Student Election Politics:ଛାତ୍ର ସଂସଦ ନିର୍ବାଚନକୁ ନେଇ ବାକ୍ଯୁଦ୍ଧ
ଦୀର୍ଘ ୮ ବର୍ଷ ପରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବା ବେଳେ ଏହାକୁ ନେଇ ବିଜେପି ଓ ଛାତ୍ର କଂଗ୍ରେସ ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ଆରମ୍ଭ ହୋଇଛି। ବିଜେପି ଏହାକୁ ଗଣତନ୍ତ୍ରର ବିଜୟ କହିଥିବା ବେଳେ ଛାତ୍ର କଂଗ୍ରେସ ଭୋଟ ଚୋରି, ଅନିୟମିତତା ଓ ବିଭିନ୍ନ କଲେଜରେ ନିର୍ବାଚନ ବାତିଲ ନେଇ ଅଭିଯୋଗ କରିଛି।

ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବାକ୍ଯୁଦ୍ଧ। ଗୋଟିଏ ପଟେ ନିର୍ବାଚନକୁ ଗଣତନ୍ତ୍ର ଓ ଛାତ୍ର ସମାଜର ବିଜୟ ବୋଲି କହିଛି ବିଜେପି। ଅନ୍ୟପଟେ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଏବଂ ଭୋଟ ଚୋରି ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ।ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି, ଗତ ବିଜେଡି ସରକାର ଅମଳରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା। ବିଜେପି ନିଜ ସଂକଳ୍ପପତ୍ରରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସରକାର ଗଠନ ପରେ ଛାତ୍ରଛାତ୍ରୀଙ୍କ ଦୀର୍ଘଦିନର ଦାବି ପୂରଣ କରିଛି। ଦୀର୍ଘ ବର୍ଷ ପରେ ନିର୍ବାଚନ ହେବା ଦ୍ୱାରା କ୍ୟାମ୍ପସରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନେତୃତ୍ୱ ଗଠନର ପରମ୍ପରା ପୁନର୍ଜୀବିତ ହୋଇଛି ବୋଲି ସେ କହିଛନ୍ତି।ଏହି ନିର୍ବାଚନ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ମହାନ ଗଣତାନ୍ତ୍ରିକ ପର୍ବ ବୋଲି ଅଭିହିତ କରି ଶ୍ରୀ ତ୍ରିପାଠୀ ନିର୍ବାଚିତ ସମସ୍ତ ଛାତ୍ର ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କ୍ୟାମ୍ପସରେ ନିର୍ବାଚନ ପରମ୍ପରା ଫେରାଇ ଆଣିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏବିଭିପିର ବିଜୟକୁ ଯୁବପିଢ଼ିଙ୍କ ରାଷ୍ଟ୍ରବାଦ, ବିକାଶ ଓ ସକାରାତ୍ମକ ଚିନ୍ତାଧାରା ପ୍ରତି ସମର୍ଥନର ପ୍ରତିଫଳନ ବୋଲି ସେ ଦାବି କରିଛନ୍ତି।ଅନ୍ୟପଟେ ଛାତ୍ର କଂଗ୍ରେସ ସଭାପତି ବିଭୁତି ମହାପାତ୍ର ନିର୍ବାଚନ ପ୍ରକ୍ରିୟାକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ସୀମିତ ସମୟ ମଧ୍ୟରେ ନିର୍ବାଚନ କରାଯାଇଥିବା ସହ ବାଲାଟ ପେପର୍ରେ ଗୋପନୀୟ ମତଦାନ ନିୟମ ଉଲ୍ଲଂଘନ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଭୋଟର କାହାକୁ ଭୋଟ ଦେଇଛନ୍ତି, ତାହା ବାଲାଟ ପେପର୍ରୁ ଜଣାପଡ଼ିଯାଉଥିବା ଦାବି କରି ଚଳିତ ନିର୍ବାଚନ ଆଇନସମ୍ମତ ଭାବେ ହୋଇଛି କି ନାହିଁ, ସେ ନେଇ ପ୍ରଶ୍ନ ଉଠାଇଛନ୍ତି।ଏଥିସହ ବିଧାୟକ ଓ ମନ୍ତ୍ରୀମାନେ ନିର୍ବାଚନରେ ବିଜୟ ପାଇଁ କଳବଳ ପ୍ରୟୋଗ କରିଥିବା ଏବଂ ଯେଉଁ କଲେଜରେ ଏବିଭିପିର ସଂଗଠନ ନାହିଁ, ସେଠାରେ ନିର୍ବାଚନ ବାତିଲ କରାଯାଇଥିବା ଅଭିଯୋଗ କରିଛନ୍ତି। ପ୍ରାୟ ୨୦୨ଟି କଲେଜରେ ନିର୍ବାଚନ ପରିବର୍ତ୍ତେ ଚୟନ ପ୍ରକ୍ରିୟା ହୋଇଥିବା ଏବଂ କିଛି କଲେଜରେ ନିର୍ବାଚନ ଦିନ ହିଁ ମତଦାନ ବାତିଲ ହୋଇଥିବା ସେ କହିଛନ୍ତି। ଏହାକୁ ସେ ଗଣତନ୍ତ୍ରର ହତ୍ୟା ବୋଲି ଅଭିହିତ କରିଛନ୍ତି।ଏବିଭିପି ଭୋଟ ଚୋରି କରି ବିଜୟ ହାସଲ କରିଥିବା ମଧ୍ୟ ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ତେବେ ଛାତ୍ର କଂଗ୍ରେସର ପ୍ରାର୍ଥୀମାନେ ୩୦ରୁ ଊର୍ଦ୍ଧ୍ୱ କଲେଜରେ ବିଜୟୀ ହୋଇଥିବା ଦାବି କରି ଶ୍ରୀ ମହାପାତ୍ର ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଆସନ୍ତା ବର୍ଷ ନିର୍ବାଚନରେ ଏଭଳି ତ୍ରୁଟି ଯେପରି ନହୁଏ, ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ଛାତ୍ର କଂଗ୍ରେସ ଦାବି କରିଛି। ବିଜୁ ଛାତ୍ରଜନତା ଦଳ କହିଛି, ଏବିଭିପି ଟଙ୍କା ଦେଇ ଭୋଟ କିଣିବାକୁ ଉଦ୍ୟମ କରିଥିଲା। କଲେଜ ନିର୍ବାଚନରେ ସରକାରୀ ଦଳ କଳ,ବଳ ଓ ଟଙ୍କା ଲଗାଇଥିଲା। ତା ସତ୍ତ୍ୱେ ଜେନ-ଜିଙ୍କୁ ନିଜ ଆଡ଼କୁ ଟାଣିବାରେ ଫେଲ୍ ମାରିଛି ବିଜେପି। ବିଜେଡିର ବଡ଼ ବିଜୟ ହୋଇଛି। ଏବେ ଛାତ୍ର ସଂସଦ ନିର୍ବାଚନର ସଫଳତାକୁ ନେଇ ବିଜେପିର ଦାବି ଏବଂ ଅନିୟମିତତାକୁ ନେଇ ଛାତ୍ର କଂଗ୍ରେସର ଅଭିଯୋଗ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
