତୀ ସମର୍ଥିତ ୟୁଟେଲସାଟ୍ ୱାନ୍ୱେବ୍ର ସୁରକ୍ଷା ଯାଞ୍ଚ ଚାଲିଛି। ଆବଶ୍ୟକ ସୁରକ୍ଷା ଓ ସ୍ପେକ୍ଟ୍ରମ୍ ଅନୁମତି ବିନା କୌଣସି ସେବା ଆରମ୍ଭ ହୋଇପାରିବ ନାହିଁ।
ତେବେ ବିବାଦ ଆରମ୍ଭ ହେଇଥିଲା ମସ୍କଙ୍କ,ଷ୍ଟାରଲିଙ୍କ୍ର ଭାରତ ପ୍ରବେଶରେ ବିଳମ୍ବ ପଛରେ ପ୍ରଭାବଶାଳୀ ଉଦ୍ୟୋଗପତିଙ୍କ ଚାପ ଥିବା ଅଭିଯୋଗରୁ । ସେ ଅମ୍ବାନୀଙ୍କୁ ବ୍ୟଙ୍ଗ କରି ‘ପ୍ରଧାନମନ୍ତ୍ରୀ ଅମ୍ବାନୀ’ ବୋଲି ମଧ୍ୟ କହିଥିଲେ। ତେବେ, ଏହି ବିବାଦରେ ରିଲାଏନ୍ସର କଡା ଜବାବ ବ୍ୟତୀତ ରାଜନୈତିକ ମତଭେଦ ମଧ୍ୟ ସାମ୍ନାକୁ ଆସିଛି। ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ କହିଛନ୍ତି, ମୋଦୀଙ୍କ ବିରୋଧ କରିବା ଅଲଗା କଥା,କିନ୍ତୁ କୌଣସି ବିଦେଶୀ ବ୍ୟବସାୟୀ ଭାରତକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ। ସେ ବିଜେପିର ରାଷ୍ଟ୍ରବାଦ ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟପଟେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମସ୍କଙ୍କୁ ‘ଭାରତକୁ ସ୍ୱାଗତ’ କହି ଆଉ ଜଣେ ଶିଳ୍ପପତିଙ୍କୁ ଭେଟିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଲେଖିଥିଲେ। ମସ୍କ ମଧ୍ୟ ଏହାର ଜବାବ ଦେଇଥିଲେ। ମସ୍କଙ୍କ ଯୁକ୍ତି ହେଉଛି, ଷ୍ଟାରଲିଙ୍କ୍ ଦୂରଦୂରାନ୍ତ ଓ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ପହଞ୍ଚାଇବାରେ ସହାୟକ ହୋଇପାରିବ। ଶିକ୍ଷା, ଯୋଗାଯୋଗ ଓ ଆପତ୍କାଳୀନ ସମୟରେ ଏହାର ଉପଯୋଗ ଥିବା ସେ ଦାବି କରିଛନ୍ତି। ଏବେ ମୁଖ୍ୟ ପ୍ରଶ୍ନ ହେଉଛି, ଅନୁମତି ପ୍ରକ୍ରିୟା କେବେ ସରିବ ଏବଂ ଭାରତୀୟ ଗ୍ରାହକଙ୍କୁ କେବେ ନୂଆ ବିକଳ୍ପ ମିଳିବ। ଏହି ମଧ୍ୟରେ ଅମ୍ବାନୀଙ୍କ ଜିଓ ଓ ମସ୍କଙ୍କ ଷ୍ଟାରଲିଙ୍କ୍ର ପ୍ରତିଦ୍ୱନ୍ଦ୍ୱିତା କେବଳ ବ୍ୟବସାୟରେ ସୀମିତ ନୁହେଁ; ନିୟମ, ସୁରକ୍ଷା ଏବଂ ଦେଶର ନୀତିଗତ ସ୍ୱାଧୀନତା ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି। ଏହାର ପ୍ରଭାବ ଆଗାମୀ ବଜାର ଚିତ୍ର ନିର୍ଦ୍ଧାରଣ କରିବ।
