Paradip Manufacture Hub:ପାରାଦୀପ ହେବ ଓଡ଼ିଶାର ମାନୁଫାକ୍ଚରିଂ କ୍ୟାପିଟାଲ: ମୁଖ୍ୟମନ୍ତ୍ରୀ
ତିର୍ତ୍ତୋଲରେ ପ୍ରତିଷ୍ଠା ହେବ ସୂତାକଳ, ଜଗତସିଂହପୁରରେ ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ଓ ସରକାରୀ ଇଞ୍ଜିନିୟରିଂ କଲେଜ ଘୋଷଣା, କଳିଙ୍ଗ ବାଲିଯାତ୍ରା ମଞ୍ଚରୁ ଜଗତସିଂହପୁରକୁ ବିକାଶର ଭେଟି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର: ପାରାଦୀପ ହେବ ଓଡ଼ିଶାର ମାନୁଫାକ୍ଚରିଂ କ୍ୟାପିଟାଲ ଏବଂ ଦେଶର ଏକ ପ୍ରମୁଖ ରପ୍ତାନି କେନ୍ଦ୍ର। ଜଗତସିଂହପୁର ଜିଲ୍ଲା ଓ ପାରାଦୀପ ଅଞ୍ଚଳ ଆଗାମୀ ଦିନରେ ଓଡ଼ିଶାର ଅଭିବୃଦ୍ଧିର ଇଞ୍ଜିନ୍ ହେବ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ପୂର୍ବ ସନ୍ଧ୍ୟାରେ ପାରାଦୀପଠାରେ ଆୟୋଜିତ ‘କଳିଙ୍ଗ ବାଲିଯାତ୍ରା’ର ଉଦ୍ଘାଟନ କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତିର୍ତ୍ତୋଲରେ ଏକ ସୂତାକଳ ପ୍ରତିଷ୍ଠା ସହ ଜଗତସିଂହପୁର ଜିଲ୍ଲାରେ ସରକାରୀ ଇଞ୍ଜିନିୟରିଂ କଲେଜ, ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ ଏବଂ ESI ହସ୍ପିଟାଲ ପ୍ରତିଷ୍ଠାର ଘୋଷଣା କରିଛନ୍ତି। ଖୁବ୍ଶୀଘ୍ର ଜିଲ୍ଲାକୁ ଯାଇ ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରାଚୀନ କଳିଙ୍ଗର ସାଧବ ପୁଅଙ୍କ ସାହସ ଓ ନୌବାଣିଜ୍ୟ ପରମ୍ପରାକୁ ଆଧୁନିକ ଶିଳ୍ପାୟନ ସହ ଯୋଡ଼ିବା ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ଓଡ଼ିଶାକୁ ବନ୍ଦରଭିତ୍ତିକ ଅର୍ଥନୀତି ଭାବେ ଗଢ଼ିତୋଳାଯାଉଛି। କେନ୍ଦ୍ର ସରକାର ଓ ନୀତି ଆୟୋଗଙ୍କ ସହଯୋଗରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍ (BKPPER) ବିକଶିତ କରାଯାଉଛି। ପାରାଦୀପ PCPIR ଅଞ୍ଚଳରେ ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ୍, ପଲିମର, ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ଭଳି ଶିଳ୍ପର ବିକାଶ ହେଉଛି।

ଜଗତସିଂହପୁର ଜିଲ୍ଲାରେ ୨.୫୨ ଲକ୍ଷ କୋଟି ଟଙ୍କାର ନିବେଶରେ ୨୦ଟି ଶିଳ୍ପ ପ୍ରକଳ୍ପ ଜରିଆରେ ୯୬ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ ରହିଛି। ଏଥିରେ JSW ଷ୍ଟିଲ୍, IOCL ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସ, ଆର୍ସେଲର ମିତ୍ତଲ-ନିପନ୍ ଷ୍ଟିଲ୍ ଓ ଇଣ୍ଡୋଏସିଆ କପର୍ ଭଳି ବୃହତ୍ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହାସହ ଭୁବନେଶ୍ୱର-ପାରାଦୀପ ସିଧାସଳଖ ଏକ୍ସପ୍ରେସୱେ ଏବଂ ୧୬୦ କିଲୋମିଟରରୁ ଅଧିକ ଦୈର୍ଘ୍ୟର ଉପକୂଳ ରାଜପଥ ନିର୍ମାଣ ଯୋଜନା ରହିଛି। ଢିଙ୍କିଆଠାରେ JSWର ୧୩.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଷ୍ଟିଲ୍ ପ୍ଲାଣ୍ଟ ମଧ୍ୟ ଶିଳ୍ପାୟନକୁ ନୂଆ ଦିଗ ଦେବ। ରାଜ୍ୟରେ ୧୨.୧୦ ଲକ୍ଷ କୋଟି ଟଙ୍କାର ୫୭୮ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ୩.୫୧ ଲକ୍ଷ କୋଟି ଟଙ୍କାର ୨୦୫ଟି ପ୍ରକଳ୍ପର କାର୍ଯ୍ୟାରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।
ଶିକ୍ଷା ଓ ଶିଳ୍ପ ବିକାଶ ସହ ପାରାଦୀପ ସମୁଦ୍ରକୂଳକୁ ବ୍ଲୁ-ଫ୍ଲାଗ୍ ବିଚ୍ ମାନ୍ୟତା ପାଇଁ ବିକାଶ, ହରିଶପୁରରେ ଲୁଣାବନ୍ଧ ନିର୍ମାଣ ଏବଂ ଜିଲ୍ଲାର ୬ଟି ବ୍ଲକ୍ରେ ଅତ୍ୟାଧୁନିକ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଚାଲିଛି। ଉତ୍ସବରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ, ସାଧବ ପୁଅମାନେ କେବଳ ବାଣିଜ୍ୟ କରୁନଥିଲେ, ସେମାନେ ଓଡ଼ିଆ ଅସ୍ମିତାର ପ୍ରଚାର କରିବା ସହ କଳିଙ୍ଗକୁ ସମୃଦ୍ଧ କରିଥିଲେ। ପାରାଦୀପ ହେଉଛି ଓଡ଼ିଶା ବିକାଶର ସମୃଦ୍ଧ ଦ୍ୱାର।

ଶେଷରେ ମୁଖ୍ୟମନ୍ତ୍ରୀ କାର୍ତ୍ତିକ ପୂର୍ଣ୍ଣିମାରେ ପ୍ଲାଷ୍ଟିକ୍ ବଦଳରେ ପାରମ୍ପରିକ କଦଳୀ ପାଟୁଆ ଡଙ୍ଗା ବ୍ୟବହାର କରି ଜଳାଶୟକୁ ପ୍ରଦୂଷଣମୁକ୍ତ ରଖିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ଉତ୍ସବରେ ସାଂସଦ ବିଭୁପ୍ରସାଦ ତରାଇ, ବିଧାୟକ ରମାକାନ୍ତ ଭୋଇ, ଜିଲ୍ଲାପାଳ ଜେ. ସୋନାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
