ବାଲିପଶିରେ ଘର ଭାଙ୍ଗି ଉଜାଡ଼ିଦେଲେ ୩୫ଟିକିଆ ହାତୀପଲ
ଚମ୍ପୁଆ ବ୍ଲକର ବାଲିପଶି ଗାଁରେ ୩୫ଟିକିଆ ହାତୀପଲଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି । ହାତୀପଲ ବାଲିପଶି ଗାଁର ଲାଲମୋହନ ମୁଣ୍ଡାଙ୍କ ଘର ଭାଙ୍ଗି ଭିତରେ ଥିବା ଧାନ ଓ ଚାଉଳ ଖାଇବା ସହ ଅନ୍ୟାନ୍ୟ ସାମଗ୍ରୀର ମଧ୍ୟ ବ୍ୟାପକ କ୍ଷତି କରିଥିଲେ।
କେନ୍ଦୁଝର: ଚମ୍ପୁଆ ବ୍ଲକର ବାଲିପଶି ଗାଁରେ ୩୫ଟିକିଆ ହାତୀପଲଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗତକାଲି ମଧ୍ୟରାତ୍ରିରେ ଉଖୁଣ୍ଡା ସେକ୍ସନର ଝାଲିଆବେଡା ଜଙ୍ଗଲରୁ ବାହାରିଥିବା ହାତୀପଲ ମାଳିପଶି, ପଡୁଆ ଓ ରାଉତରାପୁର ଗ୍ରାମ ଦେଇ ବାଲିପଶିରେ ପହଞ୍ଚିଥିଲେ। ହାତୀପଲ ବାଲିପଶି ଗାଁର ଲାଲମୋହନ ମୁଣ୍ଡାଙ୍କ ଘର ଭାଙ୍ଗି ଭିତରେ ଥିବା ଧାନ ଓ ଚାଉଳ ଖାଇବା ସହ ଅନ୍ୟାନ୍ୟ ସାମଗ୍ରୀର ମଧ୍ୟ ବ୍ୟାପକ କ୍ଷତି କରିଥିଲେ। ଗ୍ରାମବାସୀ ଏକତ୍ରିତ ହୋଇ ହାତୀପଲକୁ ଘଉଡ଼ାଇବା ପରେ ସେମାନେ ପଡୁଆ ଗ୍ରାମକୁ ଯାଇ ଆଉ ଏକ ଘର ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ମିଳିତ ପ୍ରୟାସରେ ହାତୀମାନଙ୍କୁ ଘଉଡ଼ାଇ ଦିଆଯାଇଥିବାରୁ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିପାରିନଥିଲେ। ହେଲେ ଘରର କବାଟ ଭାଙ୍ଗି ଦେଇଥିଲେ। ରାତିସାରା ବାଲିପଶି ଓ ପଡୁଆ ଗାଁରେ ପଶି ହାତୀପଲଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ସୋମବାର ସକାଳେ ହାତୀପଲ ଦୁଇ ଭାଗରେ ହୋଇଯାଇଥିଲେ। ବନ ବିଭାଗର ସୂଚନା ଅନୁଯାୟୀ, ୩୧ଟି ହାତୀ ବରପଦା ଜଙ୍ଗଲକୁ ଚାଲିଯାଇଥିବାବେଳେ ଅବଶିଷ୍ଟ ୩ଟି ହାତୀ ଜାଲି ଜଙ୍ଗଲ ଅଞ୍ଚଳରେ ରହିଛନ୍ତି। ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି।
